କାର୍ ଚାଳକଙ୍କ ପାଇଁ ବର୍ତ୍ତିଗଲେ ମହିଳା, ବାଇକ୍‌ ଛାଡ଼ି ଲୁଟେରା ଛୁ

ଖଣ୍ଡଗିରି: ଗୁରୁବାର ରାତି ପ୍ରାୟ ୮ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଗୋହିରା-ରେତଙ୍ଗ ଛକରେ ଜଣେ ମହିଳା ଲୁଟ୍‌ର ଶିକାର ହେବା ପୂର୍ବରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଜଣେ କାର୍ ଚାଳକ ଲୁଟେରାଦ୍ବୟଙ୍କ ବାଇକ୍‌କୁ ସାଇଡ୍ ମାରିବାରୁ ଲୁଟ୍‌ ଉଦ୍ୟମ ବିଫଳ ହୋଇଛି। ତେବେ ଧରାପଡ଼ିବା ପୂର୍ବରୁ ଲୁଟେରାଦ୍ବୟ ବାଇକ୍‌ ଛାଡ଼ି ଘଟଣାସ୍ଥଳରୁ ଛୁ’ ମାରିବାରେ ସଫଳ ହୋଇଛନ୍ତି। ଯାଁଳା ଫାଣ୍ଡି ପୁଲିସ ବାଇକ୍‌ ଜବତ କରିବା ସହ ଦୁର୍ବୃତ୍ତଦ୍ବୟଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଛି।

ସୂଚନାନୁସାରେ, ଖୋର୍ଧା ଜିଲ୍ଲା ନିରାକାରପୁର ମଇନ୍ଦିପୁର ଗାଁର ପ୍ରଶାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ସ୍ବାଗତିକା ଏକ ନୂଆ ବୁଲେଟ୍‌ରେ ଭୁବନେଶ୍ବରରୁ ଘରକୁ ଫେରୁଥିଲେ। ସେମାନେ ଗୋହିରା ଓ ରେତଙ୍ଗ ଛକ ମଧ୍ୟରେ ପହଞ୍ଚିଥିବା ବେଳେ ଏକ ନମ୍ବରବିହୀନ ପଲସର୍‌ରେ ପିଛା କରୁଥିବା ଦୁଇ ଦୁର୍ବୃତ୍ତ ସେମ‌ାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ପଲସର୍‌ ପଛରେ ବସିଥିବା ଦୁର୍ବୃତ୍ତ ସ୍ବାଗତିକାଙ୍କ ବେକରୁ ସୁନାଚେନ୍ ଝାମ୍ପି ନେବାକୁ ହାତ ବଢ଼ାଉଥିଲା। ତେବେ ଠିକ୍‌ ଏତିକିବେ‌ଳେ ପଛରୁ ଆସୁଥିବା ଏକ କାର୍ ଉକ୍ତ ପଲସର୍‌କୁ ସାଇଡ୍ ମାରି ପଳାଇଥିଲା। ଫଳରେ ଦୁର୍ବୃତ୍ତଦ୍ବୟ ବାଇକ୍‌ ସହ ରାସ୍ତାରେ କଚାଡ଼ି ହୋଇ ପଡ଼ିଥିଲେ। ଏହା ଦେଖି ପ୍ରଶାନ୍ତ ନିଜ ବୁଲେଟ୍‌ ରଖିବା ସହ ଚୋର ଚୋର ବୋଲି ପାଟି କରିଥିଲେ। କିନ୍ତୁ ସେତେବେଳକୁ ଦୁର୍ବୃତ୍ତଦ୍ବୟ ଗହୀର ଭିତରକୁ ପଶି ଧାଇଁବାରେ ଲାଗିଥିଲେ। ପାଟି ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ ବି ଦୁର୍ବୃତ୍ତଦ୍ବୟ ଅନ୍ଧାର ଭିତରେ ଧାନ ବିଲରେ କେଉଁଆଡ଼େ ଅନ୍ତର୍ଧ୍ୟାନ ହୋଇଯାଇଥିଲେ। ଉଲ୍ଲେଖଯୋଗ୍ୟ ଯେ ନୂଆ ବୁଲେଟ୍‌ରେ ଯାଉଥିବା ଦମ୍ପତିଙ୍କୁ ପିଛା କରୁଥିବା ଏକ ନମ୍ବର ବିହୀନ ପଲ୍‌ସର ଦେଖି ଏହି କାର୍ ଚାଳକ ତମାଣ୍ଡୋରୁ ସେମାନଙ୍କୁ ପିଛା କରିଥିଲେ। ରାସ୍ତାରେ କିଛି ଅଘଟଣ ଘଟିବା ନିଶ୍ଚିତ ହୋଇ ସେ ବି ପ୍ରସ୍ତୁତ ହୋଇ ପଛେ ପଛେ ଆସୁଥିଲେ। ତେଣୁ ଦୁର୍ବୃତ୍ତଦ୍ବୟଙ୍କୁ ପାନେ ଚଖାଇବା ଉଦ୍ଦେଶ୍ୟରେ ସେ ସାଇଡ୍‌ ମାରିଥିଲେ ବୋଲି କହିଛନ୍ତି। କିନ୍ତୁ ସେମାନେ ଆହତ ନ ହୋଇ ଖସି ପଳାଇବାରୁ ତାଙ୍କ ଉଦ୍ଦେଶ୍ୟ ସଫଳ ହେଲା ନାହିଁ ବୋଲି ସେ ଦୁଃଖ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର