ଚନ୍ଦକା ଶିଳ୍ପାଞ୍ଚଳରେ ଜଳ ଯୋଗାଣରେ ବିଭ୍ରାଟ

ଚନ୍ଦ୍ରଶେଖରପୁର: ଚନ୍ଦକା ଶିଳ୍ପାଞ୍ଚଳରେ ଲାଗିରହିଛି ଜଳ ସଙ୍କଟ। ଗତ କିଛି ଦିନ ହେଲା ବିଭିନ୍ନ କାରଣରୁ ଜଳ ଯୋଗାଣରେ ବାରମ୍ବାର ବିଭ୍ରାଟ ଦେଖିବାକୁ ମିଳୁଛି। କେତେବେଳେ ଦୁଇ ଦିନ ଧରି ପାଣି ଆସୁନାହିଁ ତ ଆଉ କେତେବେଳେ ପାଇପ୍‌ ଫାଟି ରାସ୍ତାରେ ପାଣି ଢେଉ ଖେଳୁଛି। ଏଥିପ୍ରତି କାହାର ବି ନିଘା ନାହିଁ। ସ୍ଥାନୀୟ ଲୋକେ ମଧ୍ୟ ଏନେଇ ବାରମ୍ବାର ଅଭିଯୋଗ କରିବା ପରେ ବି ସମସ୍ୟାରେ କୌଣସି ସୁଧାର ଆସୁନି। ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଲାଣି। ଚନ୍ଦକା ଶିଳ୍ପାଞ୍ଚଳର ଇନ୍‌ଫୋସିଟି ସମ୍ମୁଖରେ ଏଫ୍‌ ସେକ୍ଟର୍‌ରେ ୫୦ରୁ ଅଧିକ ଶିଳ୍ପ ସଂସ୍ଥା ଥିବା ବେଳେ ଅନେକ ଶିକ୍ଷାନୁଷ୍ଠାନ ରହିଛି। ହେଲେ ଏହି ଅଞ୍ଚଳରେ ବାରମ୍ବାର ପାନୀୟ ଜଳ ଯୋଗାଣରେ ବିଭ୍ରାଟ ସୃଷ୍ଟି ହେଉଛି। ଅମୃତ ଯୋଜନାରେ ପାଇପ୍‌ ବିଛା କାର୍ଯ୍ୟ ଚାଲିଥିବା ବେଳେ ଗତ ଦୁଇ ଦିନ ତଳେ ଏହି ଅଞ୍ଚଳରେ ପାଣି ପାଇପ୍‌ ଫାଟି ଯାଇଥିଲା। ଯେଉଁଥିପାଇଁ ସମଗ୍ର ଏଫ୍‌ ସେକ୍ଟର ଅଞ୍ଚଳକୁ ଜଳ ଯୋଗାଣ ସମ୍ଭବପର ହେଉ ନଥିବା ଲୋକେ ଅଭିଯୋଗ କରିଛନ୍ତି। ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।

ସେହିପରି ଅଧିକାଂଶ ସମୟରେ ପାଣି ଉଠା ମୋଟର ପୋଡ଼ି ଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। କେତେବେଳେ ପାଣି ପାଇପ୍‌ ଆପେ ଆପେ ଫାଟିଯାଉଛି ତ ଆଉ କେତେବେଳେ ପମ୍ପ ଚଲାଉଥିବା କର୍ମଚାରୀ ନାହାନ୍ତି। ଚିନ୍ତାର ବିଷୟ ହେଉଛି ଯେ ଦିନେ ଦିନେ ଘଣ୍ଟାଏ କିମ୍ବା ଅଧଘଣ୍ଟାଏ ପାଣି ଆସିବା ପରେ ୨୪ ଘଣ୍ଟା ମଧ୍ୟରେ ଆଉ ପାଣି ଆସୁନାହିଁ। ଅଧିକାଂଶ ଦିନ ପାଣି କମ୍‌ ଓ ପବନ ଅଧିକ ଅସୁଥିବା ଲୋକେ ଅଭିଯୋଗ କରିଛନ୍ତି। ଏଥିସହ ନିମ୍ନମାନର କାମ, ପାଇପ୍‌ ଫୁଟାଇ ଚୋରା ସଂଯୋଗ ଯୋଗୁଁ ଜଳଯୋଗାଣ ପ୍ରତିବନ୍ଧକ ସୃଷ୍ଟି ହେଉଛି। ଆହୁରି ଅଭିଯୋଗ ହୋଇଛି ଯେ କର୍ମଚାରୀମାନେ ଭିତିରିଆ ସମ୍ପର୍କ ରଖି ଟ୍ୟାଙ୍କର ଦ୍ୱାରା ପାଣି ଚୋରା ଚାଲଣ କରୁଛନ୍ତି। ଏନେଇ ଇଡ୍‌କୋର ଉପରିସ୍ଥ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରାଯିବା ପରେ ମଧ୍ୟ କୌଣସି ସ୍ଥାୟୀ ପ୍ରତିକାର କରାଯାଉ ନାହିଁ ବୋଲି ଶିଳ୍ପଦ୍ୟୋଗୀମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର