ଖୋର୍ଧାରେ ଖୋଲିବ ଦକ୍ଷତା ବିକାଶ ପ୍ରତିଷ୍ଠାନ

ଆଜୀବିକା ଓ କୌଶଳ ମେଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଖୋର୍ଧା: ରାଜ୍ୟର ଯୁବପିଢ଼ିଙ୍କର ଦକ୍ଷତା ବିକାଶ ପାଇଁ ବରୁଣେଇ ପାହାଡ଼ ତଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ହାଇଡ୍ରୋକାର୍ବନ୍‌ କ୍ଷେତ୍ରରେ ୫୦୦ କୋଟି ଟଙ୍କାରେ ଏକ ଦକ୍ଷତା ବିକାଶ ପ୍ରତିଷ୍ଠାନ ପ୍ରତିଷ୍ଠା କରାଯିବ। ସ୍ଥାନୀୟ ହାବେଳୀ ପଡ଼ିଆଠାରେ ଆଜି ସନ୍ଧ୍ୟାରେ ଆୟୋଜିତ ଗ୍ରାମ ସ୍ୱରାଜ ଅଭିଯାନ ଅନ୍ତର୍ଗତ ‘ଆଜୀବିକା ଓ କୌଶଳ ମେଳା’ରେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏହା କହିିଛନ୍ତି। ଏଥି ସହିତ ଏଥିପାଇଁ ରାଜ୍ୟ ସରକାର ୬୦ ଏକର ଜମି ଯୋଗାଇ ଦେଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ। ସେହିପରି ଗରିବ ଛାତ୍ରଛାତ୍ରୀମାନଙ୍କ ଦକ୍ଷତାର ବିକାଶ ପାଇଁ ଜଟଣୀର ନାଇଜର ନିକଟରେ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ସ୍କିଲସ୍‌ (ଆଇଆଇଏସ୍‌) ପ୍ରତିଷ୍ଠା କରାଯାଉଛି। କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୫ଶହ କୋଟି ଟଙ୍କା ବ୍ୟୟରେ ଏହା ପ୍ରତିଷ୍ଠା କରାଯିବ। ଏଥିପାଥିଁ ୨୫ ଏକର ଜାଗା ମଧ୍ୟ ଚିହ୍ନଟ କରାଯାଇଥିବା ବିଷୟ କେନ୍ଦ୍ର ମନ୍ତ୍ରୀ କରିଛନ୍ତି। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଦକ୍ଷତା ବିକାଶ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ମେଳାରେ ପ୍ରାୟ ୧ ହଜାର ଯୁବପିଢ଼ିଙ୍କୁ ନିଯୁକ୍ତିପତ୍ର ପ୍ରଦାନ ବିଷୟ ଘୋଷଣା କରାଯାଇଥିଲା। ସେମାନଙ୍କ ମଧ୍ୟରୁ କେତେକଙ୍କୁ ସଭାରେ ଶ୍ରୀ ପ୍ରଧାନ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଦକ୍ଷତା ମନ୍ତ୍ରଣାଳୟର ଯୁଗ୍ମ ସଚିବ ରାଜେଶ ଅଗ୍ରୱାଲ, ଜାତୀୟ ଦକ୍ଷତା ବିକାଶ କାଉନସିଲ୍‌ର ପରିଚାଳନା ନିର୍ଦେଶକ ମନୀଶ କୁମାର, ୟୁକୋ ବ୍ୟାଙ୍କର ଜିଏମ୍‌ ବିପି ସାମନ୍ତରାୟ, ହାଇଡ଼୍ରୋକାର୍ବନ ସେକ୍ଟର ସ୍କିଲ କାଉନସିଲର ସିଇଓ ବିଶ୍ୱଜିତ ରାୟ, ଆଇଓସିଏଲର ମାନବ ସମ୍ବଳ ନିର୍ଦେଶକ ରଂଜନ କୁମାର ମହାପାତ୍ର, ପାୱାର ସେକ୍ଟର ସ୍କିଲ କାଉନସିଲର ସିଇଓ ବିନୋଦ ବିହାରୀ, ଗ୍ରିନ ଜବସ୍‌ର ସିଇଓ ଭିକେ ସାକସେନା ଏବଂ ଏସ୍‌ଡିଆଇର ନିର୍ଦେଶକ ଏନ୍‌ ଏନ୍‌ ରାଓ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର