ଘରେ ବନ୍ୟଜନ୍ତୁ ପାଳୁଥିଲେ ସାବଧାନ!

ଭୁବନେଶ୍ୱର: ନିଃସଙ୍ଗତା ଦୂର ପାଇଁ ତ କେହି କେହି ଘରେ ପୋଷା ଜନ୍ତୁ ପାଳିବାର ନଜିର୍‌ ରହିଛି। ତେବେ ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବ୍ୟୁରୋ (ଡବ୍ଲୁସିସିବି) ପକ୍ଷରୁ ଏନେଇ କଟକଣା ଥିବା ବାବଦରେ ଅନେକ ସଚେତନ ନୁହନ୍ତି। ଭାରତୀୟ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ୧୯୭୨ ଅନୁଯାୟୀ କେତେକ ପଶୁ ପକ୍ଷୀ ଓ ସରୀସୃପଙ୍କୁ ଘରେ ପାଳିବା ଯେ ଅପରାଧ ଏ ସମ୍ପର୍କରେ ଅନେକଙ୍କର ସ୍ପଷ୍ଟ ଧାରଣା ନାହିଁ। ପୁଣି ଏହି ଆଇନକୁ ଭାଙ୍ଗିଲେ ଜେଲ୍‌ ଏବଂ ଜରିମାନା ଭଳି ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ନିକଟରେ ମୁମ୍ବାଇ େଓ୍ଵଷ୍ଟ୍‍ର ବାସିନ୍ଦା ସୁନିସ୍‌ ସୁବ୍ରମଣ୍ୟନ୍‌ କୁଞ୍ଜୁ ସୂଚନା ଅଧିକାର ଆଇନରେ ମାଗିଥିବା ଏକ ପ୍ରଶ୍ନର ଉତ୍ତରରୁ ଏହା ସ୍ପଷ୍ଟ କରିଛି ଡବ୍ଲୁସିସିବି। ଓଡ଼ିଶାରେ ମଧ୍ୟ କିଛି ଲୋକ ଜୀବଜନ୍ତୁଙ୍କୁ ପାଳିବାର ସଉକ ରଖୁଥିବା ବେଳେ ଏହି ଆଇନକୁ ଅନୁକରଣ ନକଲେ ଏବଂ ସାବଧାନ ନହେଲେ ଦଣ୍ଡ ପାଇବାର ଆଶଙ୍କା ରହିଛି।

ଶ୍ରୀ କୁଞ୍ଜୁଙ୍କଠାରୁ ପ୍ରାପ୍ତ ସୂଚନା ଅଧିକାର ଉତ୍ତର ଅନୁଯାୟୀ, ଭାରତୀୟ ଶୁଆ ୧୯୭୨ ଆଇନ ପରିସରରେ ଆସୁଥିବାରୁ ଏହାକୁ ପାଳି ହେବନାହିଁ। ମାତ୍ର ଶୁଆ ପ୍ରଜାତିର ମାକାଓ ଓ କୋକାଟୁ ଘରେ ପୋଷିବାରେ କୌଣସି ସମସ୍ୟା ନାହିଁ। ବିଦେଶୀ ଏଣ୍ଡୁଅ ପ୍ରଜାତିର ଇଗ୍ଵାନା ୧୯୭୨ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ପରିସରଭୁକ୍ତ ନୁହେଁ। ସେହିପରି ଟେଗୁ, ବିଦେଶୀ ବୁଢ଼ିଆଣୀ ତଥା ମାଙ୍କଡ଼ସା (ଟାରାଣ୍ଟୁଲା), ଅଜଗର ପ୍ରଜାତିର ବଲ୍‌ ପାଇଥନ୍‌, କାର୍ପେଟ୍‌ ପାଇଥନ, କର୍ଣ୍ଣ ସ୍ନେକ୍ସ, ମିଲ୍‌କ ସ୍ନେକ୍ସ, କାଇମାନ୍‌ସ, ନେଉଳ ପ୍ରଜାତିର ପ୍ରାଣୀ (ଫେରେଟ୍‌ସ) ଆଦି ସରୀସୃପ ୧୯୭୨ ଆଇନ ପରିସରଭୁକ୍ତ ହୋଇ ନଥିବାରୁ ଏମାନଙ୍କୁ ଘରେ ସାଇତିବାରେ ସମସ୍ୟା ନାହିଁ। ଏଗୁଡ଼ିକୁ ବିକ୍ରି କରିବାରେ ମଧ୍ୟ କୌଣସି ସମସ୍ୟା ନାହିଁ। କ୍ଷୁଦ୍ର କଙ୍ଗାରୁ ପ୍ରଜାତିର ଆଲ୍‌ବିନୋ ଓ୍ଵାଲାବେ ମଧ୍ୟ ଆଇନ ପରିସରରେ ଆସୁନାହିଁ। ତେବେ ଝିଙ୍କା, କେତେକ ନିର୍ଦିଷ୍ଟ କୁରୁମ, କଇଁଛ ଓ ପୋକ ଭାରତୀୟ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ପରିସରଭୁକ୍ତ ହୋଇଥିବାରୁ ଏଗୁଡ଼ିକୁ ଘରେ ପୋଷିବା ଦିଗରେ ପ୍ରତିବନ୍ଧକ ଲଗାଯାଇଛି। ଏନେଇ ସ୍ନେକ୍‌ ହେଲ୍‌ପଲାଇନ୍‌ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ କହିବା ମୁତାବକ, ଯଦି ଘରେ କୌଣସି ଜନ୍ତୁଙ୍କୁ ପୋଷୁଛନ୍ତି ତେବେ ଏ ଦିଗରେ ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ। ଆଇନକୁ ଅନୁକରଣ କରିବା ସହ ଜନ୍ତୁ ସମ୍ବନ୍ଧୀୟ ତା’ର ବୈଜ୍ଞାନିକ ନାମ ଏବଂ ସବିଶେଷ ବିବରଣୀ ପାଖରେ ରଖିଥିବା ଦରକାର। ନଚେତ୍‌ ପଞ୍ଜୁରିରେ ଇଂରାଜୀରେ ବିବରଣୀ ଲେଖିଥିବା ଆବଶ୍ୟକ। ଫଳରେ ସେମାନେ ଅସୁବିଧାରେ ପଡ଼ିବେ ନାହିଁ କି ଏହାକୁ ବିକ୍ରି କରୁଥିବା ପେଟ୍‌ ଷ୍ଟୋର୍‌ମାନେ ସମସ୍ୟାରେ ପଡ଼ିବେ ନାହିଁ। ତେବେ ଯେଉଁମାନେ ଭାରତୀୟ ତଫସିଲଭୁକ୍ତ ଜନ୍ତୁଙ୍କୁ ପୋଷୁଥିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ। ମୁମ୍ବାଇରେ ଏହି ବେଆଇନ ଜନ୍ତୁ, ଆକର୍ଷଣୀୟ ପକ୍ଷୀ ଓ ମାଛର ବିକ୍ରିବଟାକୁ ସୁନିୟନ୍ତ୍ରିତ କରିବା ଲକ୍ଷ୍ୟ ରଖି ଏକ ବିଲ୍‌ ଆଣିବା ପାଇଁ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର