ସମ୍ପର୍କ ଯୋଡ଼ିବା ବଦଳରେ ଭାଙ୍ଗୁଛି

ଚନ୍ଦ୍ରଶେଖରପୁର ଅଞ୍ଚଳରେ ବିଏସ୍‌ଏନ୍‌ଏଲ୍‌ ସେବା ବିପର୍ଯ୍ୟସ୍ତ

ଚନ୍ଦ୍ରଶେଖରପୁର: ଭାରତକୁ ଯୋଡ଼ିବାର ପ୍ରତିଶ୍ରୁତି ଦିଆଯାଉଛି, ମାତ୍ର ସମ୍ପର୍କ ଯୋଡ଼ିବା ବଦଳରେ ଭାଙ୍ଗୁଛି ସରକାରୀ ଟେଲିକମ ସଂସ୍ଥା ଭାରତ ସଂଚାର ନିଗମ ଲିମିଟେଡ୍‌(ବିଏସ୍‌ଏନ୍‌ଏଲ୍‌)। ପ୍ରତିବଦ୍ଧତାର ସହିତ ସର୍ବୋକୃଷ୍ଟ ସେବା ଯୋଗାଇଦେବାର ପ୍ରତିଶ୍ରୁତି ଦେଇଥିବା ବିଏସ୍‌ଏନ୍‌ଏଲ୍‌ ଚନ୍ଦ୍ରଶେଖରପୁର ଅଞ୍ଚଳବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ଚନ୍ଦ୍ରଶେଖରପୁରର ବିଭିନ୍ନ ଅଞ୍ଚଳ ଯଥା ହାଉସିଂବୋର୍ଡ କଲୋନି, ପ୍ରାଚୀ ଏନ୍‌କ୍ଲେଭ୍‌, ପ୍ରଗତୀ ଏନ୍‌କ୍ଲେଭ୍‌, ଡିଷ୍ଟ୍ରିକ୍ଟ ସେଣ୍ଟର, ଡମଣା, ନୀଳାଦ୍ରିବିହାର ଭଳି ଅଞ୍ଚଳର ବଏସ୍‌ଏନ୍‌ଏଲ୍‌ ଗ୍ରାହକଙ୍କ ମଧ୍ୟରେ ଅସେନ୍ତାଷ ପ୍ରକାଶ ପାଇଛି। ସରକାରୀ ତଥା ଦେଶର ସର୍ବପୁରାତନ ସଂସ୍ଥା ହୋଇଥିବାରୁ ବହୁ ଲୋକ ଏହାର ଗ୍ରାହକ ସାଜିଛନ୍ତି। ମାତ୍ର ସଂସ୍ଥାର ଦୁର୍ବଳ ନେଟଓ୍ଵର୍କ କାରଣରୁ ଉପଭୋକ୍ତା ବେଶ୍‌ ହନ୍ତସନ୍ତ ହେଉଛନ୍ତି। ବାରମ୍ବାର କଲ୍‌ ଡ୍ରପ୍‌ ହେବା, ଆଦୌ ନେଟଓ୍ଵର୍କ ନଆସିବା ଆଦି ସମସ୍ୟା ବିଏସ୍‌ଏନ୍‌ଏଲ୍‌ ଉପଭୋକ୍ତାଙ୍କୁ ଅନ୍ୟ ଘରୋଇ ନେଟଓ୍ଵର୍କକୁ ନମ୍ବର ପରିବର୍ତ୍ତନ କରିବାକୁ ବାଧ୍ୟ କରୁଛି। ଭୁବନେଶ୍ୱର ସ୍ମାର୍ଟ ସିଟିରେ ଯଦି ବିଏସ୍‌ଏନ୍‌ଏଲ୍‌ର ଏପରି ଅବସ୍ଥା ତେବେ ଗାଁ ଗହଳିର ସ୍ଥିତି ଏଥିରୁ ବେଶ୍‌ ଅନୁମେୟ। ଲ୍ୟାଣ୍ଡ୍‌ଫୋନ ଓ ବ୍ରଡବ୍ୟାଣ୍ଡ୍‌ ସେବା ଅବସ୍ଥା ମଧ୍ୟ ତଦ୍ରୁପ। ରାଜଧାନୀର ଏକ ପ୍ରମୁଖ ଅଞ୍ଚଳ ଭାବରେ ଜଣାଶୁଣା ଏହି ଅଞ୍ଚଳରେ ଅନେକ ସରକାରୀ କର୍ମଚାରୀ, ଛାତ୍ରଛାତ୍ରୀ ବାସ କରନ୍ତି। ମାତ୍ର ବିଏସ୍‌ଏନ୍‌ଏଲ୍‌ର ଏପରି ସାଂଘାତିକ ଅବସ୍ଥାକୁ ନେଇ ସମସ୍ତେ ବିରକ୍ତି ପ୍ରକାଶ କରୁଛନ୍ତି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ନୀଳାଦ୍ରୀବିହାର ଅଞ୍ଚଳରେ ଆଉ ଏକ ଟାଓ୍ଵାରର ଆବଶ୍ୟକତା ଥିବା କହି ସମସ୍ୟାକୁ ଟାଳି ଦେଉଛନ୍ତି।

ହାଉସିଂବୋର୍ଡ଼ ଅଞ୍ଚଳରେ ଏହି ସେବା ଅତ୍ୟନ୍ତ ଖରାପ। ଗୋଟିଏ ମିନିଟ୍‌ ମଧ୍ୟ କଥାବାର୍ତା କରି ହେଉ ନାହିଁ। ଘର ଭିତରକୁ ଆଦୌ ନେଟଓ୍ଵର୍କ ଆସୁନି। ଏନେଇ ତୁରନ୍ତ ସମାଧାନ କରିବାକୁ ଦାବି କରୁଛୁ।
ଅନିରୁଦ୍ଧ ଲେଙ୍କା, ଯୁବବ୍ୟବସାୟୀ, ହାଉସିଂବୋର୍ଡ

ଦେଶର ସରକାରୀ ସଂସ୍ଥାର ଏପରି ଦୁର୍ବଳ ପ୍ରଦର୍ଶନ କାରଣରୁ ଏହି ସଂସ୍ଥା ସର୍ବଦା କ୍ଷତିରେ ଚାଲୁଛି। ଗ୍ରାହକ ସେବା ପ୍ରତି ଆଦୌ ଦୃଷ୍ଟି ଦିଆଯାଉ ନାହିଁ। ବଡ଼ ବଡ଼ ଅଧିକାରୀମାନେ ମୋଟା ଅଙ୍କର ଦରମା ନେଇ ଚୁପ୍‌ ବସିଯାଉଛନ୍ତି। ତେଣୁ ଘରୋଇ ଟେଲିକମ୍‌ କମ୍ପାନିମାନେ ଆଗେଇଯାଉଛନ୍ତି।
ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସଂଗଠକ, ନୀଳାଦ୍ରିବିହାର

ଆମ ଅଞ୍ଚଳରେ ବିଏସଏନଏଲ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ମୋବାଇଲ୍‌ରେ ନେଟଓ୍ଵର୍କ ଥିଲେ ମଧ୍ୟ କଥା ହେବା ସମ୍ଭବ ହେଉନାହିଁ। ଏନେଇ ସ୍ଥାନୀୟ ବିଏସଏନଏଲ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ଫଳ ମିଳୁନାହିଁ। ଘର ଭିତରେ ଥାଇ ଏହି ନେଟଓ୍ଵର୍କରେ କଥା ହେବା ଅସମ୍ଭବ। ଏନେଇ ସମାଧାନର ପନ୍ଥା ତୁରନ୍ତ ନବାହାରିଲେ ବିଏସଏନଏଲ କାର୍ଯ୍ୟାଳୟ ଘେରାଉ ହେବ।
ପ୍ରସନ୍ନ ପାଣି, ପ୍ରଗତୀ ଏନକ୍ଲେଭ୍‌

ସମ୍ବନ୍ଧିତ ଖବର