ସଚିବାଳୟ ମାର୍ଗ ଢାଞ୍ଚା ବଦଳିବ

ଭୁବନେଶ୍ୱର: ସ୍ମାର୍ଟ ଜନପଥ ଭଳି ସ୍ମାର୍ଟ ରାସ୍ତାରେ ପରିଣତ ହେବ ସଚିବାଳୟ ମାର୍ଗ। ସହରୀ ପାର୍କିଂ ବ୍ୟବସ୍ଥା, ସୌନ୍ଦର୍ଯ୍ୟକରଣ, ଅତ୍ୟାଧୁନିକ ସୁବିଧା ସୁଯୋଗକୁ ରଖି ଆଚାର୍ଯ୍ୟବିହାର ଛକରୁ ବିମାନବନ୍ଦର ଛକ ପର୍ଯ୍ୟନ୍ତ ରାସ୍ତାକୁ ନୂଆ ରୂପ ଦିଆଯିବ। ଏହି ରାସ୍ତା ବ୍ୟତୀତ ଏହାକୁ ସଂଯୋଗ କରୁଥିବା ଉଦ୍ୟାନ ମାର୍ଗ, ରାଜପଥ, ମହାତ୍ମା ଗାନ୍ଧୀ ମାର୍ଗ, ମଧୁସୂଦନ ମାର୍ଗ, ବାୟାବାବା ରାସ୍ତା ସମେତ ସମସ୍ତ ଗଳିକନ୍ଦି ରାସ୍ତାକୁ ମିଶାଇ ମୋଟ୍‌ ୯.୩କିମି ରାସ୍ତାକୁ ନୂଆ ରୂପ ଦିଆଯିବ। ଏଥିପାଇଁ ପ୍ରାୟ ୩୦୦କୋଟି ଖର୍ଚ୍ଚ ହେବାକୁ ଥିବାବେଳେ ଏହି ପ୍ରକଳ୍ପ ଯେପରି ବର୍ଷକ ମଧ୍ୟରେ ଶେଷ ହେବ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସଚିବାଳୟ ମାର୍ଗକୁ ନୂଆ ରୂପ ଦେବା ପାଇଁ ବିଡିଏ ପକ୍ଷରୁ ଭୁବନେଶ୍ୱର ଅର୍ବାନ ନଲେଜ୍‌ ସେଣ୍ଟର ମାଧ୍ୟମରେ ପୂର୍ତ୍ତ ବିଭାଗ ସହାୟତାରେ ଏହି ଡିଜାଇନ୍‌ ପ୍ରସ୍ତୁତ ହୋଇଛି। ଖୁବ୍‌ ଶୀଘ୍ର ଏନେଇ ଟେଣ୍ଡର ଆହ୍ଵାନ କରାଯିବା ସହ କାମ ଆରମ୍ଭ କରାଯିବ ବୋଲି ବିଡିଏ ପକ୍ଷରୁ କୁହାଯାଇଛି।ସ୍ମାର୍ଟ ସିଟି ଅଧୀନ ଅଞ୍ଚଳରେ ଏହି ରାସ୍ତା ଯାଉ ନ ଥିବାରୁ ଏହାର ନବୀକରଣ କାର୍ଯ୍ୟ ପୂର୍ତ୍ତ ବିଭାଗ କରିବ। ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସତ୍ୟନଗର ବିଜିନେସ୍‌ ଡିଷ୍ଟ୍ରିକ୍ଟକୁ ସୁବିଧାରେ ଯାତାୟତ କରିବା ପାଇଁ ବାଣୀବିହାରରୁ ଶିଶୁ ଭବନ ପର୍ଯ୍ୟନ୍ତ ଜନପଥକୁ ସ୍ମାର୍ଟ ଜନପଥ କରାଯିବ। ଏହାପରେ ଆଚାର୍ଯ୍ୟ ବିହାରରୁ ବିମାନବନ୍ଦର ଛକ ପର୍ଯ୍ୟନ୍ତ ରାସ୍ତାକୁ ସ୍ମାର୍ଟ ସଚିବାଳୟ ମାର୍ଗ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଦୁଇ ରାସ୍ତାକୁ ରାଜଧାନୀର ପ୍ରମୁଖ ରାସ୍ତା ଭାବେ ପ୍ରସ୍ତୁତ କରାଯିବ। ସଚିବାଳୟ ମାର୍ଗ ୬ଥାକିଆ ରାସ୍ତା ହେବ।

ସ୍ମାର୍ଟ ସଚିବାଳୟ ମାର୍ଗ ପାଇଁ ଏବେ କେତେକ ପ୍ରତିବନ୍ଧକ ଥିବାରୁ ଏହାର ସମାଧାନ ପାଇଁ ବିଭିନ୍ନ ବିଭାଗ ସହ ଆଲୋଚନା ହୋଇଛି। ଏହି ରାସ୍ତାରେ ଏବେ ଓପିଟିସିଏଲ୍‌ ଭୂତଳ କେବୁଲ୍‌ ବିଛାଉଥିବାବେଳେ, ବିଏସ୍‌ଏନ୍‌ଏଲ୍‌ ମଧ୍ୟ କେବୁଲ୍‌ ବିଛାଉଛି। ଜନସ୍ୱାସ୍ଥ୍ୟ ବିଭାଗର ପାଣି ପାଇପ୍‌ ଦୀର୍ଘ ବର୍ଷ ହେଲା ପଡ଼ିଥିବାବେଳେ ସ୍ୱେରେଜ୍‌ ବୋର୍ଡ ମଧ୍ୟ ସ୍ୱେରେଜ୍‌ ଲାଇନ୍‌ ବିଛାଇଛି। ସେହିପରି ଏହି ରାସ୍ତାରେ ପ୍ରାୟ ଦୁଇଟି ଓଭରବ୍ରିଜ୍‌ କରିବାକୁ ପୂର୍ତ୍ତ ବିଭାଗ ଯୋଜନା କରିଛି। ତେଣୁ ଏହି ସବୁ ବିଭାଗ ସହ ସେମାନଙ୍କ ପ୍ରକଳ୍ପ ନେଇ ସବିଶେଷ ଆଲୋଚନା ହୋଇଛି। ଯେପରି ସ୍ମାର୍ଟ ସଚିବାଳୟ ମାର୍ଗରେ ଏହି ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରାଯାଇପାରିବ ଏବଂ ୨୦୫୦ ପର୍ଯ୍ୟନ୍ତ ଏହି ରାସ୍ତାକୁ ନ ଖୋଳି, ସୌନ୍ଦର୍ଯ୍ୟକରଣକୁ ନଷ୍ଟ ନକରି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରି ହେବ ସେହିଭଳି ଡିଜାଇନ୍‌ ପ୍ରସ୍ତୁତ ହୋଇଛି।ଆଚାର୍ଯ୍ୟ ବିହାରରୁ ବିମାନ ବନ୍ଦର ପର୍ଯ୍ୟନ୍ତ ପ୍ରାୟ ୬କିମିର ରାସ୍ତା ଥିବାବେଳେ ଏହି ରାସ୍ତା ସଂଲଗ୍ନ ପ୍ରାୟ ୩କିମି ରାସ୍ତାର ବି ଉନ୍ନତିକରଣ ହେବ। ଏହି ରାସ୍ତାରେ ଜନପଥ ତୁଳନାରେ କମ୍‌ ବ୍ୟବସାୟିକ ପ୍ରତିଷ୍ଠାନ ଥିବାରୁ ଏହାର ଢାଞ୍ଚା ଜନପଥଠାରୁ ସାମାନ୍ୟ ଭିନ୍ନ ହେବ। ଏଠାରେ ଅଧିକ ପାର୍କିଂ ବ୍ୟବସ୍ଥା ରହିବନି। ଦୁଇଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ହେବ। ସ୍ମାର୍ଟ ସଚିବାଳୟ ମାର୍ଗରେ ପ୍ରଶସ୍ତ ଓ ଚକାଚକ୍‌ ରାସ୍ତା, ଆଧୁନିକ ଟ୍ରାଫିକ ସିଗନାଲ୍‌, ଦୁର୍ଘଟଣା ମୁକ୍ତ ଅଞ୍ଚଳ, ଜବରଦଖଲମୁକ୍ତ, ପଥଚାରୀଙ୍କ ପାଇଁ ଫୁଟପାଥ୍‌, ସ୍ୱତନ୍ତ୍ର ସାଇକେଲ୍‌ ଟ୍ରାକ୍‌ ଆଦି ରହିବ। ଗୋଟିଏ ସ୍ଥାନରେ ସୁଉଚ୍ଚ ବିଲଡିଂରେ ବ୍ୟବସାୟିକ ପ୍ରତିଷ୍ଠାନ ଓ ଆବାସିକ ପ୍ରକଳ୍ପ ରହିବ।

ଏହି ରାସ୍ତାରେ ଅଧିକ ସରକାରୀ କାର୍ଯ୍ୟାଳୟ, ସଚିବାଳୟ, ବିଧାନସଭା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ, ରବୀନ୍ଦ୍ର ମଣ୍ଡପ, ଉତ୍କଳ ମଣ୍ଡପ, ଜୟଦେବ ଭବନ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମର ପେଣ୍ଠସ୍ଥଳୀ ଥିବାରୁ ଏହି ରାସ୍ତାର ଡିଜାଇନ୍‌ ସେହି ଅନୁଯାୟୀ ପ୍ରସ୍ତୁତ ହେବ। ମୁଖ୍ୟତଃ ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ୱ ଦିଆଯିବ।ସେହପିରି ଆଇଜି ପାର୍କ, ବିଡିଏ ସିଟି ସେଣ୍ଟର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଭଳି ଆମୋଦପ୍ରମୋଦ ସ୍ଥାନ ଥିବାରୁ ଏହାକୁ ବିଶେଷ ଧ୍ୟାନ ଦିଆଯିବ। ଏହି ରାସ୍ତା ଯେପରି ଅଧିକ ଆକର୍ଷଣୀୟ ହେବ ସେଥିପାଇଁ ବିଭିନ୍ନ ସଂସ୍ଥା ସହ ଆଲୋଚନା କରାଯାଉଛି ବୋଲି ବିଡିଏର ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।ସ୍ମାର୍ଟ ସଚିବାଳୟ ମାର୍ଗରେ ଅନ୍ୟ ରାସ୍ତାଗୁଡ଼ିକ ଭଳି ସ୍ୱତନ୍ତ୍ର ସାଇକେଲ୍‌ ଟ୍ରାକ୍‌ ଓ ଫୁଟପାଥ୍‌ ରହିବ। ସମସ୍ତ ଫୁଟପାଥ୍‌ ଜବରଦଖଲ ମୁକ୍ତ ହେବା ସହ ପ୍ରତି ଫୁଟପାଥ୍‌ ଉଚ୍ଚତା ଯେପରି ୯ଇଞ୍ଚ ରହିବ ସେଥିପାଇଁ ଧ୍ୟାନ ଦିଆଯିବ। ଏହି ରାସ୍ତାରେ ସ୍ମାର୍ଟ ରୋଡ୍‌ ନେଟଓ୍ଵାର୍କ ରହିବ। ଏହି ଫୁଟପାଥ୍‌ରେ ବାଇସାଇକେଲ୍‌ ଟ୍ରାକ୍‌ ରହିବ। ସବୁ ରାସ୍ତା ପିଲାମାନଙ୍କ ପାଇଁ ଅନୁକୂଳ ହେବ, ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ସୁଯୋଗ ରହିବ, ଦୃଷ୍ଟିହୀନ ବି ଆରାମରେ ଯାତାୟତ କରିପାରିବେ ସେହିଭଳି ପ୍ରସ୍ତୁତ କରାଯିବ। ସେହିପରି ୬ରୁ ୯ଇଞ୍ଚ ଉଚ୍ଚତାର ଓସାରିଆ ଫୁଟପାଥ୍‌ ନିର୍ମାଣ ହେବ। ଯେଉଁଠି ଗଳିକନ୍ଦି ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବ ସେଠାରେ ଫୁଟପାଥ୍‌ରେ ଗଡ଼ାଣିଆ ରହିବ। ଏହାବାଦ୍‌ ଯେପରି କୌଣସି ଦୁର୍ଘଟଣା ନ ଘଟିବ ସେଥିପାଇଁ ଗଳି ପାଖରେ ହମ୍ପ୍ସ ରଖିବାର ବ୍ୟବସ୍ଥା ରହିବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର