ସେସୁ-ଫେଡ୍‌କୋ ଭିଡ଼ାଭିଡ଼ି : ଫେଡ୍‌କୋ କର୍ମଚାରୀଙ୍କୁ ଅଟକ, ଏନ୍‌ଏଚ୍‌ ଅବରୋଧ ଉଦ୍ୟମ

ଖଣ୍ଡଗିରି : ସେସୁ, ଫେଡ୍‌କୋ ଭିଡ଼ାଭିଡ଼ି ମଧ୍ୟରେ କମିସନରେଟ୍‌ ପୁଲିସର ନିଷ୍କ୍ରିୟତାକୁ ଦାୟୀ କରି ଆଜି ଦିନତମାମ ଯାଁଳାରେ ଉତ୍ତେଜନା ପ୍ରକାଶ ପାଇଥିଲା। ତୁରନ୍ତ ବିଦ୍ୟୁତ୍ ସଂଯୋଗ ଦାବି କରି ଉତ୍ତ୍ୟକ୍ତ ଲୋକେ ଫେଡ୍‌କୋ କର୍ମଚାରୀମାନଙ୍କୁ ଅଟକ ରଖିବା ସହ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ ଉଦ୍ୟମ କରିଥିଲେ। ମାତ୍ର ଆଜି ରାତି ସୁଦ୍ଧା ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଗତକାଲି ଯାଁଳା ପଞ୍ଚାୟତର ବହୁ ଅଞ୍ଚଳରେ ବିଦ୍ୟୁତ୍ ମରାମତି କାମ ସରିଥିଲା। ମୁଣ୍ଡମୁହାଁଣ, ଓଗାଳପଡ଼ା ଓ ଯାଁଳା ଗାଁକୁ ରାତି ସୁଦ୍ଧା ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି କଥା ଥିଲା। ମାତ୍ର ରାତି ୧୦ଟା ବେଳକୁ ସେସୁ ଓ ଫେଡ୍‌କୋ ଅଧିକାରୀମାନଙ୍କ ମଧ୍ୟରେ ତାଳମେଳ ନ ରହିବାରୁ ବିଦ୍ୟୁତ୍ ସଂଯୋଗ ହୋଇପାରିଲା ନାହିଁ। ଫେଡ୍‌କୋ ଏଲ୍‌ଟି ଲାଇନ୍ କ୍ଲିଅରାନ୍‌ସ ଦେଇପାରିଲା ନାହିଁ ବୋଲି ସେସୁ ପକ୍ଷରୁ ଅଭିଯୋଗ କରାଯିବା ବେଳେ ଫେଡ୍‌କୋ ପାଲଟା ଦୋଷ ସେସୁ ଉପରେ ଲଦିଥିଲା। ‌ତେଣୁ ଆଜି ସକାଳୁ ଉତ୍ତ୍ୟକ୍ତ ଲୋକେ ଫେଡ୍‌କୋ କାର୍ଯ୍ୟାଳୟ ଘେରାଉ କରିବା ସହ କନିଷ୍ଠ ଯନ୍ତ୍ରୀ ଓ ଅନ୍ୟ କର୍ମଚାରୀମାନଙ୍କୁ ଅଟକ ରଖିଥିଲେ। ଯାଁଳା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିଥିଲା ଓ ଦୁଇ ବିଭାଗ ପକ୍ଷରୁ ଆଜି ଅପରାହ୍ଣ ୫ଟା ସୁଦ୍ଧା ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଲୋକେ ଆନ୍ଦୋଳନରୁ ଓହରିଥିଲେ।

ତେବେ ରାଧାଚରଣପୁରରେ ଚାଲିଥିବା ମରାମତି କାମରୁ କିଛି ଶ୍ରମିକଙ୍କୁ ଅନ୍ୟତ୍ର ପଠାଇବା ଯୋଗୁଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ରାଧାଚରଣପୁର ଗ୍ରାମବାସୀମାନେ ଯାଁଳାକୁ ଯାଇଥିବା ୩୩କେଭି ଲାଇନ୍ ବିଚ୍ଛିନ୍ନ କରିଦେଇଥିଲେ। ତେଣୁ ଆଜି ଯାଁଳା ମୁଣ୍ଡମୁହାଁଣକୁ ଲାଇନ୍ ଆସିବା ବନ୍ଦ ହୋଇଯିବା ଆଶଙ୍କା କରି ପୁଣି ଦୁଇ ଗାଁ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସେମାନେ ଅପରାହ୍ଣ ୪ଟାରେ ସେସୁ କାର୍ଯ୍ୟାଳୟ ଘେରାଉ କରିଥିଲେ। ରାଧାଚରଣପୁରରେ ୩୩ କେଭି ଲାଇନ୍‌ କାଟିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଲୋକେ ଯାଁଳା ଫାଣ୍ଡି ପୁଲିସ ବିରୋଧରେ ନାରାବାଜି କରିଥି‌ଲେ। ଏମିତିକି ସେସୁ ଓ ଫେଡ୍‌କୋ ଅଧିକାରୀମାନେ କିଛି ଶିଳ୍ପପତିମାନଙ୍କୁ ଆଗ ବିଦ୍ୟୁତ୍ ସଂଯୋଗ ଦେବାକୁ ଏଭଳି ହୀନ ଚକ୍ରାନ୍ତ କରୁଥିବା ଅଭିଯୋଗ କରିଥିଲେ। ଏତିକିବେଳେ କିଛି ଲୋକ ୧୬ନମ୍ବର ଜାତୀୟ ରାଜପଥ ଅବରୋଧ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ସ୍ଥାନୀୟ ଭଦ୍ରଲୋକମାନେ ସେମାନଙ୍କୁ ବୁଝାଶୁଝା କରି ସେଥିରୁ ନିବୃତ୍ତ କରାଇଥି‌ଲେ। ଖବର ପାଇ ଜଟଣୀ ଥାନା ଓ ଯାଁଳା ଫାଣ୍ଡି ପୁଲିସ ସେଠାରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ପରେ ରାଧାଚରଣପୁରରେ ଚାଲିଥିବା ବିଦ୍ୟୁତ୍ ମରାମତି କାମରେ ଅଧିକ ଶ୍ରମିକ ନିୟୋଜିତ କରାଇବାରୁ ସେମାନେ ଆନ୍ଦୋଳନରୁ ଓହରିଥିଲେ ଓ ୩୩ କେଭି ଲାଇନ୍‌ ପୁଣି ଯୋଡ଼ା ଯାଇଥିଲା। ରାତି ସୁଦ୍ଧା ଯାଁଳା, ମୁଣ୍ଡମୁହାଁଣ ଓ ଓଗାଳପଡ଼ା ଆଦି କିଛି ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି।

ସମ୍ବନ୍ଧିତ ଖବର