ବନ୍ଦ ହୋଇପାରେ ଶୀତଳଷଷ୍ଠୀ

ପ୍ରଶାସନକୁ ଦାୟୀ କରି ଲିଖିତ ଜଣାଇଲେ ଦୁଇ ନିଯୋଗ

ପୁରୁଣା ଭୁବନେଶ୍ୱର: ଦେବୋତ୍ତର ବିଭାଗର ଉଦ୍ୟମ ଫେଲ୍‌ ମାରିଛି। ଶ୍ରୀ କପିଳେଶ୍ୱର ମନ୍ଦିରର ଦୁଇ ସେବାୟତ ଗୋଷ୍ଠୀଙ୍କ ବିବାଦର ସମାଧାନ ହୋଇପାରିନି। ଫଳରେ ଚଳିତ ବର୍ଷ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବା ନେଇ ଅନିଶ୍ଚିତତା ଦେଖା ଦେଇଛି। ହାଇକୋର୍ଟଙ୍କ ନିର୍ଦେଶ ପାଳନ ନହେଲେ ସେବାୟତମାନେ ଅସହଯୋଗ କରିବେ ବୋଲି ଧମକ ଦେଇଥିବାରୁ ଏପରି ଆଶଙ୍କା ପ୍ରକାଶ ପାଇଛି। ତେବେ ଯାତ୍ରା ବନ୍ଦ ହେଲେ ମନ୍ଦିର ପ୍ରଶାସନ ଦାୟୀ ରହିବା ନେଇ ଉଲ୍ଲେଖ କରି ଦୁଇ ନିଯୋଗ ପକ୍ଷରୁ ଦେବୋତ୍ତର କମିସନର ଓ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତିଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି।

ସୂଚନା ଅନୁଯାୟୀ ଶ୍ରୀକପିଳେଶ୍ୱର ମନ୍ଦିରରେ ସେବାକୁ ନେଇ ସେବାୟତମାନେ ଦୁଇ ଭାଗ ହୋଇଥିବା ବେଳେ ଏହାର ବିବାଦ ସମାଧାନ କରିବା ଓ ପୂର୍ବପରି ପରମ୍ପରା ବଜାୟ ରଖିବାକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ଏହି ନିର୍ଦେଶ ପାଳନ ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ପ୍ରୟାସ କରାଯାଇଥିଲା। ମଙ୍ଗଳବାର ରାଜ୍ୟ ଦେବୋତ୍ତର ଉପ ଆୟୁକ୍ତ ଓ ସହାୟକ ଆୟୁକ୍ତ, ଅତିରିକ୍ତ ଜିଲ୍ଲାପାଳ, ଟ୍ରଷ୍ଟ ବୋର୍ଡ ସଭ୍ୟମାନଙ୍କ ଉପସ୍ଥିତିରେ ଏହି ବୈଠକ ହୋଇଥିଲା। ଦେବୋତ୍ତର ବିଭାଗ ସୂଚନା ଅନୁଯାୟୀ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭ୍ୟମାନଙ୍କ ଉପସ୍ଥିତିରେ କପିଳେଶ୍ୱରର ମଲିଆ ସେବାୟତ ଓ ଖୁଣ୍ଟିଆ ସେବାୟତଙ୍କୁ ଡକାଇ ଆଲୋଚନା କରାଯାଇଥିଲା। ୨ଘଣ୍ଟା ପର୍ଯ୍ୟନ୍ତ ହୋଇଥିବା ଏହି ଆଲୋଚନା ଫଳପ୍ରଦ ହୋଇନଥିଲା। କପିଳେଶ୍ୱର ମନ୍ଦିରରେ ଖୁଣ୍ଟିଆ ସେବାୟତ ପୂର୍ବାହ୍ନରୁ ମଙ୍ଗଳ ଆଳତି ନୀତି କରିବା ସହ ଶୀତଳଷଷ୍ଠୀରେ କପିଳନାଥ ଆସିବା ସମ୍ପର୍କରେ ଆଲୋଚନା କରିଥିଲେ। ହାଇକୋର୍ଟଙ୍କ ନିର୍ଦେଶ ପାଳନ ପାଇଁ ଉଭୟଙ୍କୁ ଅନୁରୋଧ କରାଯାଇଥିଲା। ତେବେ ବୈଠକରେ ଯୋଗ ଦେଇଥିବା ମଲିଆ ସେବାୟତ ଗୋଟିଏ ଦିନ ସମୟ ନେଇଥିଲେ। ତେବେ ଆଜି ଏହାର କୌଣସି ଉତ୍ତର ମିଳି ନଥିଲା। ଦେବୋତ୍ତର ବିଭାଗ ସହାୟକ ଆୟୁକ୍ତ ଆଶିଷ ପଟ୍ଟନାୟକଙ୍କ କହିବା ଅନୁଯାୟୀ ପରମ୍ପରା ବଜାୟ ରଖିବାକୁ ଉଦ୍ୟମ ଚାଲିଛି। ମଲିଆ ସେବାୟତ ଗୋଟିଏ ଦିନ ସମୟ ନେଇଥିଲେ ମଧ୍ୟ ଆଜି କିଛି କହି ନାହାନ୍ତି। ଅନ୍ୟପଟେ ହାଇକୋର୍ଟଙ୍କ ନିର୍ଦେଶ ପାଳନ ନହେଲେ ଶୀତଳଷଷ୍ଠୀରେ ସେବାୟତମାନେ ଅସହଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି। ପରମ୍ପରା ଭଙ୍ଗ ହେଲେ ପ୍ରଶାସନ ଦାୟୀ ରହିବ ବୋଲି ସେମାନେ କହିଛନ୍ତି। ଏନେଇ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ପକ୍ଷରୁ ଦେବୋତ୍ତର କମିସନର ଓ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତିଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି। ଫଳରେ ଶ୍ରୀଲିଙ୍ଗରାଜଙ୍କ ଶିବ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ମଲିଆ ସେବାୟତ ମୁଖ୍ୟ ଅରବିନ୍ଦ ମହାପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ଗୁରୁବାର ରାତିରେ ବୈଠକ କରାଯାଇ ଯାହା ନିଷ୍ପତ୍ତି ନିଆଯିବ, ତାହା ଦେବୋତ୍ତର ବିଭାଗକୁ ଜଣାଇ ଦିଆଯିବ। ଆସନ୍ତାକାଲି ଜରୁରୀକାଳୀନ ଟ୍ରଷ୍ଟ ବୋର୍ଡ ବୈଠକ ଡକାଇ ଆଲୋଚନା କରାଯିବ ବେଲି ଜଣାପଡ଼ିଛି। ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ଓ ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା କହନ୍ତି, ଦୀର୍ଘ ୩ ବର୍ଷ ହେଲା ପରମ୍ପରା ଭଙ୍ଗ ହେଉଛି। ଏଥର ହାଇକୋର୍ଟଙ୍କ ନିର୍ଦେଶ କାର୍ଯ୍ୟକାରୀ ନହେଲେ ସେବାୟତମାନେ ଅସହଯୋଗ କରିବେ। ଏନେଇ ଦେବୋତ୍ତର ଉପଆୟୁକ୍ତ କିଛି କହିବାକୁ ମନା କରି ଦେଇଥିଲେ। ଘଟଣା ସମ୍ପର୍କରେ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ମନୋଜ କୁମାର ମହାନ୍ତି କୁହନ୍ତି, ଆସନ୍ତାକାଲି ଜରୁରୀ ଟ୍ରଷ୍ଟ ବୋର୍ଡ ବୈଠକ ଡକାଯାଇଛି। ଆପୋସ ଆଲୋଚନାରେ ସମାଧାନ କରିବା ପାଇଁ ଉଦ୍ୟମ କରାଯିବ।

ସମ୍ବନ୍ଧିତ ଖବର