ଚନ୍ଦ୍ରଶେଖରପୁର ମହୋତ୍ସବ: କଳା, ସଂସ୍କୃତି ଓ ଭାଇଚାରାର ତ୍ରିବେଣୀ ସଙ୍ଗମ

ଚନ୍ଦ୍ରଶେଖରପୁର : ଆରମ୍ଭ ହୋଇଛି ଚନ୍ଦ୍ରଶେଖରପୁର ମହୋତ୍ସବ। କଳା, ସଂସ୍କୃତିର ପ୍ରଚାର ପ୍ରସାର ସହିତ ଭାତୃତ୍ୱ ଭାବର ତ୍ରିବେଣୀ ସଙ୍ଗମରେ ଝୁମୁଛନ୍ତି ଚନ୍ଦ୍ରଶେଖରପୁର ବାସିନ୍ଦା। ହାଉସିଂବୋର୍ଡ କଲୋନି ଦୁର୍ଗାପୂଜା ପଡ଼ିଆରେ ଶନିବାର ଦିନ ଉଦ୍‌ଘାଟିତ ହୋଇଥିବା ଏହି ମହୋତ୍ସବକୁ ନେଇ ଅଞ୍ଚଳବାସୀ ଖୁସିରେ ମସ୍‌ଗୁଲ ଅଛନ୍ତି। ଅତ୍ୟାଧୁନିକତାର ଦ୍ୱାହି ଦେଇ ରାଜଧାନୀରୁ ଭାଇଚାରାର ପରମ୍ପରା ଧୀରେ ଧୀରେ ଅପସରି ଯାଉଥିବା ବେଳେ ଚନ୍ଦ୍ରଶେଖରପୁର ମହୋତ୍ସବ ଲୋକଙ୍କ ମଧ୍ୟରେ ଶ୍ରଦ୍ଧାଭାବ ଜାଗ୍ରତ କରିବାକୁ ପୂର୍ଣ୍ଣ ପ୍ରୟାସ କରୁଛି। ତିନି ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇଥିଲେ। ଆୟୋଜକ କମିଟିର ଅଧ୍ୟକ୍ଷ ମଧୁ ମାଧବ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ କର୍ପୋରେଟର୍‌ ମୋନାଲିସା ସାହୁ, ପ୍ରୀତିନନ୍ଦା ରାଉତରାୟ, ଆବାହକ ବିଜୟ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ପ୍ରତିଭାଧାରୀଙ୍କୁ ମଧ୍ୟ ସମ୍ବର୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି।

ଏହି ମହୋତ୍ସବର ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେଉଛି। ପ୍ରଥମ ସନ୍ଧ୍ୟାରେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିବା ବେଳେ ଆଜି ଦ୍ୱିତୀୟ ସନ୍ଧ୍ୟାରେ ଗୋଟିପୁଅ ନୃତ୍ୟ ପରିବେଷଣ କରାଯାଇଥିଲା। ଏଥିରେ ବିଜେପି ନେତା ସଂଗ୍ରାମ ପାଇକରାୟ, ସମରେନ୍ଦ୍ର ସାହୁ, ଦିଲ୍ଲୀପ ସାହୁ, ନିଶିକାନ୍ତ ରାଉତରାୟ ପ୍ରମୁଖ ଯୋଗଦେଇଥିଲେ। ଏଲ୍‌ପି ଟିମ୍‌ର ସମସ୍ତ ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର