ଖୋର୍ଦ୍ଧା/ଭୁବନେଶ୍ୱର: ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳ ନିକଟରେ ଗତ ୧୯ ତାରିଖରେ ମାଟି ପକାଇବାକୁ କେନ୍ଦ୍ର କରି ହୋଇଥିବା ଗଣ୍ତଗୋଳ ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ୧୯ ତାରିଖରେ କଂଗ୍ରେସ ନେତାଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ଦିଲୀପ ମହାଭୋଇଙ୍କ ପତ୍ନୀ ରଶ୍ମିତା ମହାଭୋଇ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ବାଘମାରୀ ଥାନା‌ରେ ଏତଲା ଦେଇଛନ୍ତି। ଏନେଇ ନମ୍ବର ୫୩/୨୦ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Advertisment

ରଶ୍ମିତାଙ୍କ ଅଭିଯୋଗ ଅନୁସାରେ, ବିଧାୟକ ଅନନ୍ତ ନାରାୟଣ ଜେନା, କାଇପଦରର ବିଭୁପ୍ରସାଦ ବଳିଆରସିଂହ, ସାରୁଅର ଦିଲୀପ ସାହୁଙ୍କ ସମେତ ଅନ୍ୟ ୨୦ଜଣ ୧୯ ତାରିଖ ରାତି ସାଢ଼େ ୧୦ଟାରେ ବନ୍ଧୁକ, ଭୁଜାଲି, ଫାର୍ସା ଆଦି ମାରଣାସ୍ତ୍ର ଧରି ତାଙ୍କ ଘରେ ପହଞ୍ଚି କବାଟ ବାଡ଼େଇବା ସହ ଗାଳିଗୁଲଜ କରିଥିଲେ। ଘର ଭିତରେ ପଶି ତାଙ୍କୁ ମାଡ଼ ମାରିବା ସହ ଅଶାଳୀନ ବ୍ୟବହାର କରିଥିଲେ। ପରେ ଘରର ଅନ୍ୟ ସଦସ୍ୟମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ସେଠାରୁ ଫେରିବା ବେଳେ ସେମାନେ ତାଙ୍କ ପତିଙ୍କୁ ହତ୍ୟା କରିବା ଧମକ ମଧ୍ୟ ଦେଇଥିଲେ ବୋଲି ଏତଲାରେ ଦର୍ଶାଇଛନ୍ତି। ଏନେଇ ସେ ବାଘମାରୀ ଥାନାରେ ଗତକାଲି ଏତଲା ଦେଇଥିବା ବେଳେ ପୁଲିସ ଏତଲାକୁ ଗ୍ରହଣ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିବା ଥାନା ସୂତ୍ରରୁ ପ୍ରକାଶ।

ଅନ୍ୟପକ୍ଷରେ ବିଧାୟକ ଶ୍ରୀ ଜେନା କହିଛନ୍ତି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ମୋ ଭାଇଙ୍କ ଶାଳକ (ଅବସରପ୍ରାପ୍ତ ସେନା କର୍ମଚାରୀ) ନିଜ କ୍ଷେତରେ ଚାଷ କାମ କରୁଥିବା ବେଳେ ୧୯ତାରିଖ ଅପରାହ୍‌ଣରେ ଦିଲ୍ଲୀପ ମହାଭୋଇ ତାଙ୍କୁ ଆକ୍ରମଣ କରିଥିଲେ। ଖବର ପାଇ ଗୁରୁତର ଅବସ୍ଥାରେ ସେମାନେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବାଘମାରୀ ଥାନାକୁ ନେଇଥିଲେ। ଏହାପରେ ତୁରନ୍ତ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହି ହସ୍ପିଟାଲ ସିସିଟିଭି କ୍ୟାମେରାରେ ଏ ସବୁ ରେକର୍ଡ ରହିଛି। ଯେଉଁ ସମୟରେ ଗଣ୍ଡଗୋଳ କରିବା କଥା ଅଭିଯୋଗରେ ଦର୍ଶାଯାଇଛି, ସେହି ସମୟରେ ଆମେ ହସ୍ପିଟାଲରେ ଥିଲୁ। ଏ ସମ୍ପର୍କରେ ପୁଲିସ ସମ୍ପୂର୍ଣ୍ଣ ଅବଗତ ରହିଛି।