ହୋଟେଲ୍‌ ଓ ଗ୍ୟାରେଜ୍‌ରେ ବନ୍ଧା ପଡ଼ିଛି ଶୈଶବ

କୁଆଡ଼େ ଗଲା ଅପରେସନ ସ୍ମାଇଲ୍‌?

ଚନ୍ଦ୍ରଶେଖରପୁର : ସେମାନେ ସମସ୍ତଙ୍କୁ ପରଷି ଥାଆନ୍ତି ତାଜା ଖାଦ୍ୟ। ମାତ୍ର ନିଜେ ଖାଆନ୍ତି ବାସି । ଶୀତ ଦିନେ ବି ସେମାନଙ୍କ ଭାଗ୍ୟରେ ଥାଏ ପଖାଳ ଆଉ ବାସି ରୁଟି। ଅନ୍ୟମାନଙ୍କର ଗାଡ଼ିକୁ ଚକାଚକ୍‌ କରିବା ପାଇଁ ନିଜକୁ ସଜେଇ ଦିଅନ୍ତି କଳା ଠାକୁର। ଦେହରେ କଳା ବୋଳି ହୋଇଥିବା ମଇଳା ଗଞ୍ଜି ପିନ୍ଧି ଭୋରରୁ ରାତି ଅଧଯାଏ କାମରେ ଲାଗିଥିବା ଏହି କୋମଳମତି ନାବାଳକମାନଙ୍କର ପିତୃଦତ୍ତ ନାଁ ବଦଳିଯାଏ ‘ଛୋଟୁ’ରେ। ଆଳୁ ଗୋଦାମ ହେଉ ଅବା ଜଳଖିଆ ଦୋକାନ, ସବୁଠି ସବୁ ସମୟରେ ଦେଖାଯାଆନ୍ତି ଏଇ ଛୋଟୁମାନେ। କି ଶୀତ, କି ବର୍ଷା ଅଇଁଠା ପ୍ଲେଟ୍‌ ଉଠାଇ ଉଠାଇ ହାତ ଶେତା ପଡ଼ିଯାଉ ପଛକେ କାମରୁ ନିସ୍ତାର ନାହିଁ। ଦରମା କହିଲେ ଅତି ନଗଣ୍ୟ। ଖାଇବା ସେଇଠି ଶୋଇବା ବି ସେଇଠି। କାମରେ ଅବହେଳା କଲେ ପିଠିରେ ବସେ ମାଡ଼। କାନ୍ଦିଲେ ବି ଲୁହ ପୋଛିବାକୁ କେହି ନାହିଁ।

ରାଜଧାନୀକୁ ଶିଶୁ ଶ୍ରମିକ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଥିଲା ‘ଅପରେସନ ସ୍ମାଇଲ୍‌’। କିଛି ସ୍ଥାନରେ ଚଢ଼ଉ ମଧ୍ୟ ହୋଇଥିଲା। ଅନେକ ଶିଶୁ ଶ୍ରମିକ ଉଦ୍ଧାର ହୋଇଥିଲେ। ମାତ୍ର ଗତକିଛି ଦିନ ହେବ ଏହି ଚଢ଼ଉ ବନ୍ଦ ହୋଇଯାଇଛି। ଅପରେସନ ସ୍ମାଇଲ୍‌ ଆରମ୍ଭ କରି ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ବାହାବା ନେଇଥିବା କମିସନରେଟ୍‌ ପୁଲିସ୍‌ ବର୍ତ୍ତମାନ ହାତ ଗୋଟାଇ ବସିଯାଇଛି। ଯାହାଫଳରେ ପୁଣି ରାଜଧାନୀର ବିଭିନ୍ନ ଅଞ୍ଚଳରେ ଥିବା ହୋଟେଲ୍‌, ଗ୍ୟାରେଜ୍‌ ଓ ଦୋକାନ ମାନଙ୍କରେ ବାଳ ଶ୍ରମିକମାନେ ପୂର୍ବଭଳି କାମ କରୁଥିବା ଦୃଷ୍ଟିକୁ ଆସୁଛି। ହତ୍ୟା, ଚୋରି, ଡକାୟତି ଆଉ ସେକ୍ସ୍‍ ର‍୍ୟାକେଟ୍‌ କଥା ବୁଝୁ ବୁଝୁ କମିସନରେଟ୍‌ ପୁଲିସ୍‌ ଏମାନଙ୍କ କଥାକୁ ପାସୋରି ଦେଇଛି।

୬ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ପୁଲିସ
ମଙ୍ଗଳବାର ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ପକ୍ଷରୁ ନୀଳାଦ୍ରିବହାର, ଶୈଳଶ୍ରୀବିହାର, ପଣ୍ଡାପାର୍କ ବସ୍ତି ଆଦି ଅଞ୍ଚଳରେ ଥିବା ଗ୍ୟାରେଜ୍‌ ଓ ଜଳଖିଆ ଦୋକାନରୁ ଛଅ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି। ଆଇଆଇସି ଦୀପକ ମିଶ୍ର ଏହି ଚଢ଼ଉର ନେତୃତ୍ୱ ନେଇଥିଲେ। ପରେ ସଂପୃକ୍ତ ଛଅ ବାଳ ଶ୍ରମିକଙ୍କୁ ଚାଇଲ୍‌ଡ ଲାଇନ୍‌କୁ ହସ୍ତାନ୍ତର କରାଯାଇଥିଲା। ଟିମ୍‌ ମ୍ୟାନେଜର୍‌ ସଂଗ୍ରାମ ରାଉତରାୟ ସେହି ୬ଶିଶୁ ଶ୍ରମିକଙ୍କୁ ଚନ୍ଦ୍ରଶେଖରପୁର ପୁଲିସ୍‌ଠାରୁ ନେଇଥିଲେ। ଚନ୍ଦ୍ରଶେଖରପୁର ଅଞ୍ଚଳକୁ ଶିଶୁ ଶ୍ରମିକ ମୁକ୍ତ କରିବା ନିମନ୍ତେ ଏପରି ଚଢ଼ଉ ଜାରି ରହିବା ନେଇ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର