ଝଲସିବ କଳିଙ୍ଗ ଷ୍ଟୁଡିଓ, ପ୍ରତିଷ୍ଠା ହେବ ସଂଗ୍ରହାଳୟ

ଭୁବନେଶ୍ୱର: ଫେରିବ କଳିଙ୍ଗ ଷ୍ଟୁଡିଓର ସୌନ୍ଦର୍ଯ୍ୟ। ଜଙ୍ଗଲ ଓ ଅନାବନା ଗଛଲତା ମଧ୍ୟରେ ଲୁଚିଯିବାକୁ ବସିଥିବା ଏହି ଷ୍ଟୁଡିଓ ନୂଆ ଜୀବନ ପାଇବ। ପୁଣି ଝଲସିବ ଏହାର ପରିସର। ବୟାନ କରିବ ଗାଁ’ର କଥା ଓ ସହରୀ ସଭ୍ୟତାର ଝଲକ। ଦେଢ଼ ମାସ ହେଲା ତ୍ୱରିତ ବେଗରେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ। ଠିକ୍‌ ବଡ଼ବଡ଼ ଫିଲ୍ମ ସିଟି (ଚଳଚ୍ଚିତ୍ର ନଗର) ଶୈଳୀରେ ପ୍ରସ୍ତୁତ ହେବ ଷ୍ଟୁଡିଓ। କେବଳ ଫିଲ୍ମ ସୁଟିଂରେ ସୀମିତ ରହିବନି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର ବାଟ ଫିଟିବ। ଟିକେଟ୍‌ କରି ଷ୍ଟୁଡିଓ ବୁଲିବାର ସୁଯୋଗ ମିଳିବ। ଷ୍ଟୁଡିଓ ମଧ୍ୟରେ ସୁଟିଂ ସ୍ପଟ୍‌ ବ୍ୟତୀତ ଏକ ‘ଚଳଚ୍ଚିତ୍ର ସଂଗ୍ରହାଳୟ’ ନିର୍ମିତ ହେବ। ସୁଟିଂ ପାଇଁ ମହଜୁଦ ଥିବା ୪ଟି ଭିଆଇପି କଟେଜ୍‌, ମନ୍ଦିର, ଗାର୍ଡେନ୍‌, ସୁଟିଂ ହଲ୍‌ ଓ ଭିଲେଜ୍‌ କମ୍ପ୍ଲେକ୍ସ ଭିତରେ ଥିବା ଚାଳଘର, ଜମିଦାର ଘର, ଭାଗବତ ଟୁଙ୍ଗି, ଗ୍ରିନ୍‌ ରୁମ୍‌ ଆଦିକୁ ପୁନରୁଦ୍ଧାର କରାଯାଉଛି। ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଏହାର ନିର୍ମାଣ କାର୍ଯ୍ୟ ହାତକୁ ନେଇଛି। ଏଥିସହ ସୁଟିଂ ପାଇଁ ସମସ୍ତ ପାରିପାର୍ଶ୍ୱିକ ସୁବିଧା ଯୋଗାଇ ଦେବାକୁ ବଡ଼ ସ୍ୱିମିଂ ପୁଲ୍‌, ବସ୍‌ ଷ୍ଟପ୍‌, ପେଟ୍ରୋଲ୍‌ ପମ୍ପ, ପୁଲିସ୍‌ ଷ୍ଟେସନ୍‌ ବି ନିର୍ମିତ ହେବ। ପୁଲିସ୍‌ ଷ୍ଟେସନ୍‌କୁ ସମ୍ପୂର୍ଣ୍ଣ ଭାଙ୍ଗି ନୂଆ ତିଆରି ହେବ। ସେହିପରି ବଡ଼ ବସ୍ତି ଓ ରାସ୍ତା ନିର୍ମିତ ହେବ। ପୂର୍ତ ବିଭାଗ ଏହି କାମର ଦାୟିତ୍ୱ ନେଇଛି।

ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ସୂଚନା ମୁତାବକ, ପ୍ରାଥମିକ ପ୍ରର୍ଯ୍ୟାୟରେ ୧୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଷ୍ଟୁଡିଓର ୨୫ଏକର ଜମିକୁ ଷ୍ଟୁଡିଓ ସଂପ୍ରସାରିତ ହେବ। ଷ୍ଟୁଡିଓରେ ସୁଟିଂ ତଥା ଭ୍ରମଣ ପାଇଁ ସମସ୍ତ ସୁବିଧା କରାଯାଉଛି। ଏଥିସହ ଫିଲ୍ମ ୟୁନିଟ୍‌ ରହିବା ପାଇଁ ବଡ଼ ଡର୍ମିଟୋରିର ବ୍ୟବସ୍ଥା କରାଯିବ। କ୍ୟାଣ୍ଟିନ୍‌ ସୁବିଧା ମଧ୍ୟ ଉପଲବ୍ଧ ହେବ। ସଂପ୍ରତି ପୁନରୁଦ୍ଧାର ପାଇଁ ୨ କୋଟି ଟଙ୍କା ମଞ୍ଜୁର ହୋଇଛି। ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟୁଡିଓର ପୁନରୁଦ୍ଧାର ପାଇଁ ଗୁରୁତ୍ୱ ଦେଉଥିବାରୁ ଏଥିପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ୧୯୮୨ରେ ପ୍ରାୟ ୨୫ ଏକର ଜମିରେ ନିର୍ମାଣ ହୋଇଥିଲା କଳିଙ୍ଗ ଷ୍ଟୁଡିଓ। ବୈଷୟିକ ସୁବିଧାଠାରୁ ଆରମ୍ଭ କରି ଯନ୍ତ୍ରପାତିର ମାନ ଦୃଷ୍ଟିରୁ ଏହା ଦେଶର ଉତ୍ତର ପୂର୍ବାଞ୍ଚଳରେ ଆଧୁନିକ ଷ୍ଟୁଡିଓର ମାନ୍ୟତା ପାଇଥିଲା। ସୂଚନାଯୋଗ୍ୟ, ଏଠାରେ ଓଡ଼ିଆ ସହ ବଙ୍ଗଳା, ମଣିପୁରୀ, ଆସାମୀ, ଭୋଜପୁରୀ ଓ ହିନ୍ଦୀ ଭାଷାରେ ୫୧୦ରୁ ଅଧିକ ଚଳଚ୍ଚିତ୍ର ନିର୍ମାଣ ହୋଇଛି। ମାତ୍ର ୧୯୯୯ ମହାବାତ୍ୟା ସବୁ ଉଜାଡ଼ି ଦେଇଥିଲା।

ସମ୍ବନ୍ଧିତ ଖବର