କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ

ମିଳିଲାନି ରୁମ୍‌ ଚାବି, ପ୍ଲାଷ୍ଟିକ ଚେୟାରରେ ବସି ଫେରିଲେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି କ୍ୟାପିଟାଲ ହସ୍ପିଟାଲକୁ ନିଜର ଦାନ୍ତ ଚିକିତ୍ସା ପାଇଁ ଆସିଥିଲେ। କିନ୍ତୁ ତାଙ୍କର ସ୍ୱତନ୍ତ୍ର ଡାକ୍ତର ଦିଲ୍ଲୀ ଗସ୍ତରେ ଥିବାରୁ ହସ୍ପିଟାଲରୁ ଫେରି ଯାଇଥିଲେ। ତେବେ କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀଙ୍କୁ ଉପଯୁକ୍ତ ସେବା ମିଳି ନ ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତକାଲି ପ୍ରାୟ ଦିନ ସାଢ଼େ ୯ଟାରେ ମୁଖ୍ୟମନ୍ତ୍ରୀ ନିଜର ଦାନ୍ତ ଚିିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ। ଆଡମିନିଷ୍ଟ୍ରେଟିଭ୍‌ ବ୍ଲକ୍‌ର ଶିଡ଼ି ଚଢ଼ି ପ୍ରଥମ ମହଲାକୁ ଯାଇଥିଲେ। ଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସ୍ପେସାଲ ଅସ୍ତ୍ରୋପଚାର ଗୃହ ସେତେବେଳକୁ ତାଲା ପଡ଼ିଥିଲା। ହସ୍ପିଟାଲର ଜଣେ ଆଟେଣ୍ଡାଣ୍ଟ ରୁମ୍‌ର ଚାବି ଖୋଲିବାକୁ ଚେଷ୍ଟା କରିଥିଲେ ହେଁ ଚାବି ମିଳି ନ ଥିଲା। ଆଟେଣ୍ଡାଣ୍ଟଜଣକ ଏଥିରେ ଭୟଭୀତ ହୋଇ ପଡ଼ିଥିଲେ। ମାତ୍ର ଦାନ୍ତ ବିଭାଗରେ ଏହି ରୁମ୍‌ର ଚାବି ଥିବାରୁ ଆଟେଣ୍ଡାଣ୍ଟଜଣକ ସେଠାକୁ ଯାଇ ଚାବି ଆଣି ରୁମ୍‌ ଖୋଲିଥିଲେ। ରୁମ୍‌ ଖୋଲିବା ପରେ ଅବ୍ୟବସ୍ଥା ଜଳ ଜଳ ହୋଇ ଦିଶିଥିଲା। ରୁମ୍‌ ଭିତରେ ଥିବା ଚେୟାରରେ ମୋଟା ଆସ୍ତରଣର ଧୂଳି ଜମିଥିବା ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ଏଥିପାଇଁ ତଉଲିଆ ଖୋଜିଥିଲେ। ତାହା ମଧ୍ୟ ମିଳି ନ ଥିଲା। ତେଣୁ ବାଧ୍ୟ ହୋଇ ପାଖରେ ଥିବା ଏକ ପ୍ଲାଷ୍ଟିକ୍‌ ଚେୟାରରେ ବସିଥିଲେ। ତେବେ ତାଙ୍କ ଦାନ୍ତ ଡାକ୍ତର ଦିଲ୍ଲୀ ଯାଇଥିବା ଜାଣିବା ପରେ ସେ ହସ୍ପିଟାଲରୁ ଚାଲି ଯାଇଥିଲେ। ମୁଖ୍ୟମନ୍ତ୍ରୀ କ୍ୟାପିଟାଲ ହସ୍ପିଟାଲକୁ ଆସିବା ଖବର ହସ୍ପିଟାଲ କର୍ତୃପକ୍ଷଙ୍କୁ ଦିଆଯାଇଥିଲେ ହେଁ ଏଭଳି ଅବ୍ୟବସ୍ଥାକୁ ନେଇ ଚର୍ଚା ଜୋର ଧରିଛି। ସ୍ୱଚ୍ଛତା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିକଟରେ ‘କାୟାକଳ୍ପ’ ପୁରସ୍କାର ମିଳିଛି। ମାତ୍ର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ରୁମ୍‌କୁ ଠିକ୍‌ରେ ସଫା ମଧ୍ୟ କରାଯାଉ ନାହିଁ।

ସମ୍ବନ୍ଧିତ ଖବର