ଓଲିଉଡ୍‌ରେ କାଷ୍ଟିଂ କାଉଚ୍‌!

ଭୁବନେଶ୍ବର: ଓଲିଉଡ୍‌ରେ ପୁଣି କାଷ୍ଟିଂ କାଉଚ୍‌! ଏକ ହୋଟେଲ୍‌ରେ ଚାଲିଥିବା ଅଡିଓ ରିଲିଜ୍‌ ବେଳେ ଏହି ପ୍ରସଙ୍ଗ ସାମ୍ନାକୁ ଆସିଛି। ଜଣେ ନିର୍ଦ୍ଦେଶକ ମାନସିକ ନିର୍ଯାତନା ଦେଉଥିବା ନେଇ ନାୟିକା ଜଣଙ୍କ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ନେଇ ଅଭାବନୀୟ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ହୋଟେଲ ଚାରିକାନ୍ଥ ଭିତରେ ଏପରି ଘଟଣାକୁ ଚପେଇ ଦେବା ପାଇଁ ଉଦ୍ୟମ ହୋଇଛି। ହେଲେ ଏକ ଭିଡିଓ ଭାଇରାଲ ହୋଇଥିବାରୁ ଘଟଣା ପଦାକୁ ଆସିଛି। ନାୟିକା ଓ ନିର୍ଦ୍ଦେଶକ ସେଠାରେ ମୁହା‌ଁମୁହିଁ ହେବା ସହ କଥା ହାତାହାତି ପର୍ଯ୍ୟନ୍ତ ଯାଇଛି। ଉଭୟ ପ୍ରବଳ ହୋ ହଲ୍ଲା କରିଥିବା ଦେଖାଯାଇଛି। ଫିଲ୍ମରେ ଦୁଇଜଣ ନାୟିକା ରହିଛନ୍ତି। ସମ୍ପୃକ୍ତ ନାୟିକାଙ୍କର ୧୦ ପ୍ରତିଶତ ଦୃଶ୍ୟ କାଟି ଦିଆଯାଇଥିବା ବେଳେ ଏକ ଗୀତ ମଧ୍ୟ କାଟି ଦିଆଯାଇଛି। ମାନସିକ ଚାପରେ ଥାଇ ଶତପ୍ରତିଶତ କାମ କରିଥିଲେ ମଧ୍ୟ କାହିଁକି ଦୃଶ୍ୟ କାଟି ଦିଆଯାଇଛି ବୋଲି ପ୍ରଶ୍ନ ଉଠିବାରୁ ନାୟିକା ଜଣଙ୍କ ଏହାର ଉତ୍ତର କାଷ୍ଟିଂ କାଉଚ୍‌ ଆଡ଼କୁ ନେଇଛନ୍ତି। ଏହା ପରେ ଉଭୟ ମୁହାଁମୁହିଁ ହୋଇଥିବା ଦେଖାଯାଇଛି। କିଛି ଦିନ ବ୍ୟବଧାନରେ ଓଲିଉଡ୍‌ରେ କାଷ୍ଟିଂ କାଉଚ୍‌ ପ୍ରସଙ୍ଗ ସାମ୍ନାକୁ ଆସିଥିବାରୁ ଭିଡିଓଟି ଭାଇରାଲ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର