ସ୍ୱପ୍ନ ଦେଖାଇଥିଲେ ଚୂରମାର୍‌ କରିଦେବେ

ରାଜଧାନୀରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା

ଭୁବନେଶ୍ୱର: ରାଜଧାନୀରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଗାଡ଼କଣରେ ପିପିପି ମୋଡ୍‌ରେ ଏକ ମଲ୍ଟି ସ୍ପେସାଲିଟି ହସ୍ପିଟାଲ କରିବାକୁ ବିଏମ୍‌ସି ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ (କିମ୍‌ସ) ସହ ଚୁକ୍ତି କରିଛି। ଏଠାରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ସହ ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କୁ ବି ବହୁତ କମ୍‌ ମୂଲ୍ୟରେ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ନିଷ୍ପତ୍ତି ହୋଇଥିଲା। ଚୁକ୍ତି ଅନୁଯାୟୀ ଦୁଇ ବର୍ଷରେ ହସ୍ପିଟାଲ ନିର୍ମାଣ ହେବାକୁ ଥିବାବେଳେ ଚୁକ୍ତି ସ୍ୱାକ୍ଷରର ବର୍ଷକ ପରେ ବି ଇଟା ଖଣ୍ଡେ ପଡ଼ିଲାନି। ସ୍ଥିତି ଏପରି ଉପୁଜିଛି ଯେ, ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ସ୍ୱପ୍ନ ଦେଖାଇଥିବା ବିଏମ୍‌ସି ଏବେ ଏହି ସ୍ୱପ୍ନକୁ ନିଜ ହାତରେ ଚୂରମାର୍‌ କରିଦେବ। ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ତ ଦୂର କଥା ବର୍ତମାନ ଉପଲବ୍ଧ ହେଉଥିବା ସ୍ୱାସ୍ଥ୍ୟ ସେବାରେ ବି ଉନ୍ନତି ହେବାର ନାହିଁ। କିମ୍‌ସ କର୍ତୃପକ୍ଷ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ନେଇ ତତ୍ପରତା ଦେଖାଉ ନଥିବାବେଳେ ବିଏମ୍‌ସି କର୍ତୃପକ୍ଷ ବି ଚୁକ୍ତି ସ୍ୱାକ୍ଷର କରି ବସିଯାଇଛନ୍ତି। ବିଏମ୍‌ସି କର୍ତୃପକ୍ଷଙ୍କୁ ଏନେଇ ପଚାରିବାରୁ କହିଛନ୍ତି ଯେ, କିମ୍‌ସ କର୍ତୃପକ୍ଷ କହୁଛନ୍ତି ହସ୍ପିଟାଲ ନିର୍ମାଣ ପାଇଁ ଋଣ ମିଳୁନି। ଋଣ ମିଳିଲେ ହସ୍ପିଟାଲ ନିର୍ମାଣ ହେବ। ଏହି ନିର୍ମାଣ ପାଇଁ ବହୁ କୋଟି ନିବେଶ ହେବାକୁ ଥିବାରୁ ଆମେ କିଛି ପଦକ୍ଷେପ ନେଇନୁ। କିମ୍‌ସର ଏହିଭଳି ବେପରୁଆ ଉତ୍ତର ଶୁଣିବା ପରେ ବି ବିଏମ୍‌ସି କର୍ତୃପକ୍ଷ ଚୁପ୍‌ ବସିଛନ୍ତି। ନା ଏନେଇ ତାଗିଦ୍‌ କରୁଛନ୍ତି ନା କିଛି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଯାହାର ଫାଇଦା ନେଇ କିମ୍‌ସ ପ୍ରସ୍ତାବିତ ସ୍ଥାନରେ ଇଟା ଖଣ୍ଡେ ବି ପକାଉନି। ପୂର୍ବରୁ ଏହି ବିଶ୍ୱସ୍ତରୀୟ ହସ୍ପିଟାଲ ନେଇ ବିଏମ୍‌ସି କର୍ତୃପକ୍ଷ ଦୁଇ ଥର ଚୁକ୍ତି କରି ଶେଷ ମୁହୂର୍ତ୍ତରେ ବାତିଲ୍‌ କରିଥିବାରୁ ଏଥର କୌଣସି ରିସ୍କ ନେବାକୁ ଚାହୁଁନାହାନ୍ତି। ବରଂ କିମ୍‌ସ ପାଇଁ କିଛି ବାଟ ବାହାର କରିବାକୁ ଯୋଜନା କରୁଛନ୍ତି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହସ୍ପିଟାଲ କର୍ତୃପକ୍ଷ ବିଏମ୍‌ସିକୁ କହିଛନ୍ତି ଯେ, ହସ୍ପିଟାଲ ନିର୍ମାଣ ହେବାକୁ ଥିବା ୫ଏକର ଜମିର ମାଲିକାନା ହସ୍ପିଟାଲ କର୍ତୃପକ୍ଷଙ୍କୁ ଦିଆଯାଉ। ଏହାଦ୍ୱାରା ସେମାନେ ଏହି ଜମିକୁ ବ୍ୟାଙ୍କରେ ବନ୍ଧକ ରଖି ଋଣ ଆଣିପାରିବେ। କିନ୍ତୁ ପିପିପି ମୋଡ୍‌ରେ ଏହି ବିଶ୍ୱସ୍ତରୀୟ ହସ୍ପିଟାଲ ନିର୍ମାଣ ହେଉଥିବାରୁ ବିଏମ୍‌ସି ଏହି ଜମି ସଂପୂର୍ଣ୍ଣ ଭାବେ ହସ୍ତାନ୍ତର କରିପାରିବନି ବୋଲି କହିଛି। ଏହାପରେ କର୍ତୃପକ୍ଷ ଏହି ହସ୍ପିଟାଲ ପ୍ରତିଷ୍ଠା ନେଇ ଅକ୍ଷମତା ପ୍ରକାଶ କରିବା ପରେ ବିଏମ୍‌ସି କର୍ତୃପକ୍ଷ ନଗର ଉନ୍ନୟନ ବିଭାଗକୁ ଫାଇଲ୍‌ ପଠାଇଛନ୍ତି। ଯଦି ସରକାର ରାଜି ହୁଅନ୍ତି ତେବେ ହସ୍ପିଟାଲ କର୍ତୃପକ୍ଷଙ୍କୁ ଜମି ମାଲିକାନା ଦିଆଯିବ ବୋଲି ଜଣାପଡ଼ିଛି।

ହସ୍ପିଟାଲ କର୍ତୃପକ୍ଷଙ୍କୁ ଏହି ଜମି ସଂପୂର୍ଣ୍ଣ ଭାବେ ଦେଇଦେଲେ ଏହା ଉପରେ ବିଏମ୍‌ସିର କିଛି କର୍ତୃତ୍ୱ ରହିବନି। ହସ୍ପିଟାଲ ନିର୍ମାଣ ହେବା ପରେ ଯଦି ରୋଗୀଙ୍କଠାରୁ ଅଧିକ ଫି’ ଦାବି କରିବେ କିମ୍ବା ଚୁକ୍ତିକୁ ଖିଲାପ କଲେ ବିଏମ୍‌ସି ସହଜରେ କାର୍ଯ୍ୟାନୁଷ୍ଠାନ ନେଇପାରିବେନି। ଏପରିସ୍ଥଳେ ଏବେ ହସ୍ପିଟାଲ ପ୍ରତିଷ୍ଠା ହେବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।

ବ୍ୟାଙ୍କରୁ ଋଣ ମିଳିଲେ କାମ ଆରମ୍ଭ ହେବ: ହସ୍ପିଟାଲ କର୍ତୃପକ୍ଷ
ପିପିିପି ଯୋଜନାରେ ଜମି ମାଲିକାନା ଦେଇହେବନି: ବିଏମ୍‌ସି
ନଗର ଉନ୍ନୟନ ବିଭାଗ ନିଷ୍ପତ୍ତିକୁ ଅପେକ୍ଷା

କ’ଣ ଥିଲା ଯୋଜନା

ବିଏମ୍‌ସିର ବହୁ ପ୍ରତୀକ୍ଷିତ ବିଶ୍ୱସ୍ତରୀୟ ହସ୍ପିଟାଲ ପାଇଁ ଯୋଜନା ବି ଲମ୍ବା ଚଉଡ଼ା ହୋଇଛି। ମଲ୍ଟି ସ୍ପେସାଲିଟି ହସ୍ପିଟାଲ ପାଇଁ ଗାଡ଼କଣରେ ୫ଏକର ଜମି ଚିହ୍ନଟ କରାଯାଇଛି। ଏହାସହିତ କପିଳପ୍ରସାଦ, ବ୍ରହ୍ମେଶ୍ୱର ପାଟଣା, ଗାଡ଼କଣ, ଜିଜିପି କଲୋନି ଓ ଭରତପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ହେବ। ଏହିପରି ୬ଟି ଯାକ ହସ୍ପିଟାଲରେ ମୋଟ୍‌ ୮୦୦ଟି ଶଯ୍ୟା ରହିବାକୁ ଥିବାବେଳେ ଏଥିରୁ ୪୫ପ୍ରତିଶତ ଅର୍ଥାତ୍‌ ୩୫୯ଟି ଶଯ୍ୟା ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କ ପାଇଁ ରହିବ। ପିପିପି ମୋଡ୍‌ରେ ଗାଡ଼କଣରେ ନିର୍ମାଣ ହେବାକୁ ଥିବା ମଲ୍‌ଟି ସ୍ପେସାଲିଟି ହସ୍ପିଟାଲରେ ୫୫୦ଶଯ୍ୟା ରହିବ। ଏଠାରେ ସମସ୍ତ ପ୍ରକାରର ବିଶ୍ୱସ୍ତରୀୟ ସୁବିଧା ମିଳିବ। ଏପରିକି ଏଠାରେ ରୋଗୀଙ୍କୁ କମ୍‌ ଦାମରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ପରୀକ୍ଷା ଓ ଅନ୍ୟାନ୍ୟ ପରୀକ୍ଷା ରିହାତି ଦରରେ କରିବାର ସୁବିଧା ମିଳିବ। ରାଜଧାନୀରେ ଥିବା ବିଭିନ୍ନ ଘରୋଇ ହସ୍ପିଟାଲର ଫି’ ତୁଳନାରେ ଏଠାରେ କମ୍‌ ଫି’ ରହିବ। ଏହି ହସ୍ପିଟାଲ ଯେପରି ରାଜଧାନୀ ଓ ଆଖପାଖ ଅଞ୍ଚଳର ସବୁ ବର୍ଗର ଲୋକଙ୍କୁ ସେବା ଯୋଗାଇ ହେବ ସେହିଭଳି ବ୍ୟବସ୍ଥା କରାଯିବ।

୫ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଚିତ୍ର ବଦଳିବାର ଥିଲା
ଏହାବାଦ୍‌ କପିଳପ୍ରସାଦ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୧୦୦ଶଯ୍ୟା ବିଶିଷ୍ଟ,ବ୍ରହ୍ମେଶ୍ୱର ପାଟଣା, ଗାଡ଼କଣ, ଜିଜିପି କଲୋନି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ୪୦ ଶଯ୍ୟା ବିଶିଷ୍ଟ, ଭରତପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୩୦ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ପରିଣତ କରାଯିବ। ଏଠାରେ ବିପିଏଲ୍‌ ରୋଗୀମାନଙ୍କୁ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ଯୋଜନାରେ ୫୦ପ୍ରତିଶତ ରିହାତିରେ ସମସ୍ତ ସୁବିଧା ଉପଲବ୍ଧ ହେବ। ଏଥିରେ ଡାକ୍ତରଙ୍କ ପରାମର୍ଶ ଠାରୁ ଆରମ୍ଭ କରି ବିଭିନ୍ନ ରୋଗର ପରୀକ୍ଷା, ବିଭିନ୍ନ ପ୍ରକାରର ଫି’ରେ ରିହାତି ମିଳିବ। ଏହାସହିତ ଏହି ହସ୍ପିଟାଲଗୁଡ଼ିକ ଯେପରି ନାସନାଲ ଆକ୍ରେଡେସନ ବୋର୍ଡ ଫର୍‌ ହସ୍ପିଟାଲ୍‌ସ ଆଣ୍ଡ ହେଲ୍ଥ କେୟାର ପ୍ରୋଭାଇଡର୍ସଙ୍କ ପାଇଁ ଥିବା ନିୟମାବଳୀ ମାନିବେ ତାହା ତଦାରଖ କରାଯିବ ବୋଲି ଯୋଜନା ହୋଇଛି।

କଡ଼ାକଡ଼ି ହେଉନି ଚୁକ୍ତି
ଅପରପକ୍ଷେ ବିଏମ୍‌ସିର କେତେକ କର୍ପୋରେଟର ଅଭିଯୋଗ କରିଛନ୍ତି ଯେ, ବିଏମ୍‌ସି କର୍ତୃପକ୍ଷ ବିଶ୍ୱସ୍ତରୀୟ ହସ୍ପିଟାଲ ପାଇଁ ଚୁକ୍ତି କରିବା ସମୟରେ କଡ଼ାକଡ଼ି ନିୟମ କରୁ ନଥିବାରୁ ଦୁଇ ଦୁଇ ଥର ଯୋଜନା ଫେଲ୍‌ ମାରିଲାଣି। ଗାଡ଼କଣରେ ମଲ୍ଟି ସ୍ପେସାଲିଟି ହସ୍ପିଟାଲ ନିର୍ମାଣ ପାଇଁ ପ୍ରଥମେ ଯେତେବେଳେ ଚୁକ୍ତି ସ୍ୱାକ୍ଷର ହୋଇଥିଲା ସେତେବେଳେ ଗୁଜୁରାଟର ଅହମ୍ମଦାବାଦରେ ବି ହସ୍ପିଟାଲ ନିର୍ମାଣ ପାଇଁ ସ୍ଥାନୀୟ ମହାନଗର ନିଗମ କର୍ତୃପକ୍ଷ ଏହିଭଳି ଚୁକ୍ତି କରିଥିଲେ। ଏବେ ସେଠାରେ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇ ସାରିଥିବାବେଳେ ଭୁବନେଶ୍ୱରରେ ଏ ପର୍ଯ୍ୟନ୍ତ ଇଟା ଖଣ୍ଡେ ପଡ଼ିପାରୁନି। ଯଦି ଏହି ହସ୍ପିଟାଲ ଗ୍ରୁପ୍‌ ହସ୍ପିଟାଲ ନିର୍ମାଣ କରିପାରୁନି ତେବେ କର୍ତୃପକ୍ଷ କାହିଁକି ଅନ୍ୟ ମେଡିକାଲ ସଂସ୍ଥା ସହ ଆଲୋଚନା କରୁନାହାନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି। ଗାଡ଼କଣରେ ଅତ୍ୟାଧୁନିକ ହସ୍ପିଟାଲ କରିବାକୁ କୋଲକାତାର କେପିସି ଗ୍ରୁପ୍‌ ଅଫ୍‌ ହସ୍ପିଟାଲ ଚୁକ୍ତି କରିଥିଲେ ହେଁ ତିନି ବର୍ଷ ତଳେ ଏଥିରୁ ଓହରି ଯାଇଥିଲା। ଆଉ ହସ୍ପିଟାଲ ପ୍ରକଳ୍ପ ବନ୍ଦ ହୋଇଯାଇଥିଲା। ସେହିପରି ପାଞ୍ଚଟି ସ୍ୱାସ୍ଥ୍ୟ କେନ୍ଦ୍ରର ବିକାଶ ପାଇଁ ମଧ୍ୟ ତିନି ବର୍ଷ ତଳେ ଯୋଜନା ହୋଇଥିଲେ ବି ତାହା ସଫଳ ହୋଇପାରି ନ ଥିଲା। ଗତବର୍ଷ ଦେଶର ବିଭିନ୍ନ ସହରରେ ବିଏମ୍‌ସି କର୍ତୃପକ୍ଷ ରୋଡ୍‌ ସୋ’ କରି ସ୍ୱାସ୍ଥ୍ୟ କ୍ଷେତ୍ରରେ ପୁଞ୍ଜି ଖଟାଇବାକୁ ଥିବା ସଂସ୍ଥାଗୁଡ଼ିକ ସହ ଆଲୋଚନା କରିଥିଲେ। ଏଥିରେ କେୟାର ହସ୍ପିଟାଲ ଗ୍ରୁପ୍‌, ଆପୋଲୋ, ନାରାୟଣ ହୃଦୟାଳୟ, କାବେରି, ସନସାଇନ୍‌ ଏବଂ କିମ୍‌ସ (କ୍ରିଷ୍ଣା ଗ୍ରୁପ୍‌) ସହ ଆଲୋଚନା ହୋଇଥିଲା। ଏହାପରେ ବିଏମ୍‌ସିର ପ୍ରସ୍ତାବରେ କ୍ରିଷ୍ଣା ଗ୍ରୁପ୍‌ ରାଜି ହୋଇଥିବାବେଳେ ହସ୍ପିଟାଲର ବିଭିନ୍ନ ସର୍ତରେ ବିଏମ୍‌ସି କର୍ତୃପକ୍ଷ ରାଜି ହୋଇଥିଲେ। ଆଉ ପିପିପି ମୋଡ୍‌ରେ ହସ୍ପିଟାଲ ନିର୍ମାଣ ପାଇଁ ଚୁକ୍ତି ହୋଇଥିଲା। କିନ୍ତୁ ଏହା କେବଳ ଚୁକ୍ତିରେ ରହିଯାଇଛି।

ସମ୍ବନ୍ଧିତ ଖବର