ଚନ୍ଦକା ଗଣଦୁଷ୍କର୍ମ ଘଟଣା: ତଦନ୍ତରେ ତ୍ରୁଟି! ସବୁ ଅଭିଯୁକ୍ତ ନିର୍ଦୋଷରେ ଖଲାସ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଚନ୍ଦକାରେ ଇଂଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାର ଆଜି ରାୟ ପ୍ରକାଶ ପାଇଛି। ମାନ୍ୟବର ଜିଲ୍ଲା ଦୌରାଜଜ୍‌ ସମସ୍ତ ୩ ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି। ସେମାନେ ହେଲେ, କେନ୍ଦ୍ରାପଡ଼ା ନିକିରେଇ ଥାନା ଅଧୀନ ଉଚ୍ଛଳପଡ଼ାର ଜିତେନ୍ଦ୍ର ବିଶ୍ୱାଳ (ମୃତ, ଦୁଇ ମାସ ତଳେ ଝାରପଡ଼ା ଜେଲ୍‌ ପରିସରରେ ଆତ୍ମହତ୍ୟା କରିଥିଲେ), ନୟାଗଡ଼ର ବିକାଶ ସେଠୀ ଓ ରଂଜନ ସେଠୀ। ତେବେ ଏଭଳି ଏକ ସ୍ପର୍ଶକାତର ଘଟଣାରେ ଅଭିଯୁକ୍ତମାନେ ନିର୍ଦୋଷରେ ଖଲାସ ହେବା ପରେ ତଦନ୍ତକାରୀ ଅଫିସରଙ୍କ ତଦନ୍ତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋଟିଏପଟେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଦୁଷ୍କର୍ମ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରିବାକୁ ପୁଲିସ ଅଧିକାରୀମାନଙ୍କୁ କହୁଛନ୍ତି। ଅଭିଯୁକ୍ତମାନେ କିଭଳି ପରବର୍ତୀ ସମୟରେ ଦୋଷୀ ସାବ୍ୟସ୍ତ ହେବେ, ସେ ନେଇ ମଧ୍ୟ ଡିଜି ଶର୍ମା ଜୋର୍‌ ଦେଉଛନ୍ତି। କିନ୍ତୁ ଏଭଳି ଏକ ଚର୍ଚିତ ଘଟଣାରେ ତଦନ୍ତକାରୀ ଅଫିସରଙ୍କ ତଦନ୍ତକୁ ନେଇ କୋର୍ଟ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ଘଟଣା ଥିଲା ଏମିତି
୨୦୧୩ ମସିହା ଜୁଲାଇ ୧୭ ତାରିଖ। ଜଣେ ଇଂଜିନିୟରିଂ ଛାତ୍ରୀ ପଟିଆ ବିଗ୍‌ ବଜାରରୁ ସପିଂ ସାରି ଘରକୁ ଫେରୁଥିଲେ। ଏହି ସମୟରେ ଜିତେନ୍ଦ୍ର ବିଶ୍ୱାଳ ଓ ତାର ଦୁଇ ସାଙ୍ଗ ବିକାଶ, ରଂଜନ ଛାତ୍ରୀଙ୍କୁ ଅପହରଣ କରି ନେଇଥିଲେ। ଛାତ୍ରୀଙ୍କୁ ଚନ୍ଦକା ପିତାପଲ୍ଲୀ ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଘରେ ୩ ଜଣ ମିଶି ଦୁଷ୍କର୍ମ କରିଥିଲେ। ପରଦିନ ସକାଳୁ ଚନ୍ଦକା ଥାନା ପୁଲିସ ଓ ସ୍ଥାନୀୟ ଲୋକ ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଛାତ୍ରୀଜଣଙ୍କ ଏ ନେଇ ମହିଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ଏକ ଗଣଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ମହିଳା ଥାନାର ତତ୍କାଳୀନ ଏସ୍‌ଆଇ ମନୋଜା ପଣ୍ଡା ମାମଲାର ତଦନ୍ତ ଦାୟିତ୍ୱ ନେଇଥିଲେ। ମହିଳା ଥାନା ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ଏହି ମାମଲାର ଶୁଣାଣି ଏଡିଜେ-୩ କୋର୍ଟରେ ଆରମ୍ଭ ହୋଇଥିଲା।

କ’ଣ କହୁଛନ୍ତି ଆଇନଜୀବୀ
ଅଭିଯୁକ୍ତମାନଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଚିତ୍ତରଂଜନ ଦାସ କହିଛନ୍ତି କି, ତଦନ୍ତକାରୀ ଅଫିସରଙ୍କ ତଦନ୍ତରେ ଅନେକ ତ୍ରୁଟି ଥିଲା। ଛାତ୍ରୀଙ୍କୁ ଆଦୌ ଦୁଷ୍କର୍ମ ହୋଇ ନ ଥିବା ଡାକ୍ତରୀମାଇନାରେ ରିପୋର୍ଟ ଆସିଥିଲା, ଫୋରେନସିକ୍‌ ରିପୋର୍ଟରେ ମଧ୍ୟ ତାଳମେଳ ନ ଥିଲା, ସାକ୍ଷୀମାନେ କୋର୍ଟରେ ଭୁଲ ସାକ୍ଷ୍ୟ ଦେଲେ, ଦୁଷ୍କର୍ମ ବେଳେ କୌଣସି ସାମଗ୍ରୀ ତଦନ୍ତକାରୀ ଅଧିକାରୀ ଜବତ କରି ନଥିଲେ। ଛାତ୍ରୀଙ୍କ ବୟାନରେ ମଧ୍ୟ ତାଳମେଳ ରହିଲା ନାହିଁ। ଏପରିକି ତଦନ୍ତକାରୀ ଅଫିସର ଶ୍ରୀ ପଣ୍ଡା କୋର୍ଟରେ ସାକ୍ଷ୍ୟ ଦେବାରେ ମଧ୍ୟ ଅହେତୁକ ବିଳମ୍ବ କଲେ। ଫଳରେ ମାମଲା ଦୁର୍ବଳ ହୋଇ ପଡ଼ିଲା। ଅଭିଯୁକ୍ତମାନଙ୍କ ବିରୋଧରେ କୌଣସି ସାକ୍ଷ୍ୟ ଓ ପ୍ରମାଣ ନ ଆସିବାରୁ କୋର୍ଟ ନିଦୋର୍ଷରେ ଖଲାସ କଲେ। କିଭଳି ଜଣେ ପୁଲିସ ଅଧିକାରୀଙ୍କ ଢିଲା ତଦନ୍ତ ଗୋଟିଏ ପରିବାରକୁ ଛାରଖାର କରିଦେଲା, ଏହି ମାମଲା ହେଉଛି, ତାର ଜ୍ୱଳନ୍ତ ଉଦାହରଣ ବୋଲି ଆଇନଜୀବୀ ଶ୍ରୀ ଦାସ କହିଛନ୍ତି।

ନ୍ୟାୟ ପାଇଁ ଅପେକ୍ଷା କରି ଜୀବନ ହାରିଥିଲେ ଜିତୁ
ଆଜି ନିର୍ଦୋଷରେ ଖଲାସ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ହେଲେ ଜିତୁ ଓରଫ୍‌ ଜିତେନ୍ଦ୍ର ବିଶ୍ୱାଳ। ଜିତେନ୍ଦ୍ର ଘଟଣା ଦିନଠାରୁ ଝାରପଡ଼ା ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ଥିଲେ। ତେବେ ହଠାତ ଦୁଇ ମାସକ ତଳେ ଝାରପଡ଼ା ଜେଲ୍‌ ପରିସରରେ ଆତ୍ମହତ୍ୟା କରିଥିଲେ ଜିତେନ୍ଦ୍ର। ନ୍ୟାୟ ପାଇଁ ଅପେକ୍ଷା କରି କରି ଶେଷରେ ମୋ ପୁଅ ଜୀବନ ହାରି ଦେଲା ବୋଲି କହିଛନ୍ତି ଜିତେନ୍ଦ୍ରଙ୍କ ବାପା ପ୍ରେମାନନ୍ଦ ବିଶ୍ୱାଳ। ତଦନ୍ତକାରୀ ଅଫିସରଙ୍କ ତଦନ୍ତକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଆଜି ପୁଅ ନିର୍ଦୋଷ ବୋଲି ମାନ୍ୟବର ବିଚାରପତିି ଶୁଣାଣି କରିବା ପରେ ବାପା ପ୍ରେମାନନ୍ଦ କହିଛନ୍ତି, ପୁଲିସ ଜାଣିଶୁଣି ମୋ ପୁଅକୁ ଫସାଇ ଦେଇଥିଲା। ପୁଅ ସେହି ଦିନଠାରୁ ମାନସିକ ଭାରସାମ୍ୟ ହରାଇ ଦେଇଥିଲା। ତେଣୁ କୋର୍ଟ ପରିସରରେ ସେ କିଛି ଦିନ ତଳେ ଆଇନଜୀବୀଙ୍କ ସହିତ ଝଗଡ଼ା ମଧ୍ୟ କରିଥିଲା।

ଭାସିଗଲା ମୋ ପରିବାର
ସତ ହେଉଛି, ସେହି ଛାତ୍ରୀଜଣଙ୍କ ମୋ ପୁଅକୁ ପ୍ରେମ କରୁଥିଲେ। କିନ୍ତୁ ମୁଁ ମୋ ପୁଅର ବିବାହ ଅନ୍ୟତ୍ର କରି ଦେଇଥିଲି। ବିବାହର ଦୁଇ ମାସ ପରେ ସେହି ଛାତ୍ରୀଜଣଙ୍କ ପୁଅ ନାଁରେ ମିଥ୍ୟା ଅଭିଯୋଗ କଲେ। ପୁଲିସ ପୁଅକୁ ଗିରଫ କଲା। ମାନସିକ ଭାରସାମ୍ୟ ହରାଇ ପୁଅ ଜେଲ୍‌ରେ ଆତ୍ମହତ୍ୟା କଲା। ଗୋଟିଏ ବୋଲି ପୁଅ। ବଂଶରେ ଆଉ କେହି ନାହାନ୍ତି। ଯେଉଁ ପୁଲିସ ଅଧିକାରୀଙ୍କ ପାଇଁ ମୋ ବଂଶ ବୁଡ଼ିଲା, ଭଗବାନ ତା’ କଥା ବୁଝିବେ ବୋଲି ଆଜି କୋର୍ଟ ପରିସରରେ ବାସ୍ପରୁଦ୍ଧ କଣ୍ଠରେ କହିଛନ୍ତି ମୃତ ଜିତେନ୍ଦ୍ରଙ୍କ ବାପା ପ୍ରେମାନନ୍ଦ।

ସମ୍ବନ୍ଧିତ ଖବର