ଚଉଷଠି ଯୋଗିନୀ ପୀଠ ତୋରଣ ନିର୍ମାଣରେ ବିଳମ୍ବ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ହୀରାପୁର ଗ୍ରାମସ୍ଥିତ ଚଉଷଠି ଯୋଗିନୀ ପୀଠ ପରିସରରେ କାରୁକାର୍ଯ୍ୟପୂର୍ଣ୍ଣ ତୋରଣ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ଏ ନେଇ ୧୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ୨୦୧୭/୧୮ ଆର୍ଥିକ ବର୍ଷର ମାର୍ଚ୍ଚ ମାସରେ ନିର୍ମାଣ କାର୍ଯ୍ୟ ଲାଗି ଟେଣ୍ଡର ସରିଛି। ଇତିମଧ୍ୟରେ ୯ ମାସ ସମୟ ବିତି ଯାଇଥିଲେ ମଧ୍ୟ ତୋରଣ ନିର୍ମାଣ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ ହୋଇପାରିନି। ପୁରୀ କେନାଲ ବନ୍ଧ ରାସ୍ତାରୁ ପୀଠକୁ ସଂଯୋଗ ହୋଇଥିବା ପ୍ରବେଶ ପଥ ରାସ୍ତାରେ ଏହି ତୋରଣ ନିର୍ମାଣ କରିବା ପାଇଁ ଜାଗା ଚିହ୍ନଟ ହୋଇଥିଲା। ୨୦ ଫୁଟ ଉଚ୍ଚତାରେ ଏହି ତୋରଣ କଂକ୍ରିଟ ଏବଂ ଖଣ୍ଡଲାଇଟ ପଥରରେ ନିର୍ମାଣ ହେବ ବୋଲି ଜଣେ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ପ୍ରବେଶ ପଥ ରାସ୍ତାରେ ଜାଗା ସମସ୍ୟାର ସମାଧାନ ହୋଇପାରି ନଥିବାରୁ ତୋରଣ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବାଲିଅନ୍ତା ତହସିଲଦାର ଅକ୍ଷୟ କୁମାର ରାଉତଙ୍କ ତତ୍ତ୍ବାବଧାନରେ ଜାଗା ସମସ୍ୟାର ସମାଧାନ ହୋଇ ସାରିଥିବା ବେଳେ ଟେଣ୍ଡର ନେଇଥିବା ଠିକାଦାର କାମ ଆରମ୍ଭ କରିବାରେ ଅଯଥା ବିଳମ୍ବ କରୁଥିବା ଉପରିସ୍ଥ ବିଭାଗୀୟ ଅଧିକାରୀ କହିଛନ୍ତି। ଏତଦବ୍ୟତୀତ ରାଜଧାନୀ ଉପକଣ୍ଠରେ ଥିବା ଏହି ଐତିହ୍ୟସଂପନ୍ନ ପୀଠର ବିକାଶ ଆଶାନୁରୂପକ ଭାବେ ହୋଇପାରି ନଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ୫ ଏକର ପରିମିତ ମହାମାୟା ପୁଷ୍କରିଣୀରେ ନୌକା ବିହାର ଏବଂ ମନୋରମ ପାର୍କ କେବଳ ପ୍ରସ୍ତାବରେ ଅଟକିଛି। ଜବରଦଖଲ ଉଚ୍ଛେଦ ବି ହୋଇପାରିନି। ଏ ଦିଗରେ ପର୍ଯ୍ୟଟନ ମନ୍ତ୍ରୀ ଓ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି ।

ସମ୍ବନ୍ଧିତ ଖବର