ପଞ୍ଚାୟତ ପୋଖରୀରେ ମାଛ ଚାଷକୁ ନେଇ ହାଇକୋର୍ଟରେ ମାମଲା

ବାଲିପାଟଣା: ବାଲିପାଟଣା ବ୍ଲକ ଅଠାନ୍ତର ପଞ୍ଚାୟତ ସରିପୁର ଗ୍ରାମର ବରଗାଡ଼ିଆ (ପୋଖରୀ)ରେ ସୁଭଦ୍ରା ମହିଳା ମଣ୍ତଳ ମାଛଚାଷ କରିବା ଘଟଣାକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଉକ୍ତ ଗ୍ରାମର ସତ୍ୟଭାମା ପାଗଡ଼ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଉପ ଜିଲ୍ଲପାଳ, ବାଲିପାଟଣା ବିଡିଓ, ଅଠାନ୍ତର ସରପଞ୍ଚ ଓ ସୁଭଦ୍ରା ମହିଳା ମଣ୍ତଳର ସମ୍ପାଦିକାଙ୍କୁ ନୋଟିସ କରାଯାଇଥିବା ଜଣାପଡିଛି।

ସୂଚନା ମୁତାବକ ସରିପୁର ଗ୍ରାମ ବରଗାଡ଼ିଆରେ ମାଛଚାଷ କରିବା ପାଇଁ ସୁଭଦ୍ରା ମହିଳା ମଣ୍ତଳ ଗତ ଜୁଲାଇ ୯ତାରିଖରେ ବ୍ଲକ ପ୍ରଶାସନକୁ ଦରଖାସ୍ତ କରିଥିଲା। ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ଜୁଲାଇ ୨୯ତାରିଖରେ ସୁଭଦ୍ରା ମହିଳା ମଣ୍ତଳକୁ ଲିଜ୍‌ ସୂତ୍ରରେ ଦିଆଯାଇଥିଲା। ପରବର୍ତ୍ତୀ ମୂହୁର୍ତ୍ତରେ ସେପ୍ଟେମ୍ବର ୫ ତାରିଖରେ ଲିଜ୍ ବାତିଲ କରାଯାଇ ଟଙ୍କା ଫେରସ୍ତ କରାଯାଇଥିଲା। ମାତ୍ର ଅକ୍ଟୋବର ୨୫ ତାରିଖରେ ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ପୁନର୍ବାର ସୁଭଦ୍ରା ମହିଳା ମଣ୍ତଳକୁ ୩ ବର୍ଷ ପର୍ଯ୍ୟନ୍ତ ଲିଜ୍‌ ଦିଆଯାଇଥିଲା। ଅନ୍ୟପକ୍ଷରେ ସତ୍ୟଭାମା ପାଗଡ଼ ସୂଚନା ଅଧିକାର ବଳରେ ତଥ୍ୟ ପାଇବା ପରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଶ୍ରୀମତୀ ପାଗଡ଼ଙ୍କ ଅଭିଯୋଗ ମୁତାବକ, ସରିପୁର ଗ୍ରାମରେ ଏକାଧିକ ମହିଳା ମଣ୍ତଳ ଥିବା ବେଳେ ନିଲାମ କରାନଯାଇ ଉକ୍ତ ମହିଳା ମଣ୍ତଳକୁ ଲିଜ୍‌ରେ ଦିଆଯାଇଛି। ଅଠାନ୍ତର ସରପଞ୍ଚ ଉକ୍ତ ମହିଳା ମହାମଣ୍ଡଳର ସଭାପତି ଥିବାରୁ ଚଞ୍ଚକତା କରି ଏହି ଲିଜ୍‌ ଦିଆଯାଇଛି ‌ବୋଲି ସେ ଅଭିଯୋଗ କରିଛନ୍ତି। ସୁଭଦ୍ରା ମହିଳା ମଣ୍ତଳର ସମ୍ପାଦିକା ସବିତା ଲେଙ୍କା କହିଛନ୍ତି, ମାଛଚାଷ କରିବା ପାଇଁ ପଞ୍ଚାୟତରୁ ଲିଜ୍‌ ଅଣାଯାଇଛି। ଯଦି କୋର୍ଟଙ୍କ ନିର୍ଦ୍ଦେଶ ଆସେ ଆମେ ତାହାକୁ ପାଳନ କରିବୁ। ଅଠାନ୍ତର ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ଅରୁନ୍ଧତୀ ନାୟକ କୁହନ୍ତି, ସରକାରଙ୍କ ତରଫରୁ ମିଳିଥିବା ତଥ୍ୟକୁ ଭିତ୍ତି କରି ଉକ୍ତ ମହିଳା ମଣ୍ତଳକୁ ଲିଜ୍‌ ଦିଆଯାଇଛି।

ସମ୍ବନ୍ଧିତ ଖବର