ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର, ତୋରଣ ବାଣ୍ଟିବ ସର୍ବଧର୍ମ ସମନ୍ଵୟର ବାର୍ତା

ଭୁବନେଶ୍ୱର: ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସହରରେ ଭାଇଚାରାର ବାର୍ତା ନେଇ ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏସନ୍‌ ଆୟୋଜନ କରିବ ପୂଜା। ସବୁ ଧର୍ମର ଲୋକଙ୍କୁ ପୂଜାରେ ସାମିଲ୍‌ ହେବାର ଅବକାଶ ସୃଷ୍ଟି କରି ସମାଜରେ ସର୍ବଧର୍ମ ସମନ୍ଵୟର ସୁଗନ୍ଧ ଖେଳାଇବ। ଅର୍ଥାତ ହିନ୍ଦୁ, ମୁସ୍‌ଲିମ୍‌, ଶିଖ୍‌ ଓ ଖ୍ରୀଷ୍ଟିୟାନ ଲୋକଙ୍କ ମିଳିତ ଉଦ୍ୟମରେ ଏଠାରେ ପୂଜା ଅନୁଷ୍ଠିତ ହେବ। ସ୍ଥାନୀୟ ବାସିନ୍ଦା ଏସ୍‌କେ ଶାହାଜାନ୍‌ଙ୍କ ଘରୁ ଶୁଭ କଳସ ବାହାରି ପୂଜାର ଶୁଭାରମ୍ଭ ହେବ। ସବୁଧର୍ମର ଲୋକଙ୍କୁ ପୂଜାରେ ସାମିଲ୍‌ ହେବାକୁ ସ୍ୱାଗତ କରାଯିବ। କେବଳ ସେତିକି ନୁହେଁ, ହିନ୍ଦୁ, ମୁସ୍‌ଲିମ୍‌, ଶିଖ୍‌ ଓ ଖ୍ରୀଷ୍ଟିୟାନ୍‌ର ପ୍ରତୀକକୁ ନେଇ ସ୍ୱତନ୍ତ୍ର ତୋରଣ ପ୍ରସ୍ତୁତ ହେବ। ୫୦ଫୁଟ ଉଚ୍ଚ ଏବଂ ୮୦ ଫୁଟ ଚଉଡ଼ା ବିଶିଷ୍ଟ ଏହି ତୋରଣ ଓଡ଼ିଆ କାରିଗର ବାବୁଲି ଉଦ୍‌ଗାତା ଓ ସାଥୀ କାରିଗରଙ୍କ ଦ୍ୱାରା ନିର୍ମିତ ହେବ। ଏତଦ୍‌ବ୍ୟତୀତ ପ୍ରଫୁଲ୍ଲ ବେହେରାଙ୍କ ଦ୍ୱାରା ୧୬ ଫୁଟର ମା’ଙ୍କ ମୃଣ୍ମୟ ମୂର୍ତି ପୂଜା ପ୍ରସ୍ତୁତ କରାଯାଉଛି। ମା’ଙ୍କ ପଛ ପାର୍ଶ୍ୱରେ ୧୮ ଫୁଟର ମେଢ଼ ଶୋଭା ପାଇବ।
ସାର୍ବଜନୀନ ଦୁର୍ଗାପୂଜା ମହୋତ୍ସବ ପାଇଁ ଆସୋସିଏସନ୍‌ ପକ୍ଷରୁ ବଜେଟ୍‌ ୧୫ ଲକ୍ଷ ଟଙ୍କା ରଖାଯାଇଛି। ସପ୍ତମୀଠାରୁ ଦଶମୀ ପର୍ଯ୍ୟନ୍ତ ସବୁ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ। ଅଷ୍ଟମୀ ଦିନ ସମସ୍ତ ଭକ୍ତଙ୍କୁ ଦହି ପଖାଳ ଖାଇବାର ସୁଯୋଗ ମିଳିବ। ପୂଜା ମଣ୍ଡପ ମଧ୍ୟରେ ୨୧ଜଣ ବାଳିକାଙ୍କୁ ନୂତନ ବସ୍ତ୍ର ପିନ୍ଧାଇ ସ୍ୱତନ୍ତ୍ର ଭାବେ ପୂଜା କରିବାର ବିଧି ରହିଛି। ସୁରକ୍ଷା ପାଇଁ ଏଠାରେ ପୁଲିସ୍‌ଙ୍କ ସମେତ ଘରୋଇ ସୁରକ୍ଷା କର୍ମୀ ଏବଂ ସ୍ୱେଚ୍ଛାସେବୀ ମଧ୍ୟ ନିୟୋଜିତ ହେବେ।

କଲୋନିରେ ଦୀପ ଜାଳି ମା’ଙ୍କ ପୁନର୍ଗମନ ନିବେଦନ କରିବେ
ଭସାଣି ଦିନ ମା’ ଡିଷ୍ଟ୍ରିକ୍ଟ ସେଣ୍ଟର କଲୋନି ପରିକ୍ରମା କରି ବିଦାୟ ନେବେ। ଏହି ଅବସରରେ ବ୍ୟାଣ୍ଡ୍‌ ବାଜା କି ବାଣ ଫୁଟାଯିବ ନାହିଁ। ବ୍ରହ୍ମପୁରର ଯୋଡ଼ି ଶଙ୍ଖ ଓ ଘଣ୍ଟୁଆଙ୍କ ଘଣ୍ଟ ନାଦରେ ମା’ଙ୍କୁ ମେଲାଣି ଦିଆଯିବ। ଏଥିସହ ଡିଷ୍ଟ୍ରିକ୍ଟ ସେଣ୍ଟର କଲୋନି ସମସ୍ତ ବାସିନ୍ଦା ନିଜ ଘର ଦ୍ୱାର ମୁହଁରେ ଦୀପ ଜାଳି ମା’ଙ୍କୁ ପୁଣି ଫେରିବାକୁ ନିବେଦନ କରିବେ।
ସଂଜୟ କୁମାର ସାହାଣୀ (ସଭାପତି)

କେରଳ ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ୫୦ ହଜାର ଦିଆଯିବ
ଆସୋସିଏସନ୍‌ ପକ୍ଷରୁ ଏଥର ପୂଜାରେ କେରଳ ବନ୍ୟା ବିପନ୍ନଙ୍କୁ ସହାୟତା ପାଇଁ କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫୦ହଜାର ଟଙ୍କା ପ୍ରଦାନ କରାଯିବ। ପରିବେଶକୁ ଦୃଷ୍ଟିରେ ରଖି ମୂର୍ତିରେ କୌଣସି ରାସାୟନିକ ରଙ୍ଗ ବ୍ୟବାହାର କରାଯିବ ନାହିଁ। ଏଥିସହ ପ୍ଲାଷ୍ଟିକ୍‌ ମୁକ୍ତ ପରିବେଶରେ ମା’ଙ୍କ ପାର୍ବଣ ଅନୁଷ୍ଠିତ ହେବ।
ସରୋଜକାନ୍ତ ମଲ୍ଲିକ (ସାଧାରଣ ସମ୍ପାଦକ)

ସମ୍ବନ୍ଧିତ ଖବର