ପୂଜା ପାଇଲେ ମା’ କାଳୀ

ଭୁବନେଶ୍ୱର: ଝିପିଝିପି ବର୍ଷାରେ ମହାକାଳୀଙ୍କୁ ସ୍ୱାଗତ କରିଛନ୍ତି ରାଜଧାନୀବାସୀ। ପୂଜା ଯଥାବିଧି ଅନୁଷ୍ଠିତ ହେଉଥିଲେ ହେଁ ମେଳା ଜମିନି। ତେବେ ମା’ଙ୍କୁ ଦର୍ଶନ ପାଇଁ ପୂଜାସ୍ଥଳରେ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ଶକ୍ତିର ଆଧାର ମା କାଳୀଙ୍କର ପୂଜାର୍ଚନା ଓ କିଛି ସ୍ଥାନରେ ମା’ଙ୍କ ଭିନ୍ନଭିନ୍ନ ରୂପକୁ ଦର୍ଶନ ପାଇଁ ମନ୍ଦିରରେ ଭିଡ଼ ଲାଗୁଛି। କାଳୀମନ୍ଦିରମାନଙ୍କରେ ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରୁଛନ୍ତି। ମଧୁକୈଟବ ଓ ସମରାସୁରକୁ ସଂହାର କରି ପୃଥିବୀକୁ ରାକ୍ଷସଙ୍କ କବଳରୁ ମୁକ୍ତି ଦେଇ ମା’ ନାରୀ ଶକ୍ତିର ପରାକାଷ୍ଠା ଦେଖାଇ ଯୁଦ୍ଧର ଦେବୀ ଭାବେ କିଛି ମଣ୍ଡପରେ ମଧ୍ୟ ବିରାଜମାନ କରିଛନ୍ତି। ବିଶେଷକରି ସତ୍ୟନଗରର ସତ୍ୟକାଳୀ ମନ୍ଦିର, ୬ ନମ୍ବରର ରକ୍ଷାକାଳୀ ମନ୍ଦିର, ବରମୁଣ୍ଡାର ଦକ୍ଷିଣକାଳୀ ମନ୍ଦିର, ସହିଦନଗର ପୂଜା ମଣ୍ଡପ ସମେତ ସୈନିକ ସ୍କୁଲ୍‌ ନିକଟ କାଳୀମନ୍ଦିର ଏବଂ ବଡ଼ଗଡ଼ରେ ମଧ୍ୟ କାଳୀପୂଜା ଅନୁଷ୍ଠିତ ହେଉଥିବା ବେଳେ ଏହି ନିର୍ଦିଷ୍ଟ ସ୍ଥାନରେ ଜନତା ଭିଡ଼ ଜମାଉଛନ୍ତି। କେଉଁଠି କେଉଁଠି କାଳୀପୂଜାରେ ବ୍ୟାପକ ଆଡ଼ମ୍ବର ସହ ମୀନାବଜାର ଓ ମେଳା ପାଇଁ ଆୟୋଜନ କରାଯାଉଛି।

ସତ୍ୟନଗରସ୍ଥିତ ସତ୍ୟକାଳୀ ପୀଠରେ ମା’ ଦଶ ମହାବିଦ୍ୟା ବେଶରେ ଭୂଷିତ ହୋଇ ଦର୍ଶନ ଦେଉଛନ୍ତି। ବିଭିନ୍ନ ରାଶି ଓ ଗ୍ରହ ଅନୁଯାୟୀ ମା’ଙ୍କ ବେଶ ଅନୁଷ୍ଠିତ ହେଉଛି। ଗତକାଲି ମା’ଙ୍କ ମହାକାଳୀ ବେଶ ହୋଇଥିବା ବେଳେ ଆଜି ଧନୁ ଓ ମୀନରାଶି ପାଇଁ ଉଦ୍ଦିଷ୍ଟ ତାରାବେଶକୁ ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି। ଶ୍ରୀଶ୍ରୀ ସତ୍ୟକାଳୀ ମନ୍ଦିର ପରିଚାଳନା ସମିତି ପକ୍ଷରୁ ଆୟୋଜିତ ଏହି ପୂଜାରେ ସତ୍ୟନଗର ଶ୍ମଶାନ ପଡ଼ିଆରେ ମୀନାବଜାର ସହ ଦୋଳିର ଆୟୋଜନ କରାଯାଇଛି।

ବରମୁଣ୍ଡା ଗ୍ରାମସ୍ଥ ମା’ ଦକ୍ଷିଣକାଳୀ ଠାକୁରାଣୀଙ୍କ ପୀଠରେ ୩୮ତମ ମହାକାଳୀ ପୂଜା ଓ ବିଶ୍ୱଶାନ୍ତ ମହାଯଜ୍ଞ ଅନୁଷ୍ଠିତ ହୋଇଛି। ଶ୍ରୀଶ୍ରୀ ମା ଦକ୍ଷିଣକାଳୀ ମନ୍ଦିର ପରିଚାଳନା ସମିତି ସଭ୍ୟ ଓ ବରମୁଣ୍ଡା ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ଏହି ପୂଜାରେ ଅର୍ଧରାତ୍ରିରେ ଶ୍ୟାମାକାଳୀ ପୂଜା ପରେ ଆଜି ରାମେଶ୍ୱର ଭଜନ ସନ୍ଧ୍ୟା ସହ ପ୍ରସାଦ ସେବନ ଅନୁଷ୍ଠିତ ହୋଇଛି। ୟୁନିଟ୍‌ ୬ସ୍ଥିତ ମା ରକ୍ଷାକାଳୀଙ୍କ ପୀଠରେ ଅର୍ଧରାତ୍ରରେ ଯୋଗିନୀ ପୂଜା, ଯଜ୍ଞ, ପର୍ବଧୂପ, ବଳିଦାନ ଓ ୧୦୦୮ ବତୀ ଦାନ କରାଯାଇଥିଲା। ଆଜି ସକାଳ ୮ଟା ୫୦ ସୁଦ୍ଧା ଘଟ ବିସର୍ଜନ କରାଯାଇଛି। ସହିଦନଗର ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ମା କାଳୀଙ୍କ ପୂଜାର୍ଚନାର ପର୍ବ ଗତକାଲିଠୁ ଆରମ୍ଭ ହୋଇଥିବା ବେଳେ ଆଜି ମା’ଙ୍କ ଷୋଡ଼ଶ ଉପଚାର ପୂଜା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ମେଲୋଡ଼ି ଅନୁଷ୍ଠିତ ହୋଇଛି। ଏହାଛଡ଼ା ସହିଦନଗର ଯାତ୍ରା ପଡ଼ିଆରେ ମୀନାବଜାର ଓ ମେଳାର ବ୍ୟାପକ ଆୟୋଜନ ହୋଇଛି। ସେହିପରି ଅନାଥ ଶିଶୁଙ୍କୁ ଦୀପାବଳିର ଉପହାର ପ୍ରଦାନ କରାଯାଇଛି।

ସମ୍ବର୍ଦ୍ଧିତ ହେବେ ୨୩ ପୂଜା ସମିତି

ଭୁବନେଶ୍ୱର: ସହିଦନଗର ଦୁର୍ଗାପୂଜା ସମିତି ପକ୍ଷରୁ କାଳୀପୂଜା ମହୋତ୍ସବ-୨୦୧୭ ସହିଦନଗର ଦୁର୍ଗାମଣ୍ଡପ ପଡ଼ିଆରେ ଆରମ୍ଭ ହୋଇଛି। ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ୨୩ଟି ଦୁର୍ଗା ପୂଜା ସମିତିର ସଭାପତି ଓ ସମ୍ପାଦକ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ୯ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବର ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଷ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସାମ୍ବାଦିକ ସମ୍ମଳନୀରେ ସୂଚନା ଦିଆଯାଇଛି।

ଉତ୍ସବର ମୁଖ୍ୟ ଉଦେଶ୍ୟ ସମସ୍ତ ପୁଜା ମଣ୍ଡପ ସହ ଭାଇଚାରା ସୃଷ୍ଟି କରିବା ଓ ଲୋକମାନଙ୍କ ମଧ୍ୟରେ ଗ୍ରିନ୍‌ ଦୀପାବଳି ପାଳନର ବାର୍ତ୍ତା ବାଣ୍ଟିବା। ପରିବେଶ ସୁରକ୍ଷା ପାଇଁ ବାଣ ଫୁଟାଇବା ବଦଳରେ ଗଛଟେ ଲଗାଇବାର ଶପଥ ନେବା ବୋଲି ଅନୁଷ୍ଠାନ ପକ୍ଷରୁ ଦୁର୍ଗାମଣ୍ଡପ ପଡ଼ିଆରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଜଗନ୍ନାଥ ମହାପାତ୍ର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସମିତିର ସଦସ୍ୟ ଗୋପବନ୍ଧୁ ରଥ, ସଚ୍ଚିଦାନନ୍ଦ ରଥ, ନାରାୟଣ ମହାପାତ୍ର, ହରିଶ ପ୍ରସାଦ ରଥ ଓ ଉମାନାଥ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର