ରଜରଜ ବାସିଲାଣି ରାଜଧାନୀ

ବନସ୍ତରୁ ଆଉ ଗଜ ଡାକୁନି। ବାଡ଼ିରେ ଆଉ ଦୋଳି ବନ୍ଧା ହେଉନି। ମେଳିମେଳି ଝିଅମାନଙ୍କ ତୁଣ୍ଡରୁ ଆଉ ‘ବରଷକେ ଥରେ ଆସିଛି ରଜ… ଗୀତ ଉତୁରୁନି। ଘରଘର ବୁଲି ପିଠା ଖାଇବାର ପରମ୍ପରା ବି ଲିଭିଗଲାଣି। ଅଥଚ ଏହି ମହାର୍ଘ ପରମ୍ପରାର ପରସ ବାଜିବା ପରେ ରାଜଧାନୀ ଏବେ ରଜରଜ ବାସିଲାଣି। ରଜରେ ସଜ ହେବାକୁ ଝିଅମାନେ ଏବେ ପରିବାର ସହ ବଜାରରେ ଭିଡ଼ ଜମେଇଲେଣି। ଭିଡ଼ ଏତେ ଅସମ୍ଭାଳ ଯେ, ବଜାରରେ ଘଣ୍ଟାଘଣ୍ଟା ବିତିଯାଉଛି। ଏଣେ ରଜ ପାଳିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ସଜବାଜ ଆରମ୍ଭ ହୋଇଗଲାଣି।

ଏକାଠି ଝୁଲିବ ୧୫୧ ଦୋଳି
ରାଜଧାନୀରେ ଏକାଠି ଝୁଲିବ ୧୫୧ ଦୋଳି। ପାତ୍ରପଡ଼ା ଓ ଭଗବାନପୁର ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ମହାରାଜା କ୍ରିକେଟ୍‌ ଆସୋସିଏସନ୍‌ ପଡ଼ିଆରେ ସିମୁଳିଆ ଗଛରେ ଦୋଳି ଖେଳିବାର ସୁଯୋଗ ନେଇପାରିବେ ରାଜଧାନୀବାସୀ। ୧୩ରୁ ସଜବାଜ ପର୍ବ ଆୟୋଜନ ହେଉଥିବା ବେଳେ ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଏଠାରେ ଦୋଳି ଖେଳିବାର ସୁଯୋଗ ମିଳିବ। ଏଥିସହିତ ଏଠାରେ ୧୫ରୁ ଊର୍ଧ୍ୱ ଫୁଡ୍‌ ଷ୍ଟଲ୍‌ରେ ପାରମ୍ପରିକ ପିଠା ଓ ଅନ୍ୟ ସୁସ୍ୱାଦୁ ଖାଦ୍ୟ ଉପଲବ୍ଧ ହେବ। ମହିଳାମାନଙ୍କ ମଧ୍ୟରେ ପୋଡ଼ପିଠା, ହୁଳହୁଳି ଓ ଶଙ୍ଖ ଫୁଙ୍କା ଏବଂ ଝିଅମାନଙ୍କ ମଧ୍ୟରେ ମେହେନ୍ଦି ଓ ଝୋଟି ପ୍ରତିଯୋଗିତା ଆୟୋଜନ କରାଯିବ। ୧୪ରୁ ୪ଦିନ ପର୍ଯ୍ୟନ୍ତ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।

ପାର୍କରୁ ମଲ୍‌ ସବୁଠି ଦୋଳି
ରାଜଧାନୀର କେତେକ ମଲ୍‌ରେ ଝୁଲିବ ଦୋଳି। ରୂପାଲିସ୍ଥିତ ରେଲିଆନ୍ସ ଟ୍ରେଣ୍ଡ୍‌, ପାଣ୍ଟାଲୁନ୍‌ ସମେତ ଅନ୍ୟ କେତେକ ମଲ୍‌ରେ ଦୋଳି ଖେଳିବାର ସୁଯୋଗ ମିଳିବ। ଏଥିସହିତ ଓ୍ଵିସ୍‌, ସଂଭାବନା, ଦର୍ପଣ ଆଦି ଅନୁଷ୍ଠାନ ପକ୍ଷରୁ ନିଆରା ଢଙ୍ଗରେ ରଜ ଉତ୍ସବ ପାଳନ କରାଯିବ। କେଉଁଠି ସଂଗୀତରେ ତ କେଉଁଠି ଦୋଳି ଓ ପିଠାକୁ ନେଇ ରଜ ମଉଜ ଜମିବ।

ପାନ୍ଥ ନିବାସରେ ଫୁଲ ଦୋଳି
ଓଟିଡିସି ପକ୍ଷରୁ ପାନ୍ଥ ନିବାସରେ ଫୁଲରେ ସୁସଜ୍ଜିତ ୪ଟି ଦୋଳି ଝୁଲିବ। ଓଟିଜିଏ ପକ୍ଷରୁ ଧଉଳି ପାନ୍ଥ ନିବାସରେ ବି ଦୋଳି ଝୁଲିବ। ପୁରୀ, କୋଣାର୍କ, କଟକ, ଚାନ୍ଦିପୁର, ଗୋପାଳପୁର, ବରକୁଳ, ରମ୍ଭା, ପାରାଦୀପ, ସମ୍ବଲପୁର, ରାଉରକେଲା ପାନ୍ଥ ନିବାସରେ ଦୋଳିରେ ମଜା ନେବାର ସୁଯୋଗ ମିଳିବ।

ସହର ହେଉ କି ଗାଁ, ସବୁଠି ଏବେ ରଜ ବଜାର ସରଗରମ। ଆଜି ରବିବାର ଛୁଟି ଥିବାରୁ ରଜ ପାଇଁ କିଣାକିଣି କରିବାର ବଜାରରେ ପ୍ରବଳ ଭିଡ଼ ଜମିଥିଲା। ଏତେ ଭିଡ଼ ଥିଲା ଯେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବା ପାଇଁ ଲୋକଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପାଇଁ ପଡ଼ୁଥିଲା। ମଲ୍‌ ଗୁଡ଼ିକରେ ମଧ୍ୟ ଅନୁରୂପ ଭିଡ଼ ଜମିଥିଲା। ସୁନ୍ଦର ଦିଶିବାକୁ ଯୁବତୀମାନଙ୍କ ମଧ୍ୟରେ ସୁନ୍ଦର ଡ୍ରେସ କିଣିବାକୁ ପ୍ରତିଯୋଗିତା ଚାଲିଥିବା ବେଳେ ଛୋଟଠାରୁ ବଡ଼ ସମସ୍ତ ସୋ’ରୁମ୍‌ ଓ ମଲ୍‌ଗୁଡ଼ିକରେ ବହୁ ଅଫର୍‌ ରହିଥିଲା। କେଉଁଠି ଗୋଟିଏ କିଣିଲେ ଆଉ ଗୋଟିଏ ମାଗଣା ତ’ ଆଉ କେଉଁଠି ୩୦-୫୦% ରିହାତି ଅଫର୍‌ ଗ୍ରାହକଙ୍କୁ ଆକୃଷ୍ଟ କରୁଛି। ରଜ ବଜାରରେ ନୂଆ ଟ୍ରେଣ୍ଡ୍‌ ଭାବେ ଏବେ ପ୍ରବେଶ କରିଛି ଗାଉନ୍‌, ମସ୍ତାନି, କ୍ରପ୍‌ ଟପ୍‌, ସୋଲ୍ଡର କଟ୍‌ ଓ ଷ୍ଟ୍ରେଟ୍‌ କଟ୍‌ ଡ୍ରେସ। ଏ ସବୁର ଦାମ୍‌ ୨୫୦୦ ଟଙ୍କାରୁ ଆରମ୍ଭ ହୋଇ ୬୭୦୦ ମଧ୍ୟରେ ରହିଛି। କର୍ମଜୀବୀ ମହିଳାମାନେ ଲେଗିନ୍ସ ଓ କୁର୍ତ୍ତୀକୁ ବେଶି ପସନ୍ଦ କରୁଛନ୍ତି ବୋଲି ଶ୍ରୀୟା ଛକସ୍ଥିତ ମେହେର୍‌ସ୍‌ ସୋ’ ରୁମ୍‌ର ମ୍ୟାନେଜର୍‌ କିଶୋର ଚନ୍ଦ୍ର ମେହେର କହିଛନ୍ତି। ଝିଅମାନଙ୍କ ମଧ୍ୟରେ ପାରମ୍ପରିକ ଶାଢିକୁ ନେଇ ବି ଉତ୍ସାହ ପରିଲକ୍ଷିତ ହୋଇଛି।

ବ୍ଲିସ୍‌ଫୁଲ୍‌ ଯୋଗ କେନ୍ଦ୍ରରେ ରଜ ମଉଜ
ଭୁବନେଶ୍ୱର: ନ୍ୟୁ ଫରେଷ୍ଟ୍‍ପାର୍କ ସ୍ଥିତ ‘ବ୍ଲିସ୍‌ଫୁଲ୍‌ ଯୋଗ କେନ୍ଦ୍ର’ରେ ଆରମ୍ଭ ହୋଇଛି ରଜ ମଉଜ। ସମସ୍ତ ସଦସ୍ୟା ସମ୍ବଲପୁରୀ ଶାଢ଼ିରେ ସଜେଇ ହୋଇ ଦୋଳି ଖେଳି, ପିଠା ଓ ରଜପାନ ଖାଇ ମଉଜ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। ଅଭିନେତ୍ରୀ ଉଷଶୀ ମିଶ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଉତ୍ସାହିତ କରିଥିଲେ। ଯୋଗକେନ୍ଦ୍ରର ନିର୍ଦେଶିକା ସୌମ୍ୟା ଦାଶଙ୍କ ସମେତ ସମସ୍ତ ସଦସ୍ୟା ଉପସ୍ଥିତ ଥିଲେ।

ପ୍ରବାସୀ ଓଡ଼ିଆ ପାଳିବେ ରଜ
ଭୁବନେଶ୍ୱର: କଳିଙ୍ଗ ସ୍ୱରାଜ ପକ୍ଷରୁ ରଜ ପାଳିବେ ପ୍ରବାସୀ ଓଡ଼ିଆ। ଜୁନ୍‌ ୧୬ ତାରିଖରେ ପୁନେର ପାଷାନ ସ୍ଥିତ ଜ୍ଞାନଦୀପ ଲନ୍‌ରେ ଓଡ଼ିଆ କଳାକାରଙ୍କ ସହ ଏହି ଉତ୍ସବ ପାଳନ କରିବେ ପ୍ରବାସୀ ଓଡ଼ିଆ ପରିବାର। ଏନେଇ ସମୃଦ୍ଧି ହୋଟେଲ୍‌ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଆ ଭଉଣୀମାନଙ୍କ ଦ୍ୱାରା ରଜ ଦୋଳି, ଗୀତ ଓ ପାରମ୍ପରିକ ଖାଦ୍ୟ ଉପରେ ଏକ ପ୍ରାକ ଭିଡ଼ିଓ ଲୋକାର୍ପିତ ହୋଇଥିଲା। ବୈଠକରେ ପ୍ରବାସୀ ଓଡ଼ିଆଙ୍କ ସଭାପତି ଶିବାଶିଷ ସ୍ୱାଇଁ, ଦୀପକ ନାୟକ, ପ୍ରଭାତ ରାଉତ, ଅମିତାଭ ଦାସ, ଉମେଦ ସାହୁ, , ସଂଯୋଗ ଦାସ, ଚିତ୍ତରଂଜନ ଦାସ, ଲୋକନାଥ ଷଡ଼ଙ୍ଗୀ, ସାଗରିକା ପତି, ଅଭିଶେକ ଓ ଗରିଶଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର