ଦାଶ ବେନହୁରଙ୍କ ‘ପିଲାଙ୍କ ପାଇଁ ଗପବାକ୍ସ’ ଉନ୍ମୋଚିତ : ଶିଶୁଙ୍କ ଢଙ୍ଗରେ ତାଙ୍କ ପାଇଁ ଲେଖାଯାଉ

ଭୁବନେଶ୍ୱର : ସାହିତ୍ୟିକ ଦାଶ ବେନହୁରଙ୍କ ଲିଖିତ ‘ପିଲାଙ୍କ ପାଇଁ ଗପ ବାକ୍ସ’ ଆଜି ‘ସମ୍ବାଦ ଭବନ‌’ରେ ଉନ୍ମୋଚିତ ହୋଇଯାଇଛି।  ‘ସମ୍ବାଦ’ର ସମ୍ପାଦକ ତଥା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଉନ୍ମୋଚକ ଭା‌େବ ଶାନ୍ତନୁ ଆଚାର୍ଯ୍ୟ ଯୋଗ ଦେଇଥିଲେ। ଶ୍ରୀ ପଟ୍ଟନାୟକ କହିଛନ୍ତି, ଦାଶ ବେନହୁରଙ୍କର ଏହି ଲେଖା ଉପାଦେୟ ନିଶ୍ଚିତ। କିନ୍ତୁ ପାଠକଙ୍କର ଅଭାବ ରହିଛି। ପିଲାଙ୍କ ସାହିତ୍ୟ ଯେତିକି ସମୃଦ୍ଧ ହେବା କଥା, ହେଉନାହିଁ। ଆମେ ପ୍ରକାଶକମାନେ ସମୃଦ୍ଧ ପାଇଁ ଉଦ୍ୟମ କରୁଛୁ। ହେଲେ ସଫଳ ହେଉନାହୁଁ। ଆମେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ରଙ୍ଗିନ ବହି ଛାପିଥିଲୁ କିନ୍ତୁ, ଏହା ଅଧିକ ମୂଲ୍ୟ ଯୋଗୁଁ ପାଠକଙ୍କ ପାଖରେ ପହଞ୍ଚିପାରିଲା ନାହିଁ। ଦ୍ବିତୀୟ କଥା ଆମେ ଯାହା ପସନ୍ଦ କରୁଛୁ ତାହା ପିଲାମାନେ ପସନ୍ଦ କରିବେ ବୋଲି ଭାବିବା ଉଚିତ ନୁହେଁ। ପିଲା କ’ଣ ଚାହୁଁଛି ତାହା ଲେଖିବା କଥା। ଦୁନିଆ ଦ୍ରୁତ ଗତିରେ ବଦଳୁଛି। ବିଜ୍ଞାନ ଓ କାରିଗରୀ କୌଶଳକୁ ନେଇ ଆମକୁ ଆଗେଇବାକୁ ହେବ। ତାରି ଭିତରେ ଭାଷା ସାହିତ୍ୟକୁ ବଞ୍ଚାଇବାକୁ ପଡ଼ିବ। ଶିଶୁଙ୍କ ଢଙ୍ଗରେ ତାଙ୍କ ପାଇଁ ଲେଖିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଏହି ଅବସରରେ ଉନ୍ମୋଚକ ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ଶିଶୁ ସାହିତ୍ୟ ପାଇଁ ଆଉ ପାଠକ ନାହାନ୍ତି। ପୂର୍ବରୁ ପ୍ରକାଶକ ଯୋଗାଡ଼ କରିବା କଷ୍ଟସାଧ୍ୟ ଥିବା ବେଳେ ଏବେ ସ୍ଥିତି ଓଲଟି ଯାଇଛି। ପ୍ରକାଶକ ଅଛନ୍ତି,  ହେଲେ ପାଠକ ନାହାନ୍ତି। ବାସ୍ତବରେ ସାହିତ୍ୟରେ କେବଳ ତର୍କ ଓ ବାସ୍ତବତା ରହୁଛି। କପୋଳକଳ୍ପିତ ପ୍ରସଙ୍ଗ ରହୁନଥିବାରୁ ଏହା ଶିଶୁମାନଙ୍କ ଦ୍ବାରା ଆଦୃତ ହେଉନାହିଁ। କେବଳ ଶିଶୁ ସାହିତ୍ୟ ନୁହେଁ, ସମଗ୍ର ମାତୃଭାଷା ବିପଦରେ ରହିଛି ବୋଲି ସେ କହିଛନ୍ତି।

ଲେଖକ ଶ୍ରୀ ବେନହୁର ତାଙ୍କ ପୁସ୍ତକ ସମ୍ବନ୍ଧରେ ସୂଚନା ଦେବା ଅବସରରେ କ୍ଷୋଭ ପ୍ରକାଶ କରି କହିଥିଲେ, ଶିଶୁ ସାହିତ୍ୟ ପାଇଁ ବଜାର ନାହିଁ। ପାଠରେ ପିଲା ସାହିତ୍ୟ ପ୍ରତି ଆକୃଷ୍ଟ ହେଲେନି। ପାଠ୍ୟକ୍ରମ ସେଭଳି ତିଆରି ହୋଇନି। ୨୦ରୁ ୨୫ ବର୍ଷ ହେଲା ପିଲାମାନେ ସାହିତ୍ୟ ସହ ନାହାନ୍ତି। ଏବେ ପିଲାମାନଙ୍କୁ ସାହିତ୍ୟ ସହ ଯୋଡ଼ିବା ସମୟ ଆସିଛି।  ଯେଉଁମାନେ ଶିକ୍ଷା ନୀତି ତିଆରି କରୁଛନ୍ତି, ସେମାନେ ଯେପର୍ଯ୍ୟନ୍ତ ବୁଝି ନାହାନ୍ତି, ସେ ପର୍ଯ୍ୟନ୍ତ ସାହିତ୍ୟର ଏଭଳି ଅବସ୍ଥା ଥିବ ବୋଲି ସେ ଆଶଙ୍କା କରିଛନ୍ତି।

ସାହିତ୍ୟିକ ତଥା ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି ମଧ୍ୟ ଶିଶୁ ସାହିତ୍ୟର ପାଠକଙ୍କ ସଂଖ୍ୟାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ପ୍ରତ୍ୟେକ ସ୍କୁଲ ବୁଲି ପିଲାଙ୍କ ପାଖରେ ସାହିତ୍ୟ ପହଞ୍ଚାଇବା ପାଇଁ ସମୟ ଆସିଥିବା କହିଛନ୍ତି। ପ୍ରାଧ୍ୟାପକ ଶଶିଭୂଷଣ ବିଶ୍ବାଳ, ପ୍ରଫେସର ବିକ୍ରମ ଦାସ, ପ୍ରଫେସର ଅମୂଲ୍ୟ ପଣ୍ଡା, ଡ. ହୃଷୀକେଶ ମଲ୍ଲିକ, ପ୍ରଫେସର ଗଗନେନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇ ପରିବର୍ତ୍ତିତ ସମୟ ସହ ତା‌ଳ ଦେଇ ଲେଖା ଉପରେ ଗୁରତ୍ବାରୋପ କରିଛନ୍ତି। ‘ଆମ ଓଡ଼ିଶା’ର ସଂପାଦକ ସ୍ବରାଜ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର