ଜଳବାୟୁ ପରିବର୍ତନ ବିଶ୍ୱ ପାଇଁ ଆହ୍ଵାନ

ବିନୋବା ଭାବେଙ୍କ ୧୨୪ତମ ଜୟନ୍ତୀ ଓ ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀର ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର: ଉତ୍ତରାଖଣ୍ଡରେ ପ୍ରବଳ ଗଛ କଟାଯିବା ଯୋଗୁଁ ସେଠାରେ ବନ୍ୟା ବିତ୍ପାତ ଦେଖା ଦେଇଥିଲା। ହେନ୍ତାଳ ବନ ନଷ୍ଟ ଯୋଗୁଁ ଓଡ଼ିଶାରେ ଭୟଙ୍କର ମହାବାତ୍ୟା ହୋଇଥିଲା। ତେଣୁ କ୍ଷଣିକ ସ୍ୱାର୍ଥ ପାଇଁ ପ୍ରକୃତି ବିରୋଧୀ କାର୍ଯ୍ୟ କଲେ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି କହିଛନ୍ତି ଚିପ୍‌କୋ ଆନ୍ଦୋଳନର ପୁରୋଧା ପଦ୍ମବିଭୂଷଣ ଚଣ୍ଡି ପ୍ରସାଦ ଭଟ୍ଟ। ଆଜି ବିନୋବା ସେବା ପ୍ରତିଷ୍ଠାନ, ନୂଆଦିଲ୍ଲୀସ୍ଥିତ ଗାନ୍ଧୀ ସ୍ମୃତି ଦର୍ଶନ ସମିତି ଓ ଗାନ୍ଧୀ ଗ୍ଲୋବାଲ ଫାଉଣ୍ଡେସନ୍‌ର ମିଳିତ ଆନୁକୂଲ୍ୟରେ ବିନୋବା ଭାବେଙ୍କ ୧୨୪ତମ ଜୟନ୍ତୀ ଓ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ବିନୋବା ସେବା ପ୍ରତିଷ୍ଠାନର ସାଧାରଣ ସଂପାଦକ ମନୋଜ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଭଟ୍ଟ କହିଲେ, ବିଶ୍ୱ ତାପନ ଏବେ ବିଶ୍ୱବାସୀଙ୍କ ସମ୍ମୁଖରେ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଏହି ଅବସରରେ ସେ ଓଡ଼ିଶା ମହାବାତ୍ୟା ସମୟରେ ଦେଖିଥିବା ପ୍ରକୃତିର କରାଳ ରୂପ ସଂପର୍କରେ ଅନୁଭୂତି ବାଣ୍ଟିଥିଲେ। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଲେ, ରାଜ୍ୟରେ ଭୂମିହୀନ, ନାମମାତ୍ର ଓ କ୍ଷୁଦ୍ରଚାଷୀଙ୍କ ସଂଖ୍ୟା ହେଉଛି ୮୫ ପ୍ରତିଶତ। ଭୂସଂସ୍କାର ଆଇନ ରହିଛି, ମାତ୍ର ଏହା କାର୍ଯ୍ୟକାରୀ ହୋଇପାରୁନି। ଯଦି ଏହା କାର୍ଯ୍ୟକାରୀ ହୁଏ, ତେବେ ଚାଷୀ ନିଜର ଅଧିକାର ପାଇପାରନ୍ତା। ଭୂଦାନ ଆନ୍ଦୋଳନ ସମୟରେ ରାଜ୍ୟରେ ଯେଉଁ ସବୁ ଜମି ଦିଆଯାଇଥିଲା, ତାହା ଏବେ କେଉଁଠି ଅଛି, ତାହାର ସର୍ବେକ୍ଷଣ ହେବା ଉଚିତ ବୋଲି ଶ୍ରୀ ସାମଲ କହିଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ, ଦେଶର ସଂସ୍କୃତି ଓ ପରମ୍ପରା ସହ ଗାନ୍ଧୀଙ୍କ ଚିନ୍ତାଧାରାରେ ସମନ୍ଵୟ ନ ରହିଲେ ଦେଶ ବିକାଶ କରିପାରିବ ନାହିଁ। ମାତ୍ର ଧୀରେ ଧୀରେ ଆମେ ଏସବୁକୁ ଭୁଲି ଯିବାକୁ ବସିଛୁ। ଦେଶରେ ଗାନ୍ଧୀ ଓ ବିନୋବାଙ୍କ ଆଦର୍ଶର ଓଲଟା ହେଉଛି। ପୁଞ୍ଜିପତିମାନେ ରାଜନୀତିକୁ କବଳିତ କରି ସାରିଲେଣି। ସବୁ ରାଜନୈତିକ ଦଳକୁ ଛନ୍ଦ କପଟ ଗ୍ରାସ କରିଛି। ଦେଶର ୧୨ପ୍ରତିଶତ ଲୋକଙ୍କ ପାଖରେ ୮୦ ପ୍ରତିଶତ ଧନ ରହିଥିବା ବେଳେ ୮୫ ପ୍ରତିଶତ ଲୋକଙ୍କ ପାଖରେ ଦେଶର ୨୦ପ୍ରତିଶତ ଧନ ଅଛି। ଧନୀ ଓ ଗରିବଙ୍କ ମଧ୍ୟରେ ବ୍ୟବଧାନ ବଢ଼ିଛି। ଦେଶ ବିକାଶ କରିବାକୁ ହେଲେ ଗାନ୍ଧୀ ଓ ବିନୋବାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ମହିଳା କମିସନର୍‌ ପୂର୍ବତନ ଅଧ୍ୟକ୍ଷା ନମ୍ରତା ଚଢ଼ା ଓ ଗାନ୍ଧୀବାଦୀ ଫୋରମର ଅଧ୍ୟକ୍ଷା ରୀନା ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଗାନ୍ଧୀ ୧୫୦ବର୍ଷ ଉପଲକ୍ଷେ ସ୍ୱତନ୍ତ୍ର କ୍ୟାଲେଣ୍ଡର ଉନ୍ମୋଚିତ ହୋଇଥିଲା। ଗାନ୍ଧୀ ୧୫୦ର ନିରଦ ବରଣ ଖୁଣ୍ଟିଆ, ସନ୍ଦୀପ ମହାନ୍ତି, ଜ୍ୟୋତିିର୍ମୟୀ ସାହୁ, ରବୀନ୍ଦ୍ର କର, ହରେକୃଷ୍ଣ ବେହେରା, ଅନୀଲ ଜେନା ଓ ବିଭୁ ପ୍ରସାଦ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର