୮ ପ୍ରତିଭାଙ୍କୁ ଚାରୁକଳା ପୁରସ୍କାର 

ବେଳାଭୂମି କଡ଼ରେ ଥିବା କୀର୍ତିରାଜିକୁ ନେଇ ହେବ ଚିତ୍ର ପ୍ରଦର୍ଶନୀ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମି ପକ୍ଷରୁ ରାଜ୍ୟସ୍ତରୀୟ ଚାରୁକଳା ପୁରସ୍କାର ପ୍ରଦାନ ଉତ୍ସବ ଆଜି ସ୍ଥାନୀୟ ବୁଦ୍ଧ ଆର୍ଟ ଗ୍ୟାଲେରି ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦିଲ୍ଲୀପ ମାଝୀ, ଗଗନ ବିହାରୀ ମଣ୍ଡଳ, ଜିତେନ୍ଦ୍ର କୁମାର ପରିଡ଼ା, କଳ୍ପତରୁ ମହାରଣା, ନୃସିଂହ ଚରଣ ଓଝା, ଏନ୍‌ ଉମାଶଙ୍କର ଆଚାରି, ପ୍ରବଳ ମଲ୍ଲିକ ଏବଂ ସୁଜିତ କୁମାର ସେଠ୍‌ଙ୍କୁ ପୁରସ୍କୃତ କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ୩୦ ହଜାର ଟଙ୍କାର ଅର୍ଥରାଶି ସହ ତାମ୍ରଫଳକ, ପ୍ରମାଣ ପତ୍ର ଓ ଉପଢ଼ୌକନ ଦେଇ କୃତୀ ଶିଳ୍ପୀଙ୍କୁ ପୁରସ୍କୃତ କରିଥିଲେ।

ଶ୍ରୀ ପଣ୍ଡା ବକ୍ତବ୍ୟ ରଖି କହିଲେ, ଓଡ଼ିଶାର ଜନଜାତିଙ୍କ ମଧ୍ୟରେ ନିଖୁଣ କଳା ଭରି ରହିଛି। ତେଣୁ ଜନଜାତିର କଳାକୁ ନେଇ ଚିତ୍ରକଳା ଶିବିରଟିଏ କରିବାକୁ ପ୍ରସ୍ତାବ ଦେଇଥିଲେ। ଏଥିସହ ୪୮୦ କିଲୋମିଟର ପରିମିତ ବେଳାଭୂମି କଡ଼ରେ ଥିବା କୀର୍ତିରାଜିକୁ ନେଇ ଏକ ଚିତ୍ର ପ୍ରଦର୍ଶନୀ ଆୟୋଜନ କରିବାକୁ ଏକାଡେମିକୁ ପ୍ରସ୍ତାବ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏକାଡେମିର ସଭାପତି ତଥା ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସଚିବ ମାନସ ରଂଜନ ଜେନା ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଆଜି ଗ୍ୟାଲେରି ପରିସରରେ ଅନୁଷ୍ଠିତ ଚିତ୍ର ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ସ୍ରିଷ୍ଟି ଦେ, ଶ୍ରେୟା ମିଶ୍ର ଏବଂ ପ୍ରାଚୀ ମହାନ୍ତିଙ୍କୁ ୫ ହଜାର ,୩ ହଜାର ଏବଂ ୨ ହଜାର ଟଙ୍କାର ଅର୍ଥରାଶି ସହ ପୁରସ୍କୃତ କରାଯାଇଥିଲା। ଏଥିସହ ଇପ୍‌ସା ତ୍ରିପାଠୀ, ପ୍ରିୟଦର୍ଶିନୀ, ପଦ୍ମଜା ରଥ, ସ୍ମିତା ମହରଣା, ଆଦିତ୍ୟ ପ୍ରକାଶ ମହାରଣା, ଅପୂର୍ବ ଜେନା ଏବଂ ସମ୍ବିତ ଦାସଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ପରେ କାର୍ଯ୍ୟକ୍ରମ ସଂଯୋଜକ ସୁଶାନ୍ତ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ କଣ୍ଠଶିଳ୍ପୀ ଡ. ସଂଗୀତା ଗୋସାଇଁ ଗୀତଗୋବିନ୍ଦ ଓ ଭଜନ ପରିବେଷଣ କରିଥିଲେ। ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ମେ ୧୬ରୁ ବ୍ୟକ୍ତିତ୍ୱ ବିକାଶ ଶିବିର

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ନୟାପଲ୍ଲୀ ଭିଆଇପି କଲୋନିସ୍ଥିତ ବ୍ୟାସକବି ଫକୀର ମୋହନ ଭବନରେ ବ୍ୟକ୍ତିତ୍ୱ ବିକାଶ ଶିବିର ମେ ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଶିବିରରେ ପ୍ରାର୍ଥନା, ଯୋଗାଭ୍ୟାସ, ଗୀତା ଆବୃତ୍ତି, ଆଦର୍ଶ ପୁରୁଷଙ୍କ ଜୀବନୀ ଆଲୋଚନା ସହ ପ୍ରଶିକ୍ଷଣ ଦିଆଯିବ। ଏଥିରେ ୧୦ରୁ ୧୫ ବର୍ଷ ବୟସର ପିଲାମାନେ ଅଂଶଗ୍ରହଣ କରିପାରିବେ। ଶିବିର ସକାଳ ୭ଟାରୁ ସନ୍ଧ୍ୟା ୬ଟା ୧୫ ପର୍ଯ୍ୟନ୍ତ ଚାଲିବ। ପ୍ରତି ଶିବିରାର୍ଥୀଙ୍କ ପାଇଁ ୫୦୦ ଟଙ୍କା ଲେଖାଏଁ ଦେୟ ରଖାଯାଇଛି। ଇଚ୍ଛୁକ ପିଲାମାନେ ମୋ:୯୪୩୭୦୦୬୬୭୦ ୯୪୩୭୩୧୨୯୦୦ରେ ଯୋଗାଯୋଗ କରି ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ ବୋଲି ପରିଷଦର ସଭାପତି ଗୋପୀନାଥ ମହାନ୍ତି ଜଣାଇଛନ୍ତି।

ସମ୍ବନ୍ଧିତ ଖବର