ପୁଲିସକୁ ଚ୍ୟାଲେଞ୍ଜ: ବରିଷ୍ଠ ନାଗରିକଙ୍କହାତଗୋଡ଼ ବାନ୍ଧି ଲୁଟିଲେ

ବନ୍ଧୁକ ଦେଖାଇ ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

ଚନ୍ଦ୍ରଶେଖରପୁର: ସମୟ ପ୍ରାୟ ସାଢ଼େ ଏଗାର। ନନ୍ଦନକାନନ-ଜୟଦେବ ବିହାର ମୁଖ୍ୟ ରାସ୍ତାରୁ ମାତ୍ର ୧୦୦ ମିଟର ଦୂର କାନନବିହାର ଫେଜ୍‌-୨ର ଏମ୍‌ଆଇଜି-୮ରେ ପହଞ୍ଚିଲେ ସଂଭ୍ରାନ୍ତ ପୋଷାକରେ ଥିବା ଦୁଇ ଜଣ ଦୁର୍ବୃତ୍ତ। ସ୍ପଷ୍ଟ ଦିବାଲୋକରେ ଶହ ଶହ ଲୋକଙ୍କ ଉପସ୍ଥିତିରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା। ଆଉ ସବୁଠାରୁ ଦୁର୍ଭାଗ୍ୟର ବିଷୟ ହେଲା ଯେ ଲୁଟ୍‌ ହୋଇଥିବା ଘରର ଅନତି ଦୂରରେ ଠିଆହୋଇଥିଲା ଇନଫୋସିଟି ଥାନାର ପିସିଆର୍‌ ଭ୍ୟାନ୍‌। ଦିନ ଦ୍ୱିପ୍ରହରରେ ରାଜଧାନୀର ଏକ ଜନଗହଳିପୂର୍ଣ୍ଣ ସ୍ଥାନରୁ ଏପରି ଲୁଟ୍‌ ହେବା ଘଟଣା ଚର୍ଚାର ବିଷୟ ହୋଇଛି। ଘଟଣା ଘଟିସାରିବା ପରେ ଇନଫୋସିଟି ଥାନା ଆଇଆଇସିଙ୍କ ସମେତ ସାଇଣ୍ଟିଫିକ୍‌ ଟିମ୍‌ ଓ ବରିଷ୍ଠ ପୁଲିସ୍‌ ଅଧିକାରୀ ଘଟଣାସ୍ଥଳରେ ସର୍‌ଜମିନ୍‌ ତଦନ୍ତ କରଛନ୍ତି। ଅନ୍ୟପକ୍ଷରେ ଲୁଟ୍‌ର ଶିକାର ହୋଇଥିବା ସୁବାସ ଚନ୍ଦ୍ର ନାୟକ ଏବଂ ତାଙ୍କ ପତ୍ନୀ ଲୁଟ୍‌ ସମ୍ପର୍କରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିବାକୁ ନାରାଜ। ପ୍ରାୟ ସବୁ ଘଟଣାକୁ ରଫାଦଫା ଓ ଆପୋସ ସମାଧାନ କରିବାରେ ଖ୍ୟାତି ରଖିଥିବା ଇନଫୋସିଟି ଥାନା ପୁଲିସ୍‌ ମଧ୍ୟ ଏହି ଲୁଟ୍‌ ଘଟଣାରେ ବିଚିତ୍ର ବ୍ୟବହାର କରିଛି। ସେହିପରି ପୁଲିସ୍‌ ପିସିଆର୍‌ ଉପସ୍ଥିତିରେ ହୋଇଥିବା ଏହି ଲୁଟ୍‌ ଥାନାର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଲୁଟେରାଙ୍କ ସମ୍ପର୍କରେ ତଦନ୍ତ ଚାଲିଛି: ପୁଲିସ୍‌
ପ୍ରଥମେ ଏହି ଘଟଣା ସମ୍ପର୍କରେ ଗଣମାଧ୍ୟଠାରୁ ଲୁଚେଇବାକୁ ଚେଷ୍ଟା କରୁଥିବା ଇନଫୋସିଟି ପୁଲିସ୍‌ କିନ୍ତୁ ପରେ ସତ ମାନିଥିଲା। ଲୁଟେରାମାନେ ଖୁଲମ୍‌ଖୁଲା ମୁଖ୍ୟ ରାସ୍ତାର ଏତେ ପାଖରୁ ପିସିଆର୍‌ ଉପସ୍ଥିତ ଥାଇ ମଧ୍ୟ ଏମିତି ଲୁଟ୍‌ କରିବା, ଇନଫୋସିଟି ଥାନାର ପାରିବାପଣିଆକୁ ପଦାରେ ପକାଇଛି। ତେଣୁ ଘଟଣାକୁ ଗୁରୁତର ସହିତ ନେଇ ଆଖପାଖରେ ଥିବା ସିସିଟିଭି ଫୁଟୁଜେ୍‌ ଓ ପଡ଼ୋଶୀମାନଙ୍କୁ ପଚରାଉଚରାକରି ଲୁଟେରାଙ୍କ ବିଷୟରେ ତଥ୍ୟ ହାସଲ କରିବା ନେଇ ଚେଷ୍ଟା ଚଳାଇଛି ପୁଲିସ୍‌। ସେହିପରି ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁରଙ୍କ ମଧ୍ୟ ସହାୟତା ନିଆଯାଇଛି। ତେବେ ଏହି ଘଟଣାରେ ଲୁଟେରାମାନଙ୍କୁ ଶୀଘ୍ର ଧରାଯିବା ବୋଲି ଜୋର୍‌ ଦେଇ କହିଛନ୍ତି ଆଇଆଇସି ବନିତା ମହାରଣା।

ଘର କବାଟ ବାଡ଼େଇ ଲୁଟିନେଲେ
ଦିନ ପ୍ରାୟ ସାଢ଼େ ଏଗାରଟା ବେଳେ ଘରର କବାଟରେ ଶବ୍ଦ ଶୁଣି ଦୁଆର ଖୋଲିଥିଲେ ଲୁଟ୍‌ର ଶିକାର ହୋଇଥିବା ସୁବାସ ଚନ୍ଦ୍ର ନାୟକଙ୍କ ପତ୍ନୀ। ଅତର୍କିତ ଭାବେ ଦୁଇଜଣ ଯୁବକ ତାଙ୍କ ମୁହଁକୁ ଚାପି ଧରି ଟେପ୍‌ ଲଗାଇ ଦେଇଥିଲେ। ପରେ କବାଟ ବନ୍ଦ କରି ଘରଭିତରକୁ ନେଇଯାଇ ହାତଗୋଡ଼ ବାନ୍ଧିଦେଇଥିଲେ। ଘରେ ଥିବା ସମସ୍ତ ସୁନା ଗହଣା ସମେତ ଟଙ୍କା ପଇସା ଚୁପ୍‌ଚାପ୍‌ ଦେଇଦେବାକୁ ବନ୍ଧୁକ ମୁନରେ ଧମକାଇଥିଲେ ଦୁଇ ଦୁର୍ବୃତ୍ତ। ଭୟରେ ଶ୍ରୀ ନାୟକ ଏବଂ ତାଙ୍କ ସ୍ତ୍ରୀ ସମସ୍ତ ସୁନାଗହଣା ସମେତ ଟଙ୍କା ସମ୍ପର୍କରେ ଲୁଟେରାଙ୍କୁ ସୂଚନା ଦେଇଥିଲେ। ଏହାପରେ ଘର ଆଲମାରି ଓ ଲକର୍‌କୁ ତାଡ଼ି ସେଥିରେ ଥିବା ପ୍ରାୟ ୬/୭ ଲକ୍ଷ ଟଙ୍କାର ସୁନା ଗହଣା ଓ ବହୁ ମୂଲ୍ୟବାନ୍‌ ଗୃହ ଉପକରଣ ସାମଗ୍ରୀ ସମେତ ଦଶ ହଜାରରୁ ଊର୍ଧ୍ୱ ଟଙ୍କାକୁ ଲୁଟ୍‌କରି ନେଇଯାଇଥିଲେ। ଅନେକ ସମୟ ପରେ ଦମ୍ପତି ନିଜ ମୁହଁରୁ ଟେପ୍‌ ହଟାଇ ଚିତ୍କାରକରିବାରୁ ପାଖ ପଡ଼ୋଶୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ। ଲୁଟ୍‌ ପରେ ଦୁଇ ଦୁର୍ବୃତ୍ତ ଦ୍ୱୟ ବ୍ୟାଗ୍‌ ଧରି ବାହାରକୁ ଆସିବା ଓ ଏକ ବାଇକ୍‌ରେ ଯିବା ପଡ଼ୋଶୀମାନେ ଦେଖିଥିବା ପ୍ରକାଶ କରିଛନ୍ତି। ମାତ୍ର କେହି ସମ୍ପର୍କୀୟ ଆସିଥିବେ ଭାବି କିଛି କହି ନଥିଲେ।

ଅସୁରକ୍ଷିତ ବରିଷ୍ଠ ନାଗରିକ
ରାଜଧାନୀରେ ବାସ କରୁଥିବା ବରିଷ୍ଠ ନାଗରିକଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବାକୁ କମିସନରେଟ୍‌ ପୁଲିସ୍‌ କହୁଥିଲେ ମଧ୍ୟ ବାସ୍ତବ ଚିତ୍ର ଯେ ଶୂନ୍‌ ତାହା ଆଜିର ଘଟଣା ପ୍ରମାଣିତ କରିଛି। ଲୁଟ୍‌ର ଶିକାର ହୋଇଥିବା ଶ୍ରୀ ନାୟକଙ୍କ ପିଲାମାନେ ବାହାରେ ରହୁଛନ୍ତି। ତାଙ୍କ ଘରେ ଭଡ଼ାରେ ରହୁଥିବା ପରିବାର ଏବଂ ପାଖ ପଡ଼ୋଶୀ ମଧ୍ୟ ଏହି ଘଟଣା ସମ୍ପର୍କରେ ଟେର୍‌ ପାଇ ନଥିଲେ। ଲୁଟେରାମାନେ ଦିନରେ ଏପରି ଘଟଣା ଘଟାଉଥିବାରୁ ପୁଲିସ୍‌ ପ୍ରତି ଯେ ସେମାନଙ୍କର ଭୟ ନାହିଁ ତାହା ପ୍ରମାଣିତ ହେଉଛି। ସେହିପରି ସେମାନଙ୍କ ଟାର୍ଗେଟ୍‌ ବରିଷ୍ଠ ନାଗରିକ ରହୁଥିବା ମଧ୍ୟ ପୁନର୍ବାର ପ୍ରମାଣିତ ହୋଇଛି।

ସମ୍ବନ୍ଧିତ ଖବର