ଶିକୁଳି ବନ୍ଧା ପିଲାଟିକୁ ପାସୋରି ପାରୁନି : ରାଜକିଶୋର ମିଶ୍ର

ଅଭୁଲା ସ୍ମୃତି

0 16

ମତେ ସେତେବେଳେ ୧୪ ବର୍ଷ ବୟସ ହୋଇଥାଏ। ମୁଁ ମୋ ଗାଁଠାରୁ ୪ କିମି ଦୂରରେ ଶ୍ରୀକୃଷ୍ଣ ଏକାଡେମିରେ ଅଷ୍ଟମ ଶ୍ରେଣୀରେ ପଢୁଥାଏ। ଚାଲିଚାଲି ଯାଏ ଓ ଚାଲିଚାଲି ଫେରେ। ସେଇ ଅଳ୍ପ ଦୂରରେ ଯଶୋବନ୍ତପୁର ଗାଁରେ ମହାନ୍ତି ବାବୁଙ୍କ ଘର। ତାଙ୍କର ୫-୬ ବର୍ଷର ମୂକ ପୁଅଟିଏ ଥାଏ। ତାକୁ ସବୁବେଳେ ଲୁହା ଶିକୁଳିରେ ବାନ୍ଧି ରଖାଯାଇଥାଏ। ବେଳେ ବେଳେ ସେ ଶିକୁଳି ଫିଟାଇ ତୀବ୍ର ଗତିରେ ପାଖ ଗଡ଼ିଆକୁ ଦୌଡ଼ି ପଳାଏ। ଗଡ଼ିଆ ପାଖ ଡେଙ୍ଗା ନଡ଼ିଆ ଗଛରେ ଅକ୍ଳେଶରେ ଚଢ଼ିଯାଇ ପାଣିକୁ ଡିଅାଁମାରେ। ୩-୪ ଘଣ୍ଟା ପୋଖରୀରେ ନିଧୁମ୍‌ ଡିଆଁକୁଦା କରି ଭାରି ଖୁସି ହୁଏ। ଗାଁ ଲୋକେ ଦେଖି ତାକୁ ଘରକୁ ନେଇ ଆସି ପୁଣି ଶିକୁଳିରେ ବାନ୍ଧି ଦିଅନ୍ତି। ତାଙ୍କର ଏଭଳି କାର୍ଯ୍ୟକଳାପର ମୁଁ ପ୍ରତ୍ୟକ୍ଷଦର୍ଶୀ ଥାଏ। ଏଭଳି ଦେଖିଦେଖି ତାଙ୍କ ପ୍ରତି ମୋର ଦୁର୍ବଳତା ବଢ଼ିବାରେ ଲାଗିଥାଏ। ଡାକ୍ତରମାନଙ୍କ ପାଖରେ ତାଙ୍କ ରୋଗର କିଛି ଚିକିତ୍ସା ନଥିବା ଶୁଣି ମୁଁ ମର୍ମାହତ ହୋଇ ଦିନେ ଜେଜେଙ୍କୁ ପଚାରିଲି ତାଙ୍କୁ କ’ଣ ହୋଇଛି? ଜେଜେ କହିଲେ, ଅବଶିଷ୍ଟ ପ୍ରାରବ୍ଧ ଶକ୍ତି ବଳରେ ସେ ଏପରି ହେଉଛି। ସେ ଅଳ୍ପାୟୁ। ବୋଧେ ଦୁଇ ବର୍ଷ ବଞ୍ଚିପାରେ। ଏହା ଶୁଣି ମତେ ବହୁତ ଦୁଃଖ ଲାଗିଥିଲା। ସତକୁ ସତ ଖୁବ୍‌ ଅଳ୍ପ ଦିନରେ ତାଙ୍କର ମୃତ୍ୟୁ ହୋଇଗଲା। ଏହାମତେ ଆଶ୍ଚର୍ଯ୍ୟ କରି ଦେଇଥିଲା। ଜୀବନର ଏକ ନିରାଟ ସତ୍ୟ ‘ମୃତ୍ୟୁ’କୁ ସେଦିନ ମୋର ପରିଚୟ ହୋଇଥିଲା ଭଳି ମନେ ହେଲା। ଆଜିଯାଏଁ ବି ସେ ସ୍ମୃତି ମୋ ମନରେ ଜୀବନ୍ତ ହୋଇ ରହିଛି ବୋଲି କୁହନ୍ତି ବିଶିଷ୍ଟ ସାହିତ୍ୟିକ ରାଜକିଶୋର ମିଶ୍ର।

ସମ୍ବନ୍ଧିତ ଖବର

Leave A Reply

Your email address will not be published.