ବାଡ଼ ଖାଉଛି ଖେତ : ଶିଶୁ ସୁରକ୍ଷା ଅଧିକାରୀଙ୍କ ଘରେ ଶିଶୁ ଶ୍ରମିକ

ଭୁବନେଶ୍ୱର : ଶିଶୁ ସୁରକ୍ଷା ଅଧିକାରୀଙ୍କ ଘରେ ଶିଶୁ ଶ୍ରମିକ। କଥାଟା ଠିକ୍‌ ବାଡ଼ ଖେତ ଖାଇଲା ପରି। ଜଣେ ମହିଳା ଶିଶୁ ସୁରକ୍ଷା ଅଧିକାରୀ ନିଜ ପଦବିର ଢାଲ ତଳେ ଏଭଳି କୁକର୍ମ ଚଳାଇ ଆସୁଥିବା ଘଟଣାର ପର୍ଦାଫାସ ହେବା ପରେ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଏହି ମହିଳା ଅଧିକାରୀ ଜଣକ ହେଉଛନ୍ତି ଅନୁଗୁଳ ଜିଲ୍ଲାର ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ନାୟକ।

ଉଦ୍ଧାର ହୋଇଥିବା ନାବାଳିକାଟି ଭୁବନେଶ୍ୱର ଇନଫୋସିଟି ଥାନା ଅଧୀନରେ ଥିବା ଏକ ବସ୍ତିର। ଉକ୍ତ ନାବାଳିକାକୁ ନିଜ ଘରେ ରଖି ଝାଡ଼ୁ ମରେଇବା, ଅଇଁଠା ବାସନ ମଜେଇବା, ଲୁଗା ସଫା କରାଇବା ଆଦି ଯାବତୀୟ କାମରେ ନିୟୋଜିତ କରିଥିଲେ। କେବଳ ସେତିକି ନୁହେଁ, ଶୋଇବା ପୂର୍ବରୁ ଗୋଡ଼ ମୋଡ଼ିବା ଭଳି ଅମାନବୀୟ କାର୍ଯ୍ୟରେ ସଂପୃକ୍ତ ଅଧିକାରୀ ଜଣକ ନାବାଳିକାକୁ ଲଗାଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଜଣା ପଡ଼ିବା ପରେ ଶିଶୁ କନ୍ୟାଟିକୁ ଉଦ୍ଧାର କରାଯାଇଛି। ତେବେ ମହିଳା ଶିଶୁ ସୁରକ୍ଷା ଅଧିକାରୀଙ୍କ ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।

ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଭୁବନେଶ୍ୱର ପ୍ଲାଟଫର୍ମ ନମ୍ବର ୧ରେ ଟ୍ରେନ୍‌ରୁ ଜଣେ ସଂଭ୍ରାନ୍ତ ଘରର ମହିଳା ଓହ୍ଲାଇ ଥିଲେ। ତାଙ୍କ ସାଙ୍ଗରେ ଜଣେ ଛୋଟ ପିଲା ମଧ୍ୟ ଓହ୍ଲାଇଥିଲା। ଛୋଟ ପିଲାଟିର ବେଶ ପୋଷାକରୁ ସ୍ପଷ୍ଟ ବାରି ହୋଇ ପଡୁଥିଲା ଯେ ସେ ମହିଳାଙ୍କ ଘରର ଚାକରାଣୀ। ପ୍ଲାଟଫର୍ମରେ ବୁଲୁଥିବା ଭୁବନେଶ୍ୱର ଚାଇଲ୍‌ଡ ଲାଇନ୍‌ର କର୍ମଚାରୀମାନେ ଜିଆର୍‌ପି ପୁଲିସର ସହଯୋଗରେ ମହିଳାଙ୍କୁ ଅଟକାଇଥିଲେ। ପରେ ଜଣାପଡ଼ଲା ଯେ, ମହିଳା ଜଣଙ୍କ ହେଉଛନ୍ତି ଅନୁରାଧା ନାୟକ ଓ ସେ ଅନୁଗୁଳ ଜିଲ୍ଲାର ଶିଶୁ ସୁରକ୍ଷା ଅଧିକାରୀ। ନିଜର ପରିଚୟ ଦେଇ ପ୍ରଥମେ ସେ ଘଟଣାଟିକୁ ଚାପିଦେବାକୁ ଉଦ୍ୟମ କରିଥିଲେ। ସେହି ନାବାଳିକା ସମ୍ପର୍କରେ ପଚରାଯିବାରୁ ତାକୁ ସେ ଚାକରାଣୀ ରୂପେ ରଖି ନଥିଲେ ବୋଲି ସଫେଇ ଦେଇଥିଲେ। ମାତ୍ର ଭୁବନେଶ୍ୱର ଚାଇଲ୍ଡ ଲାଇନ୍‌ର ଅଧିକାରୀ ଜଣକ ନାବାଳିକାକୁ ଚତୁରତାର ସହ ପଚରାଉଚରା କରିବା ପରେ ପ୍ରକୃତ ଘଟଣା ଜଣା ପଡ଼ିଥିଲା। ଖବର ପାଇ ଖୋର୍ଦ୍ଧା ସିଡବ୍ଲ୍ୟୁସିର ସଦସ୍ୟ ବେଣୁଧର ସେନାପତି ଘଟଣା ସ୍ଥଳରେ ପହଞ୍ଚିିଥିଲେ ଓ ନାବାଳିକାଟିର ବାପା ମା’ଙ୍କୁ ଖବର ଦେଇଥିଲେ। ପରେ ତାକୁ ରୁଚିକା ଚାଇଲ୍ଡ ଲାଇନକୁ ନିଆଯାଇଥିଲା ଓ ସେଠାରେ କାଉନ୍‌ସେଲିଂ କରାଯାଇଥିଲା। ଏନେଇ ସିଡବ୍ଳ୍ୟୁସିର ନିର୍ଦ୍ଦେଶରେ ଚାଇଲ୍ଡ ଲାଇନ ପକ୍ଷରୁ ଇନଫୋସିଟି ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର