ଭିକ୍ଷା ପାଇଁ ପିଲାଙ୍କୁ ଶୁଙ୍ଘାଉଛନ୍ତି ନିଶା

ସଡ଼କରେ ଶଢ଼ୁଛି ଶୈଶବ

ଭୁବନେଶ୍ୱର: ଡହଡହ ଖରା ଯୋଗୁଁ ଟ୍ରାଫିକ୍‌ ଛକରେ ଖୋଲା ଆକାଶ ତଳେ ଅଟକିବା ମାତ୍ରେ ତଣ୍ଟି ଶୁଖି ଯାଉଥିଲା। ଦେହ ମୁଣ୍ଡ ଜଳି ଯାଉଥିଲା। ଅଥଚ ଏହି ପ୍ରଚଣ୍ଡ ତାତିରେ କଅଁଳ ଅବୋଧ ଶିଶୁମାନେ ପାଲଟିଥିଲେ ଅର୍ଥ ରୋଜଗାରର ମାଧ୍ୟମ। ପିନ୍ଧିବାକୁ ଯେ ସେମାନଙ୍କ ପାଖେ ପୋଷାକ ନଥିଲା ତାହା ନୁହେଁ, କିନ୍ତୁ ଫୁଙ୍ଗୁଳା ଦେହରେ କୁନି ଶିଶୁଟିକୁ କାନ୍ଧରେ ପକେଇ ଭିକ ମାଗୁଥିଲେ ଜଣେ ଯାଯାବର। ଯେତେବେଳେ ପ୍ରତିବାଦ ସ୍ୱରୂପ ତାଙ୍କୁ ପଚାରିଲୁ, ତମକୁ କ’ଣ ଖରା କାଟୁନି ? ସେ କହିଲେ ହଁ। ଆମେ କହିଲୁ ତା ହେଲେ ଖରାଟାରେ ପିଲାଟାକୁ ଏମିତି ଫୁଙ୍ଗୁଳା ଦେହରେ ଧରିଛ, ମା ହେଇ ତମକୁ ଟିକେ କଷ୍ଟ ଲାଗୁନି। ଉତ୍ତର ଥିଲା, କଷ୍ଟ ହେଲେ କ’ଣ ହବ, ପିଲା ନ ଧରିଲେ କେହି ଭିକ ଦେବେନି। ପିଲାଟି ଦେହରୁ ଗମଗମ ଝାଳ ନିଗିଡ଼ି ଯେବେ ମା କାନି ଭିଜି ଯାଉଥିଲା, ଆମେ ପଚାରିଲୁ ସେ କ’ଣ କାନ୍ଦେନି। ତାଙ୍କର (ବୋଧହୁଏ ମା) ଉତ୍ତର ଥିଲା, ନାଁ କାଟିଲେ ସିନା କାନ୍ଦିବ। ପ୍ରତିଦିନ ମୁଁ ତାକୁ ନିଶା ଶୁଙ୍ଘେଇ ଆଣେ, ତେଣୁ ଖରା କାଟେନି। ଶୁଣି ହତବାକ ହୋଇଗଲୁ। କଅଁଳ ଶିଶୁଟିକୁ ମୋହରା କରି ଭିକ ମାଗିବା ପାଇଁ ଯେ ସେମାନେ ପିଲାଙ୍କ ମୁହଁରେ ନିଶା ଦେଇ ତାଙ୍କୁ ମାଧ୍ୟମ କରନ୍ତି, ଏକଥା ଖୋଦ ଜଣେ ଯାଯାବର ମା’ ସ୍ୱୀକାର କରିଥିଲେ। ଶିଶୁ ଭବନ ଛକରେ ଦିନ ଦ୍ୱିପ୍ରହରରେ ଜଣେ ଶିଶୁଙ୍କ ଉପରେ ଖୁଲାମଖୁଲା ଅତ୍ୟାଚାର ହେଉଥିବା ସମସ୍ତେ ଦେଖୁଥିଲେ। କିନ୍ତୁ କେହି ପ୍ରତିବାଦ କରୁନଥିଲେ। ବରଂ ୨ଟଙ୍କା ଜାଗାରେ ୧୦ ଟଙ୍କା ବଢ଼େଇ ଦେଇ ବଡ଼ ଦୟାଳୁ ସାଜୁଥିଲେ। ଖାଲି ଖରା ନୁହେଁ, ଶୀତ କାକର ହେଉ କି ବର୍ଷା; ରାତି ହେଉ କି ଦିନ। ଜନ୍ମ ହେଉଣୁ ଏମାନେ ଯେ ଭିକ୍ଷାବୃତ୍ତି ପାଇଁ ମାଧ୍ୟମ ପାଲଟିବେ, ଯେମିତି ତାଙ୍କ ଭାଗ୍ୟରେଖାରେ ଲେଖା ହୋଇ ସାରିଥାଏ। ଏନେଇ ଜାତୀୟ ମାନବାଧିକାର କମିସନ୍‌ର ସଦସ୍ୟ ମନୋଜ ଜେନାଙ୍କ ସୂଚନା ମୁତାବକ, ପ୍ରୋହିବିସନ୍‌ ଅଫ୍‌ ବେଗାର ଆଇନ୍‌ ତଥା ଧାରା ୨୩ ଅନୁଯାୟୀ ଭିକ୍ଷାବୃତ୍ତି କରିବା କିମ୍ବା ଭିକ୍ଷାବୃତ୍ତି ପାଇଁ କାହାକୁ ବାଧ୍ୟ କରାଯିବା ଏକ ଅପରାଧ। କିନ୍ତୁ ରୁପାଲି ଛକ, ଶ୍ରୀୟା ଛକ, ଖଣ୍ଡଗିରି ଛକ, ଏଜି ଛକ, ୟୁନିଟ୍‌ ୧ ମାର୍କେଟ୍‌, ପାର୍କିଂ ଅଞ୍ଚଳ, ଷ୍ଟେସନ୍‌୍‌, ଓଭରବ୍ରିଜ୍‌ ତଳମାନଙ୍କରେ ପ୍ରତିଦିନ କିଛି କୋମଳମତି ଶିଶୁ ଭିକ୍ଷା ପାଇଁ ସଂଘର୍ଷ କରନ୍ତି। କରନ୍ତିନି ତ, ବରଂ ତାଙ୍କୁ କରିବା ପାଇଁ ବାଧ୍ୟ କରାଯାଏ।

ଶିକ୍ଷକ ରମାକାନ୍ତ ରାଉତଙ୍କ କହିବା ମୁତାବକ, ଭିକ୍ଷାବୃତ୍ତି କରିବା ଯେତିକି କଷ୍ଟ ଦେଉନି ତା’ଠୁ ବେଶି ଯନ୍ତ୍ରଣା ଦେଉଛି ଅବୋଧ ଶିଶୁମାନଙ୍କୁ ଖରା, ବର୍ଷା ଓ ଶୀତକାକରରେ ଭିକ ମାଗିବା ପାଇଁ ନିୟୋଜିତ କରିବା। ସବୁଠୁ ଆଶ୍ଚର୍ଯ୍ୟ ଏଜି ଛକ ଭଳି ଜିରୋ ଟଲରାନ୍ସ ଜୋନ୍‌ରେ ବି ରାତି ସାଢ଼େ ୮ଟାରେ କୁନିକୁନି ଝିଅମାନେ ଭିକ୍ଷାବୃତ୍ତି କରୁଛନ୍ତି। ସରକାର ୧୪ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଶିକ୍ଷା ବାଧ୍ୟତାମୂଳକ କରିଥିଲେ ହେଁ, ଖୋଦ ରାଜଧାନୀରେ ସକାଳୁ ରାତି ପର୍ଯ୍ୟନ୍ତ ପିଲାମାନଙ୍କୁ ଭିକ୍ଷାବୃତ୍ତିରେ ନିୟୋଜିତ କରାଯାଉଛି। ବେଳେବେଳେ ଏହି ପିଲାମାନଙ୍କୁ କିଛି ପଚାରିଲେ, ସେମାନେ ସେ ସ୍ଥାନ ଛାଡ଼ି ପଳାଉଛନ୍ତି। ମାର୍କେଟ୍‌ଠୁ ନେଇ ସିନେମା ହଲ୍‌, ମଲ୍‌ ଓ ପାର୍କିଂ ଅଞ୍ଚଳରେ ଜାଣିଶୁଣି ଏମାନଙ୍କୁ ଛାଡ଼ି ଦିଆଯାଉଛି। ଲୋକଙ୍କ ପଛରେ ଏମାନେ ଏମିତି କାକୁତି ମିନତି ହେଇ ଧାଉଁଛନ୍ତି ଯେ, ଯେମିତି ତାଙ୍କୁ କେହି ତାଲିମ୍‌ ଦେଇଛି। କେବେ ୧୦-୧୨ ବର୍ଷର ଝିଅଟିଏ ନିଜ କୁନି ଭାଇକୁ କାଖେଇ ଭିକ ମାଗୁଛି ତ ଆଉ କେବେ ସେଇ କୋମଳମତି ଝିଅଟି ଲମ୍ବା ଫ୍ରକ୍‌ ପିନ୍ଧି ବାଡ଼ି ଧରି ଛୋଟେଇବାର ଅଭିନୟ କରୁଛି। ଏହା ଯେ ସେ ନିଜ ଇଚ୍ଚାରେ କରୁନି; ଏକଥା ଥୟ। ହେଲେ କିଏ ବୁଝିବ ତାଙ୍କର ଏ ଅବୋଧ ମନକୁ ?

ସମ୍ବନ୍ଧିତ ଖବର