କଥାରେ ଅଛି, ଫଟୋଟିଏ ହଜାର ଶବ୍ଦର କାହାଣୀଟିଏ କହି ଦେଇପାରେ। ଏହା କେବଳ ଭାବକୁ ନୁହେଁ, ପରିସ୍ଥିତିକୁ ମଧ୍ୟ ବ୍ୟାଖ୍ୟା କରେ। ଆଜିର ଏଇ ଅତ୍ୟାଧୁନିକ ଯୁଗରେ ମଣିଷ ଭାବକୁ ବ୍ୟକ୍ତ କରିବା ପାଇଁ ଏକ ଭିନ୍ନ ତରିକା ଆପଣାଇଛନ୍ତି। ମୋବାଇଲରେ କଥାବାର୍ତା ହେବା ଅପେକ୍ଷା ଚାଟିଂ କରିବା ଏବେ ଯୁବପିଢ଼ିଙ୍କ ସଉକ ପାଲଟିଛି। ଜଣଙ୍କୁ ବାରମ୍ବାର ଫୋନ୍ କରି ବିବ୍ରତ ନ କରି ଫୋନ୍ ଜରିଆରେ ବନ୍ଧୁଙ୍କ ସହ ବାର୍ତ୍ତାଳାପ ପାଇଁ ଚାଟିଂ ଏକ ଉତ୍ତମ ଅବକାଶ ଆଣିଛି। ତେବେ ଚାଟିଂରେ ପୂର୍ବରୁ ସର୍ଟ୍କଟ୍ ଆଲେଖ୍ୟର ବ୍ୟବହାର ଅଧିକ ଥିବା ବେଳେ ଏବେ ଭାବ ବିନିମୟ କରୁଥିବା ଚିତ୍ରର ପ୍ରଚଳନ ସର୍ବାଧିକ। ଏସବୁ ଭିତରେ ଇମୋଜି, ଷ୍ଟିକର୍ ଓ ଗିଫ୍ର ଚାହିଦା ସର୍ବାଗ୍ରେ। ଯୁବପିଢ଼ିଙ୍କୁ ଦୃଷ୍ଟିରେ ରଖି ଆପ୍ଲିକେସନ୍-ଡେଭଲପର୍ମାନେ ବି ଏ ଦିଗରେ ନୂଆନୂଆ ଏକ୍ସପେରିମେଣ୍ଟ୍ ଚଳାଇଛନ୍ତି। ପ୍ରସ୍ତୁତି: ସସ୍ମିତା ସାହୁୁ
Sambad is now on WhatsApp
Join and get latest news updates delivered to you via WhatsApp
ଷ୍ଟିକର୍ସ୍
ମେସେଞ୍ଜର୍ ହେଉ ଅବା ହ୍ଵାଟସ୍ଆପ୍। ସବୁ ମେସେଜିଂ ଆପ୍ରେ ଏବେ ଚିତ୍ର ବାର୍ତାର ପ୍ରଚଳନ ଅଧିକ ରହିଛି। ଏହା ମଧ୍ୟରେ ମେସେଞ୍ଜର୍ର ଷ୍ଟିକରସ୍ ଅପ୍ସନ୍ ବେଶ୍ ଆକର୍ଷଣୀୟ। ଏଥିରେ ମଣିଷର ସମସ୍ତ ଭାବ ପ୍ରକାଶର ଅପ୍ସନ୍ ରହିଛି। ମେସେଞ୍ଜର୍ରେ ବନ୍ଧୁଙ୍କ ସହ ଚାଟିଂ କଲା ବେଳେ ଷ୍ଟିକର୍ ଅପ୍ସନ୍ରେ ବିଭିନ୍ନ କାଟାଗୋରିରେ ନିଜ ଭାବକୁ ବ୍ୟକ୍ତ କରିବା ପାଇଁ ଚିତ୍ର ଆସିଥାଏ। ଖୁସି ପାଳନ କରିବା, ସକ୍ରିୟ ଅନୁଭବ କରୁଥିବା, କାମ କରୁଥିବା, ଖାଉଥିବା, ଖୁସି ଥିବା, ପ୍ରେମରେ ପଡ଼ିବା, ଦୁଃଖୀ ଥିବା, ନିଦ ଲାଗୁଥିବାଠାରୁ ଆରମ୍ଭ କରି ରାଗ ଓ ଦ୍ୱନ୍ଦ୍ୱରେ ରହିବା ଆଦି ବହୁ ମୁଖଭଙ୍ଗୀର ଚିତ୍ର କୌତୁକିଆ ଢଙ୍ଗରେ ପ୍ରସ୍ତୁତ କରାଯାଇଛି। ଖାଲି ସ୍ଥିର ଚିତ୍ର ନୁହେଁ, ଆନିମେଟେଡ୍ ଚିତ୍ର ବି ଉପଲବ୍ଧ। କୌଣସି ବନ୍ଧୁଙ୍କ ଫଟୋ କିମ୍ବା ପୋଷ୍ଟ୍ରେ କମେଣ୍ଟ୍ କଲାବେଳେ ମଧ୍ୟ ଏହି ଷ୍ଟିକର୍ ବ୍ୟବହାର କରି ହେଉଛି। ଚାଟିଂ କଲା ବେଳେ ଏହି ଷ୍ଟିକର୍ଗୁଡ଼ିକର ବ୍ୟବହାର ବାର୍ତାରେ ମନୋରଞ୍ଜନ ଓ କୌତୁକ ଭରିବାରେ ସାହାଯ୍ୟ କରେ।
ଗିଫ୍ସ୍
ବାର୍ତାଳାପ ସମୟରେ ନିଜ ପାଗଳପଣ ଓ ମଜାଦାର ପରିସ୍ଥିତିକୁ ପ୍ରକାଶ କରିବା ପାଇଁ ‘ଗିଫ୍ସ୍’ର ଲୋକପ୍ରିୟତା ରହିଛି। ଏଗୁଡ଼ିକ ହେଉଛି ଅତି କ୍ଷୁଦ୍ର ଭିଡିଓ। ଯାହାକି ଆନିମେଟେଡ୍ କିମ୍ବା କୌଣସି ଚଳଚ୍ଚିତ୍ର କିମ୍ବା ଗୀତ ବା ଭିଡିଓର କିଛି ମାତ୍ର ଦୃଶ୍ୟର ଅଂଶବିଶେଷ। ଏହା ଚାଟିଂରେ ହାସ୍ୟରସ ଭରିବାରେ ସାହାଯ୍ୟ କରୁଛି। ଗିଫ୍ସ୍ରେ ସାଧାରଣତଃ ସେଲେବ୍ରିଟିମାନେ କୌତୁକିଆ କାର୍ଯ୍ୟକଳାପ କରୁଥିବା କିମ୍ବା ସେମିତି କିଛି ପରିସ୍ଥିତିରେ ଥିବା ଦର୍ଶାଇ ପାରୁଥିବାରୁ ଏହା ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଗ୍ରହଣୀୟ ହୋଇପାରିଛି।
ଇମୋଜି
ବର୍ତମାନ ଭାବ ବିନିମୟକାରୀ ଏହି ଚିତ୍ର ବାର୍ତା ମଧ୍ୟରେ ‘ଇମୋଜି’ର ଯଥେଷ୍ଟ ଆଦର ରହିଛି। ଏହା ଉଭୟ ଭାବ ଓ କାର୍ଯ୍ୟକଳାପକୁ ପ୍ରକାଶ କରିବାରେ ସାହାଯ୍ୟ କରୁଛି। ଆଣ୍ଡ୍ରଏଡ୍, ଓ୍ଵିଣ୍ଡୋଜ୍, ଆଇଓଏସ୍ ଓ ଓଏସ୍ ଏକ୍ସ ଆଦି ଅପରେଟିଂ ସିଷ୍ଟମ୍ରେ ଏହା ଉପଲବ୍ଧ। ଏବେ ସୁଦ୍ଧା ପାଖାପାଖି ୨୦୦୦ ଇମୋଜି ଥିବା ବେଳେ ପ୍ରାୟ ସବୁବେଳେ ନୂଆ ନୂଆ ଇମୋଜି ମାର୍କେଟକୁ ଆସିଥାଏ। ଇମୋଜିରେ ବିଭିନ୍ନ ମୁଖଭଙ୍ଗୀର କାର୍ଟୁନ୍ ଚିତ୍ର ସହ ବିଭିନ୍ନ ପଶୁପକ୍ଷୀଙ୍କ ଚିତ୍ର, ସମସ୍ତ ପ୍ରକାର ପାଣିପାଗ, ସାଧାରଣ ସାମାଗ୍ରୀ, ଖାଦ୍ୟ, ଯାନବାହନ, ଖେଳ ସାମଗ୍ରୀ, ମ୍ୟୁଜିକ୍ ସାମଗ୍ରୀ, ବିଭିନ୍ନ ଦେଶର ପତାକା ଓ ସ୍ଥାନ ମଧ୍ୟ ଦର୍ଶାଉଛି। ଏପରିକି ୨୦୧୬ରେ ଏବୋକୈଡ଼ୋ, ଗରିଲା ଓ ଜୋକର୍ ମୁହଁ ଆଦି ସମେତ ୭୨ଟି ନୂଆ ଇମୋଜି ମାର୍କେଟକୁ ଛଡ଼ା ଯାଇଥିଲା। ବାର୍ତାଳାପ ସମୟରେ ନିଜ ଭାବାବେଗ ସହ ପାରିପାର୍ଶ୍ୱିକ ପରିବେଶକୁ ଉପସ୍ଥାପିତ କରିବାର ଏବେ ଏହା ବଳିଷ୍ଠ ମାଧ୍ୟମ ସାଜିଛି। ୧୯୯୯ ମସିହାରେ ଜାପାନ୍ରେ ଜନ୍ମ ନେଇଥିବା ଏହି ଇମୋଜି ସଂସ୍କୃତି ୨୦୧୦ ବେଳକୁ ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିଥିଲା।