ପରିତ୍ୟକ୍ତ ସାପ ଅଣ୍ଡାର ଦାୟିତ୍ୱ ନିଆଯିବ

ଭୁବନେଶ୍ୱର : କଇଁଛ ଅଣ୍ଡାର ପରିଚାଳନା ପାଇଁ ଯଥେଷ୍ଟ ଯତ୍ନ ନିଆଯାଉଥିଲେ ହେଁ ଓଡ଼ିଶାରେ ପରିତ୍ୟକ୍ତ ସାପଅଣ୍ଡାର ପରିଚାଳନା ପାଇଁ ସେପରି କୌଣସି ସୁବିଧା ନାହିଁ। ତେଣୁ ଏନେଇ ଏକ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ‘ପରିତ୍ୟକ୍ତ ସାପଅଣ୍ଡାର ପରିଚାଳନା’ ନେଇ ବନାଧିକାରୀ ଓ ଭେଟେରିନାରି ପ୍ରଫେସରଙ୍କ ସହ ସ୍ନେକ୍‌ ହେଲ୍‌ପଲାଇନ୍‌ର ସଦସ୍ୟଙ୍କ ଉପସ୍ଥିତିରେ ଏକ କର୍ମଶାଳା ଓଡ଼ିଶା ଭେଟେରିନାରି ପରିଷଦର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ବିଶେଷତଃ ଘରେ ସାପ ଅଣ୍ଡା ଦେବା ପରେ ଏହା ନଜରକୁ ଆସିଲେ ସାପ ଓ ଅଣ୍ଡାକୁ ଦୂରେଇ ଦିଆଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ସେହିପରି କୌଣସି ନିର୍ମାଣାଧୀନ ଜାଗାରେ ମାଟି ଖୋଳିବା ସମୟରେ ବାହାରୁଥିବା ସାପ ଅଣ୍ଡାଗୁଡ଼ିକୁ ହଟାଇ ନିର୍ମାଣ କାର୍ଯ୍ୟ ଚାଲେ। ତେଣୁ ଏ ବାବଦରେ ଯତ୍ନବାନ ହେବା ପାଇଁ କର୍ମଶାଳାରେ ଆଲୋଚନା ହୋଇଥିଲା। ସ୍ନେକ୍‌ ହେଲ୍‌ପ ଲାଇନ୍‌ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଏହି କର୍ମଶାଳାରେ ନିଜର ଅଭିଜ୍ଞତାକୁ ଏକ ପାଓ୍ଵାର ପଏଣ୍ଟ୍‌ ଜରିଆରେ ଉପସ୍ଥାପନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରାଜନଗରର ଡିଏଫ୍‌ଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ, ପୁରୀର ଡିଏଫ୍‌ଓ ହର୍ଷବର୍ଧନ ଉଦ୍‌ଗାତା, ବ୍ରହ୍ମପୁରର ଡିଏଫ୍‌ଓ ଆଶିଷ କୁମାର ବେହେରା, ସିଟି ଫରେଷ୍ଟ୍‍ ଡିଭିଜନ୍‌ର ଡିଏଫ୍‌ଓ ପିକେ ମିଶ୍ର, ଡିସିଏଫ୍‌ ମନୋଜ ମହାପାତ୍ର, କେଉଁଝର ଡିଏଫ୍‌ଓ ଅଜିତ ଶତପଥୀ, ନନ୍ଦନକାନନର ଉପନିର୍ଦେଶକ ଜୟନ୍ତ ଦାଶ, ଡିସିଏଫ୍‌ କେଏଲ୍‌ ପୁରୋହିତଙ୍କ ସମେତ ଭେଟେରିନାରି ପ୍ରଫେସର ଡ. ସୁଶେନ କୁମାର ପଣ୍ଡା, ଓୟୁଏଟିର ସହଯୋଗୀ ପ୍ରଫେସର ଡ.ବିଶ୍ୱଦୀପ ଜେନା, ନନ୍ଦନକାନନ ବାୟୋଲୋଜିକାଲ୍‌ ପାର୍କର ବାୟୋଲୋଜିଷ୍ଟ୍‍ ଡ. ରାଜେଶ କୁମାର ମହାପାତ୍ର, ଆର୍‌ଏମ୍‌ଏନ୍‌ଏଚ୍‌ର ଡ. ଶିବପ୍ରସାଦ ପରିଡ଼ା, ଏମ୍‌ସର ଡ. ସୁଦୀପ୍ତ ରଂଜନ ସିଂହ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର