ଚାଳକଙ୍କ ବେପରୁଆ ଗାଡ଼ି ଚାଳନା, ଅଳ୍ପକେ ବର୍ତିଲେ ଛାତ୍ରଛାତ୍ରୀ ଓ ପଥଚାରୀ

ଚନ୍ଦ୍ରଶେଖରପୁର : ଆଜି ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି ପ୍ରାୟ ୪୦ରୁ ଅଧିକ ଛାତ୍ରଛାତ୍ରୀ ଓ ଫୁଟ୍‌ପାଥ୍‌ରେ ଚାଲିଚାଲି ଯାଉଥିବା ପଥଚରୀ। ଦ୍ରୁତଗତିରେ ଦୁଇଟି ବସ୍ ପରସ୍ପରକୁ ଅତିକ୍ରମ କରି ଶିଖରଚଣ୍ଡୀ ଇନ୍‌ଫୋସିଟି ଥାନା ଦିଗରୁ ନୀଳାଚଳ ପ‌ଲିଟେକ୍‌ନିକ୍‌ ଦିଗକୁ ଆସୁଥିବା ବେଳେ ଘଟଛି ଏପରି ଅଘଟଣ। ଘଟଣା ଅନୁଯାୟୀ ଆଜି ସକାଳ ପ୍ରାୟ ସାଢ଼େ ଦଶଟା ବେଳେ ଏକ ଘରୋଇ ଶିକ୍ଷାନୁଷ୍ଠାନର ଦୁଇଟି ବସ୍ ଦ୍ରୁତଗତିରେ ଆସୁଥିବା ବେଳେ କିସ୍ ଅଟୋ ଷ୍ଟାଣ୍ଡ ନିକଟରେ (ଓଆର୦୨ଏଜେଡ-୫୮୩୫) ବସ୍‌ଟି (ଓଆର୦୨ଏୟୁ-୧୧୦୮) ବସ୍‌କୁ ଅତିକ୍ରମ କରିଥିଲା। ଯେଉଁଥିରେ ପ୍ରାୟ ୪୦ ଛାତ୍ରଛାତ୍ରୀ ବସିଥିଲେ। ସେହି ସମୟରେ ଉକ୍ତ ସ୍ଥାନ ଜନଗହଳି ଥିଲେ ମଧ୍ୟ ଚାଳକ ଏଥିପ୍ରତି ଦୃଷ୍ଟି ନଦେଇ ବସ୍‌ଟି ରାସ୍ତା କଡ଼ର ଲୋକ ଓ କିଛି ଅଟୋରେ ଘଷିହୋଇ ପଳାଇଥିଲା। ଏହାପରେ ଉତ୍ତ୍ୟକ୍ତ ଲୋକ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ନିକଟକୁ ଯାଇ ବସ୍ ଚାଳକ ଦୁହିଁକୁ ଠାବକରି ପୁଲିସ୍ ଜିମା ଦେଇଥିଲେ। ପରେ ବସ୍ ଚାଳକ ପୁଲିସ୍ ଉପସ୍ଥିତିରେ ସ୍ଥାନୀୟ ଲୋକଙ୍କୁ କ୍ଷମା ମାଗି ଉକ୍ତ ରାସ୍ତାରେ ଦ୍ରୁତ ଗତିରେ ଗାଡ଼ି ଚଲାଇବେ ନାହିଁ ବୋଲି ପ୍ରତିଶ୍ରୁତି ଦେବାରୁ ଘଟଣାର ସମାଧାନ ହୋଇଥିଲା। ଏନେଇ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ବସ୍ ଚାଳକଙ୍କୁ ତାଗିଦ କରିବା ସହ ଏପରି ଘଟଣା ଆଉ ହେବନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର