ଗଛରେ ପିଟିହେଲା କାର, ଦମ୍ପତି ଗୁରୁତର

0 9

ବାଲିପାଟଣା: ବାଲିପାଟଣା-ନିମାପଡ଼ା ରାସ୍ତାର ଓଡ଼ଖଣ୍ଡ କଲେଜ ସମ୍ମୁଖରେ ଆଜି ଏକ କାରର ଚକା ଫାଟିଯିବାରୁ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ ଏକ ଗଛକୁ ଧକ୍କା ହୋଇଥିଲା। ଏଥିରେ ସ୍ୱାମୀ-ସ୍ତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ପୁଅ ସାମାନ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ସମସ୍ତଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ମହିଳା ହେଲେ ସଂଗୀତା ପାଢ଼ୀ ଓ ସେ କୋଣାର୍କ ନବୋଦୟ ବିଦ୍ୟାଳୟର ଭାଇସ୍‌ ପ୍ରିନ୍ସିପାଲ ବୋଲି ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଆଜି ପୂର୍ବାହ୍ଣ ପ୍ରାୟ ୧୦ଟା ବେଳେ ଏକ କାରରେ ସନ୍ତୋଷ ପାଣିଗ୍ରାହୀ(୫୫)ତାଙ୍କ ପତ୍ନୀ ସଂଗୀତା ପାଢ଼ୀ ଭୁବନେଶ୍ୱରରୁ କୋଣାର୍କସ୍ଥିତ ନବୋଦୟ ବିଦ୍ୟାଳୟକୁ ଯାଉଥିଲେ। ପୁଅ ଶାଶ୍ୱତ ପାଣିଗ୍ରାହୀ କାର୍‌ ଚଳାଉଥିଲେ। ହଠାତ୍‌ ଓଡ଼ଖଣ୍ଡ ଛକ ନିକଟରେ କାରର ଚକା ଫାଟିଯାଇଥିଲା। ଫଳରେ କାର୍‌ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ ଏକ ଗଛକୁ ଧକ୍କା ଦେଇଥିଲା। ଏଥିରେ ସଂଗୀତାଙ୍କ ମୁଣ୍ଡ ଓ କାନ୍ଧରେ ଗୁରୁତର ଆଘାତ ଲାଗିଥିବା ବେଳେ ସନ୍ତୋଷଙ୍କ ମୁଣ୍ଡ ଓ ଦେହରେ ବି ଗୁରୁତର ଆଘାତ ଲାଗିଛି। ଶାଶ୍ୱତଙ୍କ ଛାତିରେ ସାମାନ୍ୟ ଆଘାତ ଲାଗିଥିବା କଥା ମେଡିକାଲ୍‌ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

sixteen − two =