ଚନ୍ଦକା ଗଣଦୁଷ୍କର୍ମ ମାମଲା, ପୁଲିସ ଖୋଜୁଛି ଦୁଷ୍କର୍ମସ୍ଥଳ

ଜେଲ୍‌ ଗଲା ଅଭିଯୁକ୍ତ

ଖଣ୍ଡଗିରି/ବାରଙ୍ଗ: ଚନ୍ଦକା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ପଙ୍କଜ ମଲ୍ଲିଆ ଓରଫ୍ ଟିକିନା(୨୭)କୁ ଆଜି ପୁଲିସ କୋର୍ଟ ଚାଲାଣ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ତେବେ ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରି ପାରିନାହିଁ। ତେଣୁ ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଆଜି ଚନ୍ଦକା ଥାନା ସମ୍ମୁଖରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ନାରୀମାନଙ୍କୁ ସରକାର ସୁରକ୍ଷା ଦେଇପାରୁ ନଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ସୂଚନାନୁସାରେ, ଚନ୍ଦକା ଥାନା ପୁଲିସ ପୀଡ଼ିତାଙ୍କ ଡାକ୍ତରୀମାଇନା କରିବା ପରେ ଆଜି ଅଭିଯୁକ୍ତ ଟିକିନାକୁ କୋର୍ଟ ଚାଲାଣ କରିଛି। ତେବେ ପୁଲିସ ପୀଡ଼ିତାଙ୍କୁ ନେଇ ଘଟଣାସ୍ଥଳ ଯାଞ୍ଚ କରିବାକୁ ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡ଼ିଛି। ଯେଉଁ ଘରେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ବୋଲି ପୀଡ଼ିତା ଅଭିଯୋଗ କରିଥିଲେ, ଆଜି ସେହି ଘରକୁ ସେ ନିଜେ ଚିହ୍ନଟ କରିପାରିନଥିବା ପୁଲିସ ସୂଚନା ଦେଇଛି। ସେହିଭଳି ପୀଡ଼ିତାଙ୍କ ବୟାନ୍‌ରେ ତାଳମେଳ ନଥିବା ପୁଲିସ କହିଛି। ସେ ବାରମ୍ବାର ବୟାନ୍ ବଦଳାଉଛନ୍ତି। ମେଡିକାଲ ରିପୋର୍ଟ ମିଳିନଥିଲେ ମଧ୍ୟ ପୀଡ଼ିତାଙ୍କୁ ଗଣଦୁଷ୍କର୍ମ ହୋଇ ନଥିବା ଜଣାପଡ଼ିଛି ବୋଲି ଚନ୍ଦକା ଥାନା ପୁଲିସ ସୂଚନା ଦେଇଛି। ତେଣୁ ଏହି ମାମଲାରେ ଅନ୍ୟ କେହି ସାମିଲ୍ ଅଛନ୍ତି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହୋଇଯିବ ଥାନା ପକ୍ଷରୁ ଜଣାପଡ଼ିଛି। ପ୍ରାଥମିକ ତଦନ୍ତରୁ ପୀଡ଼ିତାଙ୍କ ସହ ଅଭିଯୁକ୍ତ ଟିକିନାର ସମ୍ପର୍କ ଥିଲା। କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିବାରୁ ଅଭିଯୁକ୍ତ ଟିକିନା ପୀଡ଼ିତାଙ୍କୁ କେବଳ ମାଡ଼ ମାରିଥିବା ଜଣାପଡ଼ିଛି। ତେଣୁ ମେଡିକାଲ ରି‌ପୋର୍ଟ ମିଳିବା ପରେ ଘଟଣାର ପର୍ଦାଫାସ ହେବ ବୋଲି ଚନ୍ଦକା ଥାନା ପୁଲିସ କହିଛି। ଏଣେ ରାଜ୍ୟରେ ନାରୀ ସୁରକ୍ଷାରେ ସରକାରଙ୍କ ଅପାରଗତାକୁ ବିରୋଧ କରି ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଚନ୍ଦକା ବଜାରରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ତୁରନ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି କରି ମୋର୍ଚ୍ଚା ପକ୍ଷରୁ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ନାରୀନେତ୍ରୀ ଶ୍ରୀମନ୍ତିନୀ ଜେନା, ଐଶ୍ବର୍ଯ୍ୟା ବିଶ୍ବାଳ, ରଶ୍ମିମୟୀ ପଟ୍ଟନାୟକ, ରାଜଲକ୍ଷ୍ମୀ ଉପାଧ୍ୟାୟ, ସୁଦୀପ୍ତ ରାୟ, ଡାକ୍ତର ବେହେରା, ସୁବାସ ଜେନା ପ୍ରମୁଖ ଏହି ବିକ୍ଷୋଭରେ ସାମିଲ୍ ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ଚନ୍ଦକା ଥାନା ପାଇକରାପୁର ଅଞ୍ଚଳର ଟିକିନା ମଲିଆ ଓ ତାର ୨/୩ ଜଣ ସହଯୋଗୀ ପୀଡ଼ିତାଙ୍କୁ ରାସ୍ତାରୁ କାର୍ ଯୋଗେ ଉଠାଇ ନେଇ ନୂଆଗାଁ ନିକଟସ୍ଥ କୌଣସି ଏକ ପରିତ୍ୟକ୍ତ ଘରେ ଗଣଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି। କଳିଙ୍ଗବିହାରରେ କାମ କରୁଥିବା ଏହି ମହିଳା ରବିବାର ସନ୍ଧ୍ୟାରେ ଏକୁଟିଆ ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା।

ସମ୍ବନ୍ଧିତ ଖବର