ବାଇକ୍‌ ନମ୍ବରରେ କାର୍

ଖଣ୍ଡଗିରି : ସୋମବାର ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ପୁଲିସ ଜାଗମରା ବଜାରରୁ ଏକ କାର୍ ଜବତ କରିଛି। କାର୍‌ଟିରେ ବ୍ୟବହାର ହେଉଥିବା ନମ୍ବର ଏକ ବାଇକ୍‌ର ବୋଲି ଯାଞ୍ଚରୁ ଜଣାପଡ଼ିଛି। ତେଣୁ ଜାଲି ନମ୍ବରରେ ଚାଲୁଥିବା ଏହି କାର୍‌ଟି ଏକ ଚୋରା ଗାଡ଼ି ବୋଲି ସ୍ପଷ୍ଟ ହୋଇଛି। କିନ୍ତୁ କାର୍‌ଟିକୁ କିଏ ଓ କେଉଁ ପରିସ୍ଥିତିରେ ରାସ୍ତାରେ ଛାଡ଼ିଗଲା, ତାହା ଜଣାପଡ଼ିନାହିଁ। ପୁଲିସ କାର୍‌କୁ ଜବତ କରି ଅଧିକ ଛାନ୍‌ଭିନ୍ ଜାରି ରଖିଛି। ଗତକାଲି ଏହି ଟୟୋଟା ଏଟିଅସ୍ କାର୍‌(ଓଡି୧୦ଡି- ୪୦୯୭)ଟି ବିଳମ୍ବିତ ରାତି ପର୍ଯ୍ୟନ୍ତ ରାସ୍ତା ଉପରେ ସନ୍ଦେହଜନକ ଅବସ୍ଥାରେ ଛିଡ଼ା ହୋଇଥିବା ଦେଖି ସ୍ଥାନୀୟ ଲୋକେ ଖଣ୍ଡଗିରି ଥାନାକୁ ଜଣାଇଥିଲେ। ଏକ ଏଟିଏମ୍‌ ନିକଟରେ ଥିବା ଏହି କାର୍‌କୁ ଦେଖି ଲୋକେ ପ୍ରଥମେ କେହି ଟଙ୍କା ଉଠାଉଥିବା ଅନୁମାନ କରିଥିଲେ। କିନ୍ତୁ ବହୁ ସମୟ ପର୍ଯ୍ୟନ୍ତ କେହି କାର୍ ନିକଟକୁ ନ ଆସିବାରୁ ସେମାନେ ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନଖି କଲା ପରେ ଭିତରେ ମଦ ବୋତଲ ସମେତ କିଛି ଆପତ୍ତିଜନକ ସାମଗ୍ରୀ ଥିବା ଦେଖିବାକୁ ପାଇଥିଲା। ଜାଲି ନମ୍ବର ବ୍ୟବହାର ହେଉଥିବା ଓ ଏକ ଏଟିଏମ୍ ନିକଟରେ କେହି ଛାଡ଼ି ଯାଇଥିବାରୁ ଘଟଣାକୁ ନେଇ ନାନା କଥା ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର