ଓଲିଉଡ୍‌ରେ ପୁଣି କାଷ୍ଟିଂ କାଉଚ୍!

ଅଭିଯୋଗ ଆଣିଲେ ବଙ୍ଗୀୟ ଅଭିନେତ୍ରୀ ଏଲସା, ଅଭିଯୋଗ ଭିତ୍ତିହୀନ: ନିର୍ଦେଶକ ଦିଲ୍ଲୀପ ପଣ୍ଡା

ଭୁବନେଶ୍ବର: ଓଲିଉଡ୍‌ରେ ପୁଣି କାଷ୍ଟିଂ କାଉଚ୍‌ ଅଭିଯୋଗ। ଜଣେ ନବାଗତା ନାୟିକା ଓଡ଼ିଆ ନିର୍ଦେଶକଙ୍କ ବିରୋଧରେ ଆଣିଛନ୍ତି ଏଭଳି ଅଭିଯୋଗ। ବଙ୍ଗୀୟ ଟେଲି ଅଭିନେତ୍ରୀ ଏଲସା ଘୋଷ ବୁଧବାର ନୂଆ ଓଡ଼ିଆ ସିନେମା ‘ତୁ‌ ମୋ ସୁନା ଚଢ଼େଇ’ର ଅଡିଓ ରିଲିଜ୍ କାର୍ଯ୍ୟକ୍ରମରେ ନିର୍ଦେଶକ ଦିଲ୍ଲୀପ୍ ପଣ୍ଡାଙ୍କ ବିରୋଧରେ ନିର୍ଯାତନାର ଅଭିଯୋଗ ଆଣିବା ସହ ସୁଟିଂ ବେଳେ ତାଙ୍କ ସହ ଘଟିଥିବା ବିଭିନ୍ନ ଘଟଣାକୁ ଗଣମାଧ୍ୟମ ସମ୍ମୁଖରେ ବଖାଣିଛନ୍ତି। ଏହାକୁ ନେଇ ଆଜି ଦିନ ତମାମ ଓଲିଉଡ୍‌ରେ ହଇଚଇ ସୃଷ୍ଟି ହୋଇଛି। ଅଭି‌ନେତ୍ରୀ ଏଲ୍‌ସା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଦିଲ୍ଲୀପ ପଣ୍ଡା ‌ମୋତେ ଯେତେବେଳେ ଏହି ଫିଲ୍ମ ପାଇଁ କହିଥିଲେ ମୁଁ ମନା କରିଥିଲି। ସେ ସମୟରେ ଗୋଟେ ସାଉଥ୍ ଫିଲ୍ମ ଥିବାରୁ ଏହାର ସୁଟିଂ ପାଇଁ ସମୟ ନଥିଲା। କିନ୍ତୁ ସେତେବେଳେ ଆମର ଯେଉଁ ଦୁଇଜଣ ଏଡିଟର୍‌ ଥିଲେ, ସେମାନେ ମତେ ଫୋନ୍ କରି ବୁଝାଇଥିଲେ। କହିଥିଲେ ଏହା ଗୋଟେ ଭଲ ପ୍ରୋଜେକ୍ଟ, ଏଥିରେ ହିରୋଇନ୍ ହେଲେ ଆମକୁ ଭଲ ଲାଗିବ। ସେମାନଙ୍କ ପାଇଁ ମୁଁ ଏ ଫିଲ୍ମ କରିଥିଲି। ନିର୍ଦ୍ଦେଶକ ଶ୍ରୀ ପଣ୍ଡା ସମସ୍ତଙ୍କ ଆଗରେ ଗାଳି ଦିଅନ୍ତି। ଧମକ ଦିଅନ୍ତି। ସେଟ୍‌କୁ ଆସିବା ପରେ ସେ କେବେ ମୋତେ ପଚାରନ୍ତି ନାହିଁ। ମୋ’ଠାରୁ କେମିତି ଅଭିନୟ ଚାହୁଁଛନ୍ତି ସେ ବିଷୟରେ କେବେ କହନ୍ତିନି। ତାଙ୍କ ଆସିଷ୍ଟାଣ୍ଟଙ୍କୁ ପଠେଇ ଦିଅନ୍ତି। ଫିଲ୍ମରେ ମୋର ୪ଟି ଗୀତ ରହିବ ବୋଲି କହିଥିଲେ। କିନ୍ତୁ ସେଥିରୁ ଗୋଟେ କମର୍ସିଆଲ୍ ଗୀତ କାଟିି ଅନ୍ୟ ଜଣେ ହିରୋଇନ୍‌କୁ ଦେଇଦେଲେ। କ୍ଲାଇମାକ୍ସ ସିନ୍ କାଟିଦେଲେ। ଷ୍ଟୋରି କମ୍ପ୍ରମାଇଜ୍ କରି ପୂରା ବଦଳେଇ ଦେଲେ। ଜଣେ ଝିଅକୁ କେମିତି ସମ୍ମାନ ଦିଆଯାଏ ତାଙ୍କୁ ଜଣା ନାହିଁ। ସେ ନିଶାସକ୍ତ ଅବସ୍ଥାରେ ମେକପ୍‌ ରୁମ୍‌ରେ ଗାଳି ଦିଅନ୍ତି। ମତେ ଛୁଇଁବାକୁ ଚେଷ୍ଟା କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଏଲସା ଆହୁରି ମଧ୍ୟ କହିଛନ୍ତି, ଦରକାର ପଡ଼ିଲେ ଏ ନେଇ ସେ ଆଇନ୍‌ର ଆଶ୍ରୟ ନେବେ।

ଏଲିସାଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି ନିର୍ଦେଶକ ଦିଲ୍ଲୀପ ପଣ୍ଡା। ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ ଅଭିଯୋଗର ସତ୍ୟତା ନାହିଁ। କୌଣସି ଗୀତ କଟାଯାଇନି। ବରଂ ସିନେମାର ଗୁରୁତ୍ବ ଦୃଷ୍ଟିରୁ ଗୀତଗୁଡ଼ିକୁ ପରବର୍ତୀ ସମୟରେ ରିଲିଜ୍‌ କରାଯିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ନାୟିକାଙ୍କୁ କୌଣସି ପ୍ରକାର ନିର୍ଯାତନା ଦିଆଯାଇନି। ଭଲ ହୋଟେଲ ଓ ବିମାନରେ ଯିବା ଆସିବାର ସୁବିଧା ଦିଆଯାଇଥିଲା। ଯେହେତୁ ଚଳଚ୍ଚିତ୍ରରେ ଗ୍ରାଫିକ୍ସ, ସାପର ଅଭିନୟ ଥିଲା। ତେଣୁ ୩୦ ଦିନ ବଦଳରେ ୪୫ ଦିନ ସମୟ ଲାଗିଲା। ଯଦି ଅଭିନେତ୍ରୀଙ୍କୁ ଅସଦାଚରଣ ‌ହୋଇଥିଲା ତେବେ ଅଡିଓ ରିଲିଜ୍‌ ପୂର୍ବରୁ କିମ୍ବା ଅନ୍ୟ କୌଣସି ପ୍ରେସ୍‌ ସମ୍ମିଳନୀରେ ଅଭିଯୋଗ କରିପାରିଥାନ୍ତେ ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଓଲିଉଡ୍‌ର କେତେଜଣ ଜଣାଶୁଣା ନିର୍ଦେଶକ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଗତକାଲି ଚଳଚ୍ଚିତ୍ର ‘ତୁ‌ ମୋ ସୁନା ଚଢ଼େଇ’ର ଅଡିଓ ରିଲିଜ୍ ହେଉଥିବା ବେଳେ ଅଭିନେତ୍ରୀ ଏଲସା ଓ ନିର୍ଦେଶକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଦୀଲ୍ଲିପ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଥିଲେ। ପ୍ରାୟ ୩୦ ମିନିଟ୍‌ ପର୍ଯ୍ୟନ୍ତ ହୋଟେଲ ରଣକ୍ଷେତ୍ର ପାଲଟିଥିଲା। ପୁଲିସକୁ ଘଟଣା ସ୍ଥଳରେ ପହଞ୍ଚିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର