କାର୍‌ ଧକ୍କାରେ ବାଇକ୍‌ ଆରୋହୀ ଗୁରୁତର

ଉତ୍ତ୍ୟକ୍ତ ଲୋକଙ୍କ ଲଙ୍କାକାଣ୍ଡ, ବାଦ୍‌ ପଡ଼ିଲାନି ପୁଲିସ

ଖଣ୍ଡଗିରି: ରବିବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ସ୍ଥାନୀୟ ଭରତପୁର ଛକରେ ଘଟିଥିବା ଏକ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକେ ଲଙ୍କାକାଣ୍ଡ ଘଟାଇଛନ୍ତି। କାର୍‌ ଧକ୍କାରେ ସ୍ଥାନୀୟ ଏକ ବସ୍ତିର ଶଙ୍କର ନାଏକ ନାମକ ଜଣେ ବାଇକ୍‌ ଆରୋହୀ ଗୁରୁତର ହୋଇପଡ଼ିବାରୁ ବସ୍ତିି ଲୋକେ ଭରତପୁର ଛକରେ ବ୍ୟାପକ ଭଙ୍ଗାରୁଜା କରିବା ସହ ପୁଲିସକୁ ଆକ୍ରମଣ କରିଥିଲେ। ଦୁର୍ଘଟଣା ଘଟାଇଥିବା କାର୍‌କୁ ସେମାନେ ପୂରା ଚୂର୍‌ମାର କରି ଦେଇଥିବା ବେଳେ ସେମାନଙ୍କ ଆକ୍ରମଣରେ ୪ଜଣ ପୁଲିସ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଏକ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସୂଚନାନୁସାରେ ଭରତପୁର ୫ ନମ୍ବର ବସ୍ତିର ଶଙ୍କର ସାହୁ ଓ ବୃନ୍ଦାବନ ସାହୁ ଏକ ବାଇକ୍‌ ଯୋଗେ ଭରତପୁରରୁ କଳିଙ୍ଗ ଷ୍ଟୁଡିଓ ଛକ ଆଡ଼କୁ ଯାଉଥିଲେ। ଏତିକିବେଳେ ଖଣ୍ଡଗିରିରୁ ଅନ୍ଧାରୁଆ ଦିଗରେ ଏକ କାର୍‌ (ଓଡି୩୩ଏଲ୍‌-୨୪୬୨) ଯାଉଥିଲା। ବାଇକ୍‌ ଓ କାର୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍‌ରେ ଥିବା ଯୁବକଦ୍ୱୟ ଗୁରୁତର ଆହତ ହୋଇଥିଲେ। ବସ୍ତିରେ ଏହି ଖବର ପହଞ୍ଚିଯିବା ପରେ ଖୁଦରକୁଣୀ ପୂଜାଠାରେ ଏକାଠି ହୋଇଥିବା ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ସେମାନେ ପ୍ରଥମେ ଆହତଦ୍ୱୟଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରିଥିଲେ। କିନ୍ତୁ ଏଣେ ଆଉ କିଛି ଉତ୍ତ୍ୟକ୍ତ ଲୋକ କାର୍‌ ଚାଳକଙ୍କୁ ଅଟକ ରଖି ମାଡ଼ ମାରିବା ସହ କାର୍‌କୁ ଭାଙ୍ଗି ଚୂର୍‌ମାର୍‌ କରି ଦେଇଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର୍‌ ଚାଳକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲା। ମାତ୍ର ଉତ୍ତ୍ୟକ୍ତ ଲୋକେ ପୁଲିସକୁ ଖାତିର କରିନଥିଲେ। ଫଳରେ କଥା କଟାକଟି ହୋଇଥିଲା ଓ ଲୋକେ ପୁଲିସକୁ ଆକ୍ରମଣ କରିଥିଲେ। ସେମାନଙ୍କ ଆକ୍ରମଣରେ ୨ ଅଧିକାରୀଙ୍କ ସମେତ ୪ ଜଣ ଆହତ ହୋଇଥିଲେ। ପରେ ଘଟଣାସ୍ଥଳକୁ ଏକ ପ୍ଲାଟୁନ୍‌ ପୁଲିସ ବଳ ପଠାଯାଇଥିଲା ଓ ସେମାନଙ୍କୁ ଦେଖି ଲୋକେ ଛତ୍ରଭଙ୍ଗ ଦେଇଥିଲେ। ପୁଲିସ କାର୍‌ ଚାଳକଙ୍କୁ ଉଦ୍ଧାର କରିଛି ଓ ଗଣ୍ଡଗୋଳକାରୀମାନଙ୍କୁ ଗିରଫ କରିବା ପାଇଁ ଚଢ଼ଉ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର