ସଖି ଗୋ ଦେଖ ଚନ୍ଦନ ଯାତ…

୧୯ବର୍ଷ ଧରି ଠାକୁରଙ୍କ ସମ୍ମୁଖରେ ନୃତ୍ୟ କରୁଛନ୍ତି କଳାକାର

ପୁରୁଣା ଭୁବନେଶ୍ୱର: ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୯ବର୍ଷରୁ ଊର୍ଧ୍ବ ସମୟ ଧରି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ସମ୍ମୁଖରେ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରୁଛନ୍ତି କୁନିକୁନି କଳାକାର। ଚନ୍ଦନ ଯାତ୍ରାରେ ମହାପ୍ରଭୁ ପ୍ରତ୍ୟାବର୍ତନ କରିବା ବେଳେ ଏହି କଳାକାର ମାନେ ନୃତ୍ୟ ପରିବେଷଣ କରିଥାନ୍ତି। ଚାପ ଖେଳ ସାରି ଦେବଦେବୀମାନେ ବିଶ୍ରାମ ଘାଟ ଦେଇ ପ୍ରତ୍ୟାବର୍ତନ କରିଥାନ୍ତି। ତେବେ ମହାପ୍ରଭୁ ଫେରିବା ବେଳେ ବାଟରେ ତିନି ନିଯୋଗରେ ଭୋଗ ଖାଇଥାନ୍ତି। ଏହି ସମୟରେ ଠାକୁରଙ୍କ ସମ୍ମୁଖରେ କଳାକାରମାନେ ଗୋଟିପୁଅ ନୃତ୍ୟ ପରିବେଷଣ କରିଥାନ୍ତି। ଠାକୁର ମନ୍ଦିରରେ ପ୍ରବେଶ ପରେ ବାହଖିଆ ମଣ୍ଡପରେ ମଧ୍ୟ ନୃତ୍ୟ ପରିବେଷଣ କରିଥାନ୍ତି। ସେହିପରି ଶେଷରେ ଶ୍ରୀଜିଉଙ୍କ ପହୁଡ଼ ପଡ଼ିବା ପୂର୍ବରୁ ଏମାନେ ମଧ୍ୟ ଗୀତଗୋବିନ୍ଦ ଗାନ କରିଥାନ୍ତି। ସେମାନେ ପ୍ରାଚୀନ ଗ୍ରନ୍ଥକୁ ଆବୃତ୍ତି କରିବା ସହ ଅଭିନୟରେ ଏହି ନୃତ୍ୟ ପରିବେଷଣ କରିଥାନ୍ତି। ରାସ୍ତାରେ ଠିଆ ହୋଇ ୩ଜଣ କଳାକାର ମର୍ଦଳ, ଗିନି, ହାରମୋନିୟମ ବଜାଇବା ସହ ୩ଜଣ କଳାକାର ନୃତ୍ୟ ପରିବେଷଣ କରନ୍ତି। ଦେଖ ଗୋ ରାଧା ମାଧବ ଚାଲି…., ସଖୀ ଗୋ ଦେଖ ଚନ୍ଦନ ଯାତ…., ମଣି ବିମାନେ ଗୋବିନ୍ଦ…., ଏପରି ଅନେକ ସଂଗୀତକୁ ଓଡ଼ିଶୀ, ଛାନ୍ଦ, ଚମ୍ପୁରେ ପରିବେଷଣ କରିଥାନ୍ତି ବାଲିପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦଳ କୁଶିଆରି ଗ୍ରାମରୁ ଲକ୍ଷ୍ମୀପ୍ରିୟା ଗୋଟିପୁଅ ନୃତ୍ୟକେନ୍ଦ୍ରର କଳାକାର।

ରାସ୍ତା ଖରାପ, ବାଟରେ ଅଟକିଲେ ଠାକୁର
ପୁରୁଣା ଭୁବନେଶ୍ୱର: ଚନ୍ଦନଯାତ୍ରା ସାରି ମହାପ୍ରଭୁ ଫେରିବା ବେଳେ ରାସ୍ତା ଖରାପ ଯୋଗୁ ବାଟରେ ଅଧଘଣ୍ଟା ଅଟକି ରହିଥିଲେ। ତିନି ମୁଣ୍ଡିଆ ଛକରେ ଡ୍ରେନ୍‌ କାମ ସରିନଥିବା ବେଳେ ଡ୍ରେନ୍‌ ଉପରେ ପଟା ଉପରେ ଯିବାକୁ ଆପଟିଆଙ୍କୁ ସମସ୍ୟା ହେଉଥିବାରୁ ସେବାୟତମାନେ ସେଠାରେ ଅଟକି ରହିଥିଲେ। ଏହାକୁ ନେଇ ଆଜି ରାତିରେ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ପୂର୍ତ୍ତ ବିଭାଗ ଅଧିକାରୀଙ୍କ ସହ ସେବାୟତମାନଙ୍କର ଯୁକ୍ତିତର୍କ ମଧ୍ୟ ହୋଇଥିଲା। ପରେ ଟ୍ରଷ୍ଟ ବୋର୍ଡର ସଭ୍ୟ, ବରିଷ୍ଠ ସେବାୟତ ମାନେ ଆସି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କୁହନ୍ତି, ପ୍ରଶାସନର ଅଣଦେଖା ଯୋଗୁଁ ଠାକୁର ବିପଦପୂର୍ଣ୍ଣ ଭାବେ ପଟା ଉପରେ ଯାତ୍ରା କରୁଛନ୍ତି। ଅନ୍ୟପଟେ ଡ୍ରେନ୍‌ କାମ ନିମ୍ନମାନର ହେବା ଯୋଗୁଁ ଏଠାରେ କାମ ବିଳମ୍ବ ହେଲା। ଯାହା ଫଳରେ ଠାକୁରଙ୍କୁ ମଧ୍ୟ ରାସ୍ତା ଉପରେ ଅଟକି ରହିବାକୁ ପଡ଼ିଲା। ଆସନ୍ତାକାଲି ରାସ୍ତା ସମସ୍ୟା ସମାଧାନ ହୋଇନଥିଲେ ଆବଶ୍ୟକ ପଡ଼ିଲେ ଚନ୍ଦନ ନୀତି ବନ୍ଦ ହୋଇପାରେ ବୋଲି ଶ୍ରୀ ପତି ମନ୍ଦିର ପ୍ରଶାସନକୁ ଜଣାଇଛନ୍ତି। ଏନେଇ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କିଛି କହିବାକୁ ମନା କରିଛନ୍ତି

ସମ୍ବନ୍ଧିତ ଖବର