ଅଟକିଗଲା ଚନ୍ଦ୍ରଶେଖରଙ୍କ ଜୀବନ ରଥ

ଓଡ଼ିଆ ସାହିତ୍ୟରେ ଏକ ଯୁଗର ଅବସାନ

ଭୁବନେଶ୍ୱର : ଓଡ଼ିଆ ସାହିତ୍ୟର ଦିଗ୍ଗଜ ସ୍ରଷ୍ଟା ଚନ୍ଦ୍ରଶେଖର ରଥଙ୍କ ବିୟୋଗ ସାରସ୍ୱତ ଜଗତରେ ସୃଷ୍ଟି କରିଛି ବିରାଟ ଶୂନ୍ୟସ୍ଥାନ। ସତେ ଯେମିତି ନିଜ ଚେତନାରେ ଶ୍ରୀଜଗନ୍ନାଥଙ୍କୁ ବୋହି ଚାଲିଥିବା ତାଙ୍କ ଜୀବନ ନନ୍ଦିଘୋଷ ଅଚାନକ ବଡ଼ଦାଣ୍ଡରେ ଅଟକି ଯାଇଛି। କବି, କଥାକାର, ସ୍ଥପତି, କଳାକାର, ପ୍ରାବନ୍ଧିକ, ସଂସ୍କୃତିବିତ୍‌, ଚିତ୍ରଶିଳ୍ପୀ ଭାବେ ସାରସ୍ୱତ ଓ କଳା ଜଗତର ଅନେକ ବିଭବକୁ ନିଜ ସୃଜନୀ ସ୍ପର୍ଶରେ ଆୟତ୍ତ କରିଥିବା ଚନ୍ଦ୍ରଶେଖର ଆଜି ଆମ ଗହଣରେ ନାହାନ୍ତି ସତ କିନ୍ତୁ ତାଙ୍କ ସୃଷ୍ଟି ତାଙ୍କୁ କାଳଜୟୀ କରି ରଖିଥିବ। ବିଳମ୍ବରେ ଲେଖାଲେଖି ଆରମ୍ଭ କରିଥିଲେ ହେଁ ଅତି କମ୍‌ ସମୟ ମଧ୍ୟରେ ଉଚ୍ଚକୋଟୀର ଓଡ଼ିଆ ଗଳ୍ପ ଓ ଉପନ୍ୟାସ ଲେଖି ସେ ସମସ୍ତଙ୍କୁ ଚମତ୍କତ କରିଥିଲେ। ଗପ ଓ ଉପନ୍ୟାସ ବ୍ୟତୀତ ଲଳିତ ନିବନ୍ଧ ସୃଷ୍ଟି କରି ପାଠକଙ୍କ ଭିତରେ ରୋମାଞ୍ଚ ଭରିଥିଲେ। ଯୁବା ବୟସରେ ଜଣେ ବଡି ବିଲ୍‌ଡର ଭାବେ ମଧ୍ୟ ସେ ନିଜର କୃତିତ୍ୱ ପ୍ରତିପାଦନ କରିଥିଲେ। ତାଙ୍କ ମୃତ୍ୟୁରେ ଓଡ଼ିଆ ସାରସ୍ୱତ ଜଗତରେ ଶୋକର ଛାୟା ଖେଳି ଯାଇଛି।

ତରୁଣ ଲେଖକଙ୍କର ସେ ଥିଲେ ମାର୍ଗଦର୍ଶକ

ଚନ୍ଦ୍ରଶେଖର ରଥଙ୍କ ପାଣ୍ଡିତ୍ୟ ଓ ସାହିତ୍ୟିକ ଦକ୍ଷତା ତାଙ୍କୁ ଓଡ଼ିଆ ପାଠକ ମହଲରେ ଉଚ୍ଚ ଆସନରେ ରଖିଛି ଓ ରଖିଥିବ। ଶ୍ରୀ ରଥଙ୍କ ବିୟୋଗରେ ଶୋକ ବ୍ୟକ୍ତ କରି ସଂସ୍କୃତି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ଜଣେ ଛାତ୍ରବତ୍ସଳ ଅଧ୍ୟାପକ ଭାବେ ସେ ଯେତିକି ଆଦୃତ ଥିଲେ, ଚମତ୍କାର ସାହିତ୍ୟ ପାଇଁ ପାଠକଙ୍କ ନିକଟରେ ସେତିକି ପ୍ରଣମ୍ୟ। ତରୁଣ ଲେଖକଙ୍କ ସେ ଥିଲେ ମାର୍ଗଦର୍ଶକ। ତାଙ୍କ ରଚନାରେ ଏକ ସୁନ୍ଦର ପୃଥିବୀର ସ୍ୱପ୍ନ ଓ ସମ୍ଭାବନା ସହ ମାନବିକତାର ସ୍ପର୍ଶ ଓଡ଼ିଆ ସାରସ୍ୱତ ସମ୍ଭାରକୁ ସମୃଦ୍ଧ କରିଛି।
ଅଶୋକ ଚନ୍ଦ୍ର ପଣ୍ଡା (ସଂସ୍କୃତି ମନ୍ତ୍ରୀ)

ସେ ମୋ’ର ପରାମର୍ଶଦାତା ଥିଲେ

ସେ ଥିଲେ ଯୋଗଜନ୍ମା ମଣିଷ। ସୁବକ୍ତା ଓ ସଫଳ ମଣିଷ ଭାବେ ପରିଚିତ ଚନ୍ଦ୍ରଶେଖର ରଥ ମୋ’ର ପରାମର୍ଶଦାତା ଓ ଶୁଭାକାଂକ୍ଷୀ ଥିଲେ। ସମ୍ବାଦ ସନ୍‌ ଟାଇମ୍‌ସ୍‌ର ସମ୍ପାଦକୀୟ ଉପଦେଷ୍ଟା ଭାବେ ଦାୟିତ୍ୱ ନିଭାଇ ସଫଳ କରାଇଥିଲେ। ତେବେ ଅବସୋସ ପଦ୍ମଶ୍ରୀ ପୁରସ୍କାର ଘୋଷଣା ହୋଇ ମଧ୍ୟ ସେ ଏହି ସମ୍ମାନକୁ ଉପଭୋଗ କରିପାରିଲେ ନାହିଁ। ତେଣୁ ପୂର୍ବରୁ ପୁରସ୍କାର ଦିଆଯାଇଥିଲେ ଭଲ ହୋଇଥାଆନ୍ତା।
ସୌମ୍ୟରଂଜନ ପଟ୍ଟନାୟକ (ସମ୍ପାଦକ, ସମ୍ବାଦ)

ରଥ ସପ୍ତକ ଓଡ଼ିଆ ସାହିତ୍ୟର ମଣି

ଚନ୍ଦ୍ରଶେଖର ରଥଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟର ଗୋଟେ ଯୁଗର ଅବସାନ ଘଟିଛି। ଜଣେ ଦାର୍ଶନିକ ଓ ସାହିତ୍ୟିକ ସମେତ ଚିତ୍ରଶିଳ୍ପୀ ଓ ଭାସ୍କର୍ଯ୍ୟ ଶିଳ୍ପୀ ଭାବେ ଅନେକ ସୃଜନ ଭେଟି ଦେଇଛନ୍ତି। ତାଙ୍କ ଦ୍ୱାରା ସୃଷ୍ଟି ‘ରଥ ସପ୍ତକ’ ସାହିତ୍ୟର ମଣି କହିଲେ ଅତ୍ୟୁକ୍ତି ହେବ ନାହିଁ।
ଗୌରହରି ଦାସ (ବିଶିଷ୍ଟ କଥାକାର)

ସେ ଠିଆ ହୋଇଗଲେ ସଂସ୍କୃତି ପୁରୁଷ ଭଳି ଦିଶନ୍ତି

ଓଡ଼ିଆ ଗଦ୍ୟ ସାହିତ୍ୟର ପରମ ପିତାଙ୍କ ଦେହାନ୍ତ ହୋଇଗଲା। ସେ ଠିଆ ହୋଇଗଲେ ସଂସ୍କୃତି ପୁରୁଷ ଭଳି ଦିଶନ୍ତି। ସାରା ଦେଶ ବୁଲିବୁଲି ସେ ଆମ ସଂସ୍କୃତି ବାବଦରେ ବକ୍ତବ୍ୟ ରଖିଥିଲେ। ପଦ୍ମ ତାଙ୍କୁ ଛୁଇଁଥିଲା କିନ୍ତୁ ସେ ପଦ୍ମକୁ ଛୁଇଁ ପାରିଲେନି। ତାଙ୍କ ଭଳି ଲଳିତ ସାହିତ୍ୟିକର ଅଭାବ ନିଶ୍ଚେ ଅନୁଭବ ହେବ।
ଦାଶ ବେନହୁର (ବିଶିଷ୍ଟ ଶିଶୁ ସାହିତ୍ୟିକ)

ତାଙ୍କ ଚେତନାରେ ବିନ୍ଦୁବିନ୍ଦୁ କଳାତ୍ମକତା ଭରି ରହିଥିଲା

ଓଡ଼ିଆ ସାହିତ୍ୟ ଜଣେ ଯୁଗପୁରୁଷଙ୍କୁ ହରାଇଲା। ତାଙ୍କ ଅସ୍ତିତ୍ୱ ଓ ଚେତନାରେ ବିନ୍ଦୁବିନ୍ଦୁ କଳାତ୍ମକତା ଭରି ରହିଥିଲା। ସରକାରଙ୍କ ଉଦାସୀନତା ଯୋଗୁଁ ଏଭଳି ଯୁଗପୁରୁଷଙ୍କୁ ପଦ୍ମଶ୍ରୀ ପାଇଁ ବିଳମ୍ବରେ ଚୟନ କରାଗଲା। ସମସ୍ତ ସାହିତ୍ୟିକ ଏହାଦ୍ୱାରା ନିଶ୍ଚେ ଆଘାତ ପାଇଥିବେ।
ପ୍ରତିଭା ଶତପଥୀ (ବିଶିଷ୍ଟ କବି)

‘ରଥ ସପ୍ତକ’ ତାଙ୍କୁ ଅମର କରି ରଖିବ

ଓଡ଼ିଆ ସାହିତ୍ୟ ଜଗତ ତାଙ୍କର ଅବଦାନକୁ ସବୁକାଳେ ମନେ ରଖିଥିବ। ରଥ ସପ୍ତକ ଭଳି କାଳଜୟୀ ସୃଷ୍ଟି ତାଙ୍କୁ ସର୍ବଦା ଅମର କରି ରଖିବ। ବହୁ କଳାକୁ ସୃଜନୀ ସ୍ପର୍ଶରେ ଜୀବନ୍ୟାସ ଦେଇ ସେ ଯେଉଁଭଳି ବିରଳ କୃତିତ୍ୱର ପରିଚୟ ଦେଇଛନ୍ତି, ତାହା ଯୁବ କଳାକାରଙ୍କୁ ନିଶ୍ଚିତ ପ୍ରେରଣା ଦେବ।
ମନୋରଂଜନ ପାଣିଗ୍ରାହୀ (ସଂସ୍କୃତି ସଚିବ)

ତାଙ୍କ ପ୍ରତିଟି ଶବ୍ଦ ଶିକ୍ଷଣୀୟ

ତାଙ୍କ ବକ୍ତବ୍ୟରେ ଶ୍ରୋତା ବିମୁଗ୍ଧ ହୁଅନ୍ତି। ତାଙ୍କର ପ୍ରତିଟି ଶବ୍ଦ ଶିକ୍ଷଣୀୟ। ତାଙ୍କ ଜ୍ଞାନ ଗୁରୁଗମ୍ଭୀର। ମଝିରେ ମଝିରେ ସେଇ ଗାମ୍ଭୀର୍ଯ୍ୟ ଭିତରୁ ବାହାରୁଥିବା ମଜା କଥା ଆମକୁ ଆମୋଦିତ କରୁଥିଲା।
ବିଜୟ ନାୟକ (ସଂସ୍କୃତି ବିଭାଗ ନିର୍ଦେଶକ)

ତାଙ୍କ ଦର୍ଶନ ଥିଲା ଅତ୍ୟନ୍ତ ପ୍ରଭାବଶାଳୀ

ତାଙ୍କର ସାରସ୍ୱତ ଦୃଷ୍ଟି ଓ ଦର୍ଶନ ଅତ୍ୟନ୍ତ ପ୍ରଭାବଶାଳୀ। ତାଙ୍କର ପଢ଼େଇବାର ଧାରା ଚମତ୍କାର ଥିଲା। ଇଂରାଜୀ ସାହିତ୍ୟର ଅଧ୍ୟାପକ ହୋଇ ମଧ୍ୟ ଓଡ଼ିଆ ଭାଷାରେ ଖୁବ୍‌ ପ୍ରାଞ୍ଜଳ ଭାବେ ଲେଖି ବିମୁଗ୍ଧ କରୁଥିଲେ। ତରୁଣ ଲେଖକଙ୍କ ପାଇଁ ସେ ଥିଲେ ମାର୍ଗଦର୍ଶକ।
ସୂର୍ଯ୍ୟ ମିଶ୍ର (ସଭାପତି, ଭୁବନେଶ୍ୱର ସାହିତ୍ୟ ସମାଜ)

ସମ୍ବନ୍ଧିତ ଖବର