ଭୁବନେଶ୍ୱର: ବିଶ୍ୱକପ୍ ହକି ପୂର୍ବରୁ ବଦଳିବ ସ୍ମାର୍ଟ୍ସିଟିର ବସଷ୍ଟପ୍। ଭଙ୍ଗା ଦଦରା ହୋଇ ପଡ଼ିଥିବା ବସ୍ଷ୍ଟପ୍ଗୁଡ଼ିକୁ ନୂଆ ରୂପ ଦିଆଯିବ। କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (ସିଆରୟୁଟି) ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଛି। ଭୁବନେଶ୍ୱର ସିଟି ବସ୍ ଆଧୁନିକୀକରଣ ପ୍ରକଳ୍ପ (ବିସିବିଏମ୍ପି)ର ଏକ ଅଂଶବିଶେଷ ଭାବେ ଏଭଳି ପଦକ୍ଷେପ ନିଆଯିବ। ଜେଏସ୍ଏଲ୍ ଲାଇଫ୍ଷ୍ଟାଇଲ୍ ନିଲାମ ନେଇଛି। ସାରା ସହରରେ ଷ୍ଟିଲ୍ରେ ଅତ୍ୟାଧୁନିକ ସୁବିଧା ଯୋଗାଇଦେବ। ଭୁବନେଶ୍ୱର ସ୍ମାର୍ଟ୍ ସିଟି ଲିମିଟେଡ୍ ଏଥିପାଇଁ ଅର୍ଥ ଯୋଗାଇଦେବ। ଏହାର ଅତ୍ୟାଧୁନିକୀକରଣ ପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ। ୩ ମାସ ମଧ୍ୟରେ ବସ୍ଷ୍ଟପ୍ଗୁଡ଼ିକ ନୂଆ ରୂପ ପାଇବ ବୋଲି ରାଜିନାମାରେ ସ୍ୱାକ୍ଷର ହୋଇଛି। ବସଷ୍ଟପ୍ର ଉପରି ଭାଗ ସୁଦୃଢ଼ ହେବ। ସବୁ ପ୍ରକାର ପାଗରେ ତାହା ଯାତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦେବ। ସାଇକେଲ୍ ଷ୍ଟାଣ୍ଡ ମଧ୍ୟ ହେବ। ଯେଉଁଠାରେ ସାଇକେଲ ଚଲାଳିମାନେ ସେମାନଙ୍କ ସାଇକେଲ୍ ସୁରକ୍ଷିତ ଭାବେ ରଖିପାରିବେ। ବର୍ଷାଦିନେ ବସଷ୍ଟପ୍ ଉପର ଛାତରୁ ପାଣି ଗଳିବ ନାହିଁ। ନିଆଁ ସହଜରେ ଧରିବନି। ଏଠାରେ ଯାତ୍ରୀଙ୍କ ବସିବା ପାଇଁ ସୁବିଧା ରହିବ। ଡଷ୍ଟବିନ୍, ସାଇନ୍ ବୋର୍ଡ, ପଛପାର୍ଶ୍ୱରେ ଭୁବନେଶ୍ୱର ମାନଚିତ୍ର ଥିବା ଡିସ୍ପ୍ଲେ ବୋର୍ଡ ଲାଗିବ। ଜିପିଏସ୍ ମାଧ୍ୟମରେ ଯାତ୍ରୀଙ୍କୁ ବସ୍ ଆସିବାର ସମୟ, କେଉଁ ସ୍ଥାନରେ କେତେବେଳେ ବସ୍ ପହଞ୍ଚିବ, କେଉଁ ରାସ୍ତା ଦେଇ ଯିବ ଆଦି ବିଷୟରେ ଯାତ୍ରୀଙ୍କୁ ତଥ୍ୟ ମିଳିପାରିବ। ବିଜ୍ଞାପନ ମଧ୍ୟ ଲାଗିବ। ଏହିଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଅର୍ଥ ଖର୍ଚ୍ଚର୍ ହେବ। ବହୁ ଦିନ ପର୍ଯ୍ୟନ୍ତ ଏହା ଚାଲିପାରିବ। ଆକର୍ଷଣୀୟ ଅନୁଭବ ବି ଦେବ।