ମୁଖ୍ୟମନ୍ତ୍ରୀ ସଡ଼କ ନିର୍ମାଣ ମନ୍ଥର, ଲାଗୁଛି ନିମ୍ନମାନର ଗ୍ରାନାଇଟ୍‌

ଖଣ୍ଡଗିରି: ମନ୍ଥର ଗତିରେ ଚାଲିଛି ମୁଖ୍ୟମନ୍ତ୍ରୀ ସଡ଼କ ନିର୍ମାଣ। ଗତ ଜୁନ୍‌ ସୁଦ୍ଧା ସାରିବାକୁ ଧାର୍ଯ୍ୟ ଥିବା ବେଳେ ରାସ୍ତାର ମାତ୍ର ୩୦ପ୍ରତିଶତ କାମ ସରିଥିବା ଆକଳନ କରାଯାଇଛି। ସେହିଭଳି ନିମ୍ନମାନର ଗ୍ରାନାଇଟ୍‌ ବ୍ୟବହାର କରାଯାଉଥିବାରୁ ରାସ୍ତାର ଦୀର୍ଘକାଳୀନ ସ୍ଥାୟିତ୍ବକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉଭୟ ନିର୍ମାଣ କାମରେ ମନ୍ଥରତା ଓ ନିମ୍ନମାନର ମେଟାଲ ବ୍ୟବହାରକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧିବା ସୂଚନା ମିଳିଛି। ଏହା ହେଉଛି ୧୬ ନମ୍ବର ଜାତୀୟ ରାଜପଥର ମା’ ବାଟ ଭୁଆସୁଣୀ ମନ୍ଦିର ଛକରୁ ତଳଖେତା-ଜଟଣୀ ରାସ୍ତାକୁ ସଂଯୋଗ କରୁଥିବା ଭୁଆସୁଣୀନଗର ମୁଖ୍ୟମନ୍ତ୍ରୀ ସଡ଼କର ଅବସ୍ଥା।

ସୂଚନାଯୋଗ୍ୟ ଯେ ୮୧୦ ମିଟର ଲମ୍ବର ଏହି ରାସ୍ତା ନିର୍ମାଣ ପାଇଁ ୫୮.୪୭ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ମାର୍ଚ୍ଚ ମାସରୁ ଗ୍ରାମ୍ୟ ଉନ୍ନୟନ ବିଭ‌ାଗ ଭୁବନେଶ୍ବର ଉପଖଣ୍ଡ-୨ ସହ ଠିକାଦାର ଚୁକ୍ତି କରି ନିର୍ମାଣ କାମ ଆରମ୍ଭ କରିଛନ୍ତି। ସୂଚନାଫଳକ ଅନୁସା‌ରେ, ୨୦୧୯ ଜୁନ୍‌ରେ କାମ ସରିବା କଥା। ତେଣୁ ୨୦୨୨ ଜୁନ୍‌ ପର୍ଯ୍ୟନ୍ତ ୩ ବର୍ଷ ଯାଏ ରାସ୍ତାର ରକ୍ଷଣ‌ାବେକ୍ଷଣ ପାଇଁ ଠିକାଦାର ଦାୟୀ ରହିବେ। ମାତ୍ର ବର୍ତ୍ତମାନ ସୁଦ୍ଧା ପୂରା ରାସ୍ତାରେ ମୋରମ୍ ବିଛା ହୋଇପାରିନାହିଁ। ତଳଖେତା-ଜଟଣୀ ରାସ୍ତା ପାର୍ଶ୍ବରୁ ମାଟି ମୁଠାଏ ପଡ଼ି ନ ଥିବାରୁ ରାସ୍ତାର ନକ୍‌ସା ଜଣାପଡ଼ୁନାହିଁ। ତେବେ ମଝିରେ ଚାରି ଶହ ମିଟର ଲମ୍ବରେ ମୋରମ୍‌ ବିଛା ସରିଛି ଓ ପ୍ରାୟ ଶହେ ମିଟର ରାସ୍ତାରେ ଗ୍ରାନାଇଟ୍‌ ବିଛା ଯାଇଛି। ତେଣୁ ରାସ୍ତା ନିର୍ମାଣ କାମ ଯେଉଁ ଗତିରେ ଚାଲିଛି। ଯଦି ସେଭଳି ଚାଲୁ ରହେ, ତେବେ ୨୦୨୦ ଜୁନ୍ ପୂର୍ବରୁ ସରିବା ସମ୍ଭବ ନୁହେଁ। ଫଳରେ ୩ ବର୍ଷର ରକ୍ଷଣାବେକ୍ଷଣ ସ୍ଥାନରେ ଠିକାଦାର ୨ ବର୍ଷ ପାଇବେ ଓ ଗୋଟିଏ ବର୍ଷ ଫାଇଦାରେ ରହିବେ ବୋଲି ଲୋକେ ସନ୍ଦେହ କରିଛନ୍ତି। ସେହିଭଳି ନିର୍ମାଣ କାମରେ କଳା ଗ୍ରାନାଇଟ୍‌ ବ୍ୟବହାର କରିବା ନିୟମ ଥିବା ସତ୍ତ୍ବେ କଳାଧଳା ମିଶା ଗ୍ରାନାଇଟ୍‌ ପଡ଼ୁଛି, ଯେଉଁଥିରେ ଅଧିକ ଧଳା ଓ କମ୍ ପରିମାଣର କଳା ଗ୍ରାନାଇଟ୍‌ ଥିବା ଅଭିଯୋଗ ହେଉଛି। ଏ ନେଇ ସହକାରୀ ଯନ୍ତ୍ରୀଙ୍କ କହିବା କଥା ନିର୍ମାଣ କାମ ସମ୍ପୂର୍ଣ୍ଣ ହେବା ପରଠାରୁ ୩ ବର୍ଷ ପର୍ଯ୍ୟନ୍ତ ଠିକାଦାର ରକ୍ଷଣାବେକ୍ଷଣ ଦାୟିତ୍ବରେ ରହିବେ ଓ କାମ ପୂରା ସରିବା ପରେ ଆଉ ଏକ ଫଳକ ଲଗାଯିବ। କଳାଧଳା ମିଶା ଗ୍ରାନାଇଟ୍‌ ବ୍ୟବହାର ଅଭିଯୋଗକୁ ସେ ପରୋକ୍ଷରେ ଖଣ୍ଡନ କରିବା ସହ ନିର୍ମାଣରେ ମନ୍ଥରତା ପାଇଁ ଖୋର୍ଧା ଜିଲ୍ଲାରେ ଗ୍ରାନାଇଟ୍‌ ଓ ମୋରମ୍‌ ଅଭାବ ଦର୍ଶାଇଛନ୍ତି। ଏଣେ ସ୍ଥାନୀୟ ଲୋକେ ବ୍ୟବହୃତ ଗ୍ରାନାଇଟ୍‌ର ମାନ ଯାଞ୍ଚ କରିବା ପାଇଁ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର