ଚଳନ୍ତା ଗାଡ଼ି ଜଳିଗଲା, ଅଳ୍ପକେ ବର୍ତିଲେ ୨ ଭାଇ

ଭୁବନେଶ୍ୱର : ଆଜି ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାବେଳେ ନୂଆପଲ୍ଲୀ ବିଗ୍‌ବଜାର ସମ୍ମୁଖରେ ଏକ ଚଳନ୍ତା କାରରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ ଯୋଗୁଁ କାର୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଏଥିରେ ଥିବା ପ୍ରଶାନ୍ତ ସାମନ୍ତରାୟ ଓ ସୌମ୍ୟରଞ୍ଜନ ସାମନ୍ତରାୟ ନାମକ ଦୁଇ ଭାଇ ରକ୍ଷା ପାଇ ଯାଇଛନ୍ତି। ଉଭୟ ନୟାଗଡ଼ ଜିଲ୍ଲା ଭାପୁରରୁ ଭୁବନେଶ୍ୱର ଏୟାରପୋର୍ଟ ଆସିଥିଲେ। ଏୟାରପୋର୍ଟରୁ ଭଉଣୀଙ୍କୁ ଧରି ଘରକୁ ଯାଇ ଥାଆନ୍ତେ। ଭଉଣୀଙ୍କ ପହଞ୍ଚିବା ବିଳମ୍ବ ଥିବାରୁ ନୂଆପଲ୍ଲୀ ବିଗ୍‌ବଜାରରୁ ସପିଂ ପାଇଁ ଆସିଥିଲେ। ସେଠାରୁ ସପିଂ ସାରି ଏୟାରପୋର୍ଟ ଫେରୁଥିଲେ। ବିଗ୍‌ବଜାରରୁ ଠିକ୍‌ ୩୦ ମିଟର ଆଗକୁ ଯିବା ପରେ ହଠାତ କାରର ଇଞ୍ଜିନ୍‌ରୁ ଧୂଆଁ ବାହାରି ଥିଲା। ବାଟରେ ଯାଉଥିବା ଲୋକମାନେ ଧୂଆଁ ବାହାରୁ ଥିବା ଦେଖି ପାଟି କରିଥିଲେ। ଦୁଇଭାଇ ଗାଡ଼ିକୁ ରାସ୍ତା କଡ଼ରେ ଛାଡ଼ି ଡେଇଁ ପଡ଼ିଥିଲେ। କିଛି କ୍ଷଣ ମଧ୍ୟରେ ଗାଡ଼ିଟି ଜଳିବାକୁ ଲାଗିଥିଲା। ଫଳରେ ସେଠାରେ କିିଛି ସମୟ ପାଇଁ ଯାତାୟାତ ଠପ୍‌ ହୋଇଯାଇଥିଲା। ଲୋକମାନେ ତୁରନ୍ତ ଅଗ୍ନିଶମ ବିଭାଗକୁ ଫୋନ୍‌କରି ଘଟଣା ବିଷୟରେ ଜଣାଇଥିଲେ। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର