ଖତ ଖାଉଛି ଚିଟ୍‌ଫଣ୍ଡ ମାଲିକଙ୍କ ଦାମୀ ଗାଡ଼ି

ନିଲାମ୍‌ ପାଇଁ ନେଉ ନାହାନ୍ତି ପଦକ୍ଷେପ

ଭୁବନେଶ୍ୱର: ଜମାକାରୀଙ୍କୁ ଅଧିକ ସୁଧ ଦେବାର ଲୋଭ ଦେଖାଇ ଖୋଲାବଜାରରୁ କୋଟିକୋଟି ଟଙ୍କା ଆତ୍ମସାତ କଲେ। ମାତ୍ର କିଛି ବର୍ଷ ମଧ୍ୟରେ କୋଟିପତି ମଧ୍ୟ ହୋଇ ଗଲେ। କିଏ ତାରକା ହୋଟେଲରେ ରାତି ବିତାଇଲା ତ କିଏ ନାମୀଦାମୀ କାର୍‌ ଓ ବାଇକ ଚଢ଼ିଲା। ଚୋର ଘର ସବୁ ଦିନ ଅନ୍ଧାର ନ ଥିବା ଭଳି ମାଡ଼ି ଆସିଲା ବିପଦ। ଚିଟ୍‌ଫଣ୍ଡ୍‌ ସଂସ୍ଥା ଉପରେ ହେଲା ଚଢ଼ଉ। ଅନେକ ଗିରଫ ହୋଇ ଏବେ ଝାରପଡ଼ା ଜେଲ୍‌ରେ। ପୁଲିସ ଜବତ କଲା ଅନେକ ନାମୀଦାମୀ କାର, ଘର, ଜମି ଆଦି। ଘର ଓ ଜମି ଠିକ୍‌ଠାକ୍‌ ଥିବାବେଳେ ଦାମୀ କାର୍‌ଗୁଡ଼ିକର ଆଉ ଅବସ୍ଥା ନାହିଁ। କାହା ଉପରେ ଗଛଲତା ମାଡ଼ି ଗଲାଣି ତ ଆଉ କାହାର ପାର୍ଟସ ଗାଏବ ହୋଇ ଯାଇଛି। କେବଳ ଚିଟ୍‌ଫଣ୍ଡ ମାଲିକ କାହିଁକି ଅନେକ ବିଲଡର୍‌ଙ୍କ ଦାମୀ ଗାଡ଼ି ମଧ୍ୟ ରାଜଧାନୀର ବିଭିନ୍ନ ଥାନା, ଡିସିପିଙ୍କ କାର୍ଯ୍ୟାଳୟ ଓ କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟରେ ଗଦା ହୋଇ ରହିଛି। ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର କାର୍‌ ଓ ବାଇକ୍‌ର ମୂଲ୍ୟ ଏବେ ୧୦ ହଜାର ଟଙ୍କା ମଧ୍ୟ ହେବ ନାହିଁ। ନିୟମ ଅନୁଯାୟୀ ଯେଉଁ ଜମାକାରୀଙ୍କ ଟଙ୍କାରେ ଚିଟ୍‌ଫଣ୍ଡ ସଂସ୍ଥା ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠୁଳ କରିଥିବ ତାକୁ ଜବତ କରି ନିଲାମ କରିବାକୁ ଅର୍ଥ ବିଭାଗକୁ ଚିଠି ଲେଖିବ। ଏଥିପାଇଁ ତଦନ୍ତକାରୀ ସଂସ୍ଥା କୋର୍ଟରୁ ଅନୁମତି ମଧ୍ୟ ଆଣିଥାଏ। ୨୦୧୨ରେ ରାଜ୍ୟରେ ଚାଲୁଥିବା ବେଆନ୍‌ ଚିଟଫଣ୍ଡ୍‌ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବା ପରେ ଏବେ ସୁଦ୍ଧା ୧୦୦ରୁ ଅଧିକ ଚିଟଫଣ୍ଡ୍‌ ସଂସ୍ଥା ମୁଖ୍ୟମାନଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରି ସାରିଲାଣି। ସେମାନଙ୍କଠାରୁ ଅନେକ ଦାମୀ କାର୍‌ ମଧ୍ୟ ଜବତ ହୋଇଛି। ଯେଉଁ କାର୍‌ ସବୁ ରାଜ୍ୟର ବିଭିନ୍ନ ଥାନାରେ ପଡ଼ି ରହିଛି। ସିସୋର, ଅର୍ଥତତ୍ତ୍ୱ, ଆସ୍ଥା ଇଣ୍ଟରନ୍ୟାସନାଲ୍‌ ଭଳି ଅନେକ ଚିଟଫଣ୍ଡ୍‌ ସଂସ୍ଥାର ମାଲିକମାନେ ବିଏମ୍‌ଡବ୍ଲ୍ୟୁ, ଜାଗୁଆର, ମସିର୍ଡିଜ୍‌, ଅଡି, ରେଞ୍ଜରୋଭର ଭଳି ଦାମୀ କାର ଚଢ଼ୁଥିଲେ। ସେମାନେ ଗିରଫ ହେବା ପରେ ସେମାନଙ୍କ ଦାମୀକାର ସବୁ ମଧ୍ୟ ଜବତ ହୋଇ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା କାର୍ଯ୍ୟାଳୟରେ ପଡ଼ି ରହିଛି। ଅର୍ଥତତ୍ତ୍ୱ ମାଲିକ ପ୍ରଦୀପ ସେଠୀଙ୍କର ସୁଜୁକି ଇଣ୍ଟ୍ରୁଡର୍‌ ନାମକ ଏକ ଦାମୀ ବାଇକ୍‌ ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟାଳୟରେ ପଡ଼ି ରହିଛି। ଯାହାର ମୂଲ୍ୟ ଏବେ ୧୦ ହାଜର ମଧ୍ୟ ହେବ ନାହିଁ।

ଏ ସମ୍ପର୍କରେ ବରିଷ୍ଠ ଆଇନଜୀବୀ ଚିତ୍ତରଂଜନ ଦାସ କୁହନ୍ତି, ଯେଉଁ ତଦନ୍ତକାରୀ ସଂସ୍ଥା ଗାଡ଼ି ଜବତ କରୁଛି। ସେହି ସଂସ୍ଥା ଗାଡ଼ିର ଦାୟିତ୍ୱ ନେବା କଥା। କିନ୍ତୁ କେହି ସେଥିପ୍ରତି ନିଘା ଦେଉ ନ ଥିବାରୁ ଖରା, ବର୍ଷା, ଶୀତ, କାକରରେ ଗାଡ଼ିଗୁଡ଼ିକ ନଷ୍ଟ ହୋଇ ଯାଉଛି। ଏହା ଛଡ଼ା ଅନେକ ପାର୍ଟସ ମଧ୍ୟ କଢ଼ା ହୋଇ ଯାଉଛି। ଯଥାଶୀଘ୍ର ଏହିଗୁଡ଼ିକୁ ନିଲାମ କରାଯାଇ ସେହି ଟଙ୍କା ଜମାକାରୀଙ୍କୁ ପ୍ରଦାନ କରାଗଲେ କ୍ଷତିଗ୍ରସ୍ତମାନେ ଉପକୃତ ହୋଇ ପାରିବେ। ଏ ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଜବତ ଗାଡ଼ିଗୁଡ଼ିକର ନିଲାମ ପାଇଁ କଟକ ଓ ସମ୍ବଲପୁର ଓପିଆଇଡି କୋର୍ଟକୁ ଅବଗତ କରାଯାଇଛି। କିଛି ଜବତ ଗାଡ଼ିର ନିଲାମ ପକ୍ରିୟା ଆରମ୍ଭ ହୋଇ ଗଲାଣି ବୋଲି ଉକ୍ତ ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର