ରେଜଲ୍ଟ କ୍ରେଜ୍‌: ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ଫଳ

ଭୁବନେଶ୍ୱର: ଆଜି ସିବିଏସ୍‌ଇ ଦ୍ଵାଦଶ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଛି। ମଧ୍ୟାହ୍ନ ୧୨ଟାରେ ରେଜଲ୍ଟ ପ୍ରକାଶ ପାଇବାର ଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଆଜି କମ୍ପ୍ୟୁଟର୍‌ ସମ୍ମୁଖରେ ଜଗି ରହିଥିଲେ। ହେଲେ ରେଜଲ୍ଟ ପ୍ରାୟ ୨୦ମିନିଟ୍‌ ବିଳମ୍ବରେ ପ୍ରକାଶ ପାଇଥିଲା। ପ୍ରଥମେ ରେଜଲ୍ଟ ଜାଣିବା ପାଇଁ ଛାତ୍ରଛାତ୍ରୀମାନେ ଚାତକ ଭଳି କମ୍ପ୍ୟୁଟର ଆଗରେ ବସି ରହିଥିଲେ। ଆଉ େଓ୍ଵବସାଇଟ୍‌ରେ ରେଜଲ୍‌ଟ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭିନ୍ନ ଉତ୍ସାହ ଦେଖିବାକୁ ମିଳିଥିଲା। +୨ ମାର୍କ କ୍ୟାରିୟର୍‌ ଗଢ଼ିବାରେ ଗୁରୁତ୍ଵପୂର୍ଣ ଭୂମିକା ନିର୍ବାହ କରୁଥିବାରୁ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସେମାନଙ୍କ ଜୋର୍‌ ଲଗାଇଦେଇଥିଲେ। ଆଉ ଆଜି ହାତରେ ପରିଶ୍ରମର ଫଳ ପାଇ ବେଶ୍‌ ଖୁସି ଥିଲେ। କେତେକଙ୍କର ଗୋଟିଏ ଦୁଇଟି ବିଷୟରେ ମାର୍କ ଆଶାନୁରୂପ ରହି ନଥିବାରୁ ଦୁଃଖିତ ଥିବା ମଧ୍ୟ ଦେଖିବାକୁ ମିଳିଥିଲା ତ କେତେକ ଆଶାଠାରୁ ଅଧିକ ମାର୍କ ପାଇଥିବାରୁ ଖୁସିରେ ଆତ୍ମହରା ହୋଇଯାଇଥିଲେ।

ଆଜି ରେଜଲ୍ଟ ପ୍ରକାଶ ପାଉଥିବାରୁ ସ୍କୁଲର ପରିବେଶ ଟିକେ ନିଆରା ଥିଲା। ଛୁଟି ସତ୍ତେ୍ଵ କେତେକ ସ୍କୁଲରେ ଗହଳି ଚହଳି ଲାଗିଥିଲା। ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଦେଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସ୍କୁଲ କର୍ତୃପକ୍ଷ ରେଜଲ୍ଟ ଡାଉନଲୋଡ୍‌ କରି ଛାତ୍ରଛାତ୍ରୀଙ୍କୁ ଦେଉଥିବା ଦେଖିବାକୁ ମିଳିଥିଲା। ଆଉ ଛାତ୍ରଛାତ୍ରୀ ରେଜଲ୍ଟ ଜାଣିବା ପରେ କୋଲଡ୍ରିଙ୍କସ, ସାମ୍ପେନ୍‌ ଖୋଲି, ପରସ୍ପରକୁ ମିଠା ଖୁଆଇ ସେଲିବ୍ରେସନ୍‌ କରିଥିଲେ। ଚଳିତବର୍ଷ କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲର ବାଣିଜ୍ୟ ବିଭାଗର ଛାତ୍ରୀ ଋତୁ କୁମାରୀ ୯୯% ମାର୍କ ରଖି ଭୁବନେଶ୍ୱର ଟପର୍‌ ହେବା ସହିତ ରାଜ୍ୟ ଟପର୍‌ ତଥା ଭୁବନେଶ୍ୱର ଜୋନ୍‌ ଟପର୍‌ ହୋଇଥିବା ଜାଣିବାକୁ ମିଳିଛି।

ବିଭିନ୍ନ ସ୍କୁଲର ସଫଳତା

ସାଇ ଇଣ୍ଟରନ୍ୟାସନାଲ ସ୍କୁଲ: ସ୍କୁଲକୁ ଚଳିତବର୍ଷ ଅଦ୍ଭୁତପୂର୍ବ ସଫଳତା ମିଳିଛି। ପ୍ରଣବ ମାନୀ ବାଣିଜ୍ୟରେ ଶତକଡ଼ା ୯୮ ପ୍ରତିଶତ ନମ୍ବର ରଖି ସ୍କୁଲ ଟପର୍‌ ହୋଇଛନ୍ତି। ବିଜ୍ଞାନରେ ଅଶ୍ୱିନୀ ଆଚାର୍ଯ୍ୟ ୯୭.୪% ରଖିଥିବାବେଳେ ପାର୍ଥବୀ କାନୁନ୍‌ଗୋ ୯୬.୬% ରଖି କଳାରେ ସ୍କୁଲ ଟପର ହୋଇଛନ୍ତି। ପରୀକ୍ଷା ଦେଇଥିବା ୪୮୪ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୨.୨ ପ୍ରତିଶତ ପିଲା ୯୦% ରୁ ଅଧିକ ନମ୍ବର ରଖିଥିବା ବେଳେ ୮୯.୩% ଛାତ୍ରଛାତ୍ରୀ ୭୫%ରୁ ଅଧିକ ନମ୍ବର ରଖିଛନ୍ତି। ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ସ୍କୁଲ ଚେୟାରମ୍ୟାନ ଡ. ବିଜୟ କୁମାର ସାହୁ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ: ସ୍କୁଲକୁ ଶତପ୍ରତିଶତ ସଫଳତା ମିଳିଛି। ଋତୁ କୁମାରୀ ବାଣିଜ୍ୟରେ ୯୯ ପ୍ରତିଶତ ନମ୍ବର ରଖି ଭୁବନେଶ୍ୱର ଜୋନ୍‌ ଟପର୍‌ ହୋଇଛନ୍ତି। ବିଜ୍ଞାନରେ ସୋହନ ସ୍ୱାଇଁ ୯୭% ଏବଂ କଳାରେ ଆତ୍ମିକା ପଟ୍ଟନାୟକ ୯୬% ରଖିଛନ୍ତି। ସ୍କୁଲର ୩୦ ପ୍ରତିଶତ ଛାତ୍ରଛାତ୍ରୀ କଳା, ବାଣିଜ୍ୟ ଓ ବିଜ୍ଞାନରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ସ୍କୁଲର ଏହି ସଫଳତା ପରେ କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଡିଏଭି ଚନ୍ଦ୍ରଶେଖରପୁର: ସ୍କୁଲ ସାମଗ୍ରିକ ହାରାହାରି କ୍ଷେତ୍ରରେ ସବୁଠାରୁ ଅଧିକ ସଫଳତା ପାଇଛି। ବିଜ୍ଞାନରେ ୩୭୫ରୁ ୩୭୪ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୩୬୯ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୫୯ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ଏବି ସତ୍ୟପ୍ରକାଶ ଓ ସୋମନାଥ ଜେନା ୪୮୭ ମାର୍କ ସହ ସ୍କୁଲ ଟପର୍‌ ହୋଇଛନ୍ତି। ସେହିପରି ବାଣିଜ୍ୟରେ ୬୦ରୁ ୫୯ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ରାଘବ ଟେକାରିଓ୍ଵାଲ ୯୫.୨% ରଖି ବାଣିଜ୍ୟରେ ଟପର୍‌ ହୋଇଛନ୍ତି। ହ୍ୟୁମାନିଟିଜ୍‌ରେ ସମସ୍ତେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୮ଜଣରୁ ୧୭ଜଣ ପ୍ରଥମ ଶ୍ରେଣୀ ପାଇଛନ୍ତି। ବିଏନ୍‌ ଶ୍ରୀ ବିଶେଷା ୯୭.୪% ମାର୍କ ରଖି କଳାରେ ଟପର୍‌ ହୋଇଛନ୍ତି।

ଡିଏଭି ପୋଖରୀପୁଟ: ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ବିଜ୍ଞାନରେ ୧୮୪ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୦ଜଣ ୯୦% ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରତ୍ୟୁଷ ମିଶ୍ର ୯୬.୪୦% ରଖି ସ୍କୁଲ ଟପର୍‌ ହୋଇଛନ୍ତି।  ସେହିପରି ବାଣିଜ୍ୟରେ ୪୫ଜଣଙ୍କ ମଧ୍ୟରୁ ୯ଜଣ ୯୦%ରୁ ଅଧିକ ମାର୍କ ରଖିଛନ୍ତି। ସୁରାଗ ଦାଶ ୯୪% ରଖି ବାଣିଜ୍ୟ ଟପର୍‌ ହୋଇଛନ୍ତି।, ଆଶିଷ ଅମନ ୯୨.୮୦ ପ୍ରତିଶତ ଓ ଜଗନମୟ ପଟ୍ଟନାୟକ ୯୧.୪୦ ପ୍ରତିଶତ ରଖିଛନ୍ତି। ସ୍କୁଲର ଅଧ୍ୟକ୍ଷା ଡ. ସୁଜାତା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

 

ଡିଏଭି, ୟୁନିଟ-୮: ଏଥର ଚମକପ୍ରଦ ସଫଳତା ମିଳିଛି ସ୍କୁଲକୁ। ବିଜ୍ଞାନରେ ୩୦୦ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୨୯୯ଜଣ ପ୍ରଥମ ଶ୍ରେଣୀ ପାଇଛନ୍ତି। ସୋନାଲି ସୁମନ ୯୭.୨% ନମ୍ବର ରଖି ସ୍କୁଲ ଟପର୍‌ ହୋଇଛନ୍ତି। ଦେନିପ୍ରୀତ୍‌ କାଉର ଓ ଆର୍ଚ୍ଚି ବେଉରିଆ ବାଣିଜ୍ୟରେ ୯୭% ରଖି ଯୁଗ୍ମ ଭାବେ ପ୍ରଥମ ହୋଇଛନ୍ତି।  ହ୍ୟୁମାନିଟିଜ୍‌ରେ ୨ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ସଫଳତା ପାଇଁ  ସ୍କୁଲର ଭାରପ୍ରାପ୍ତ ଅଧ୍ୟକ୍ଷା ମମତା ବାନାର୍ଜୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଟାଇମ୍ସ ଗୁରୁକୁଳ:  ଟାଇମ୍ସ ଗୁରୁକୁଳର ପ୍ରାୟ ସମସ୍ତ ଛାତ୍ରଛାତ୍ରୀ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ବାସୁଦେବ ଭାରତ ଭୂଷଣ ଓ ଦେବୀପ୍ରସାଦ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ଏହି ସଫଳତା ପାଇଁ ଅନୁଷ୍ଠାନର ଚେୟାରମ୍ୟାନ୍‌ ସାରଦା ମିଶ୍ର ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ମଦର୍ସ ପବ୍ଲିକ ସ୍କୁଲ: ୟୁନିଟ-୧ସ୍ଥିତ ମଦର୍ସ ପବ୍ଲିକ ସ୍କୁଲର ବିଜ୍ଞାନରେ ୧୭୨ଜଣ ଶତକଡା ୯୦ ପ୍ରତିଶତରୁ ଊର୍ଧ୍ୱ ନମ୍ବର ରଖିଛନ୍ତି। ଏଥିରେ ଆରୁଷି କୋଲାନା ଓ ସମୀକ୍ଷା ମହାପାତ୍ର ୯୭.୬ ପ୍ରତିଶତ ନମ୍ବର ଏବଂ ବାଣିଜ୍ୟରେ ଆୟୁଷ ଭରତିଆ ୯୭.୬ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟ ଟପର୍‌ ହୋଇଛନ୍ତି। ସ୍କୁଲର ଅଧ୍ୟକ୍ଷା ପଲ୍ଲୀ ପଟ୍ଟନାୟକ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଗୌରୀଶଙ୍କର ଆବାସିକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ: ବିଦ୍ୟାଳୟର ସଫଳତାର ହାର ୯୧%। ୫ଜଣ ୯୦% ଉପରେ ମାର୍କ ରଖିଥିବା ବେଳେ ୨୪ଜଣ ୮୦% ଉପରେ ମାର୍କ ରଖିଛନ୍ତି। ଅଙ୍କିତା ପ୍ରୀତମ୍‌ ୯୩% ମାର୍କ ସହ ପ୍ରଥମ ହୋଇଛନ୍ତି।

ଡିଏଭି କଳିଙ୍ଗନଗର: ସ୍କୁଲର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ବିଜ୍ଞାନରେର ୯୮.୬୩% ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନରେ ସାଇ ସ୍ୱରୂପ ମହାନ୍ତି ୯୬.୪%ନମ୍ବର ସ୍କୁଲ ଟପର୍‌ ହୋଇଛନ୍ତି। ସେହିପରି ବାଣିଜ୍ୟରେ ଶତପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି। ଅନୁଷ୍ଠାନର ଅଧ୍ୟକ୍ଷ ବିପିନ୍‌ କୁମାର ସାହୁ ଓ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସେଣ୍ଟ ଜାଭିୟର୍ସ ହାଇସ୍କୁଲ, କେଦାରଗୌରୀ: ସ୍କୁଲର ୧୩୪ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୩୦ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଶ୍ରୀଚନ୍ଦନ ଦାସ ସର୍ବାଧିକ ୯୮% ମାର୍କ ରଖିଥିବା ବେଳେ ୧୬ଜଣ ଛାତ୍ରଛାତ୍ରୀ ୯୦% ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି ସ୍କୁଲ ଉପାଧ୍ୟକ୍ଷ ତପନ କୁମାର ଶତପଥୀ ସୂଚନା ଦେଇଛନ୍ତି।

କେନ୍ଦ୍ରୀୟ ବିଦ୍ୟାଳୟ-୨: ଏଥର ଅଦ୍ଭୁତପୂର୍ବ ସଫଳତା ପାଇଛି ସ୍କୁଲ। ୧୭ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ପାସ୍‌ କରିଛନ୍ତି। ଶିବ ସ୍ମାରକ ପାଣିଗ୍ରାହୀ ୯୮.୬ ପ୍ରତିଶତ ନମ୍ବର ରଖି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନରେ ସମସ୍ତ ବିଭାଗରେ ତୃତୀୟ ସ୍ଥାନ ହାସଲ ଅଧିକାର କରିଛନ୍ତି। ଏହାସହ ସେ ଭୁବନେଶ୍ୱର ଜୋନ୍‌ର ବିଜ୍ଞାନ ଟପର୍‌ ହୋଇଥିବା ସ୍କୁଲ ଅଧ୍ୟକ୍ଷ ଅଞ୍ଜନ ଖଟୁଆ ଜଣାଇଛନ୍ତି।

ବିଜେଇଏମ୍‌-୨: ସ୍କୁଲର ୩୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୧୩ଜଣ ପ୍ରଥମ ଶ୍ରେଣୀରେ, ୪ଜଣ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ରତୁଲ ସାମନ୍ତ ୭୭.୪% ମାର୍କ ରଖି ସ୍କୁଲ ଟପର୍‌ ହୋଇଛନ୍ତି।

ସେଣ୍ଟ ଜାଭିୟର ହାଇସ୍କୁଲ, ଖଣ୍ଡଗିରି: ୧୫ଜଣ ଛାତ୍ରଛାତ୍ରୀ ୯୦% ମାର୍କରୁ ଅଧିକ ରଖିଥିବା ବେଳେ ୭୨ଜଣ ୭୦% ଅଧିକ ରଖିଛନ୍ତି। ଆଦିତ୍ୟ ପଟ୍ଟନାୟକ ୯୪.୮% ମାର୍କ ରଖି ସ୍କୁଲ ଟପର୍‌ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ସ୍କୁଲର ଅଧ୍ୟକ୍ଷା ରଞ୍ଜିତା ମଲ୍ଲ ଓ ମ୍ୟାନେଜର ବିବେକ ଭୁୟାଁ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଓଡିଏମ୍‌: ବାଣିଜ୍ୟରେ ଅଂଶୁମାନ ଡି.ରାଜ ୯୮% ରଖି ସ୍କୁଲ ଟପର୍‌ ହୋଇଛନ୍ତି। ବିଜ୍ଞାନରେ ପ୍ରୀତିଶ୍‌ ପ୍ରିୟୋତୋଷ ନାୟକ ଏବଂ ତନିଷା ବେହୁରା ୯୬ପ୍ରତିଶତ ନମ୍ବର ରଖି ସ୍କୁଲ ଟପର ହୋଇଛନ୍ତି। ସ୍କୁଲର ୮୦% ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୫% ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ରଖି ସଫଳତା ପାଇଛନ୍ତି। ବିଦ୍ୟାଳୟର ଏହି ସଫଳତା ପାଇଁ ପ୍ରତିଷ୍ଠିତ ଅଧ୍ୟକ୍ଷ ଡ.ସତ୍ୟବ୍ରତ ମୀନକେତନ ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

କେନ୍ଦ୍ରୀୟ ବିଦ୍ୟାଳୟ-୧: ସ୍କୁଲ୍‌ର ଦୁଇ ସିଫ୍ଟରେ ୩୩୪ଜଣ ପରୀକ୍ଷା ଦେଇଥିବାବେଳେ ପାସ୍‌ହାର ୯୮.୨୦% ରହିଛି। ବିଜ୍ଞାନରେ ପାସ୍‌ହାର ୯୭.୨୨% ହୋଇଛି।  ସ୍ମିଗ୍ଧା ମାର୍ଥା ୯୬.୬୦% ମାର୍କ ରଖି ସ୍କୁଲ୍‌ ଟପର୍‌ ହୋଇଛନ୍ତି।  ବାଣିଜ୍ୟ ଏବଂ ଏଫ୍‌ଏମ୍‌ଏମ୍‌ରେ ପାସ୍‌ହାର ୧୦୦% ଓ ହ୍ୟୁମାନିଟିଜ୍‌ରେ ପାସ୍‌ହାର ୯୬.୬୦% ହୋଇଛି। ସଫଳତା ପାଇଁ ଅଧ୍ୟକ୍ଷ ଆର୍ତ୍ତତ୍ରାଣ ମିଶ୍ର ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

 

ସମ୍ବନ୍ଧିତ ଖବର