ଶିଶୁମାନଙ୍କ ପ୍ରତିଭାକୁ ଉତ୍ସାହିତ କରିବା ଜରୁରୀ

ଭୁବନେଶ୍ୱର : ଶିଶୁଭିତ୍ତିକ ପ୍ରକାଶନୀ ‘ଓର୍ସିଡିଆ ପ୍ଲସ୍‌ ଚିଲ୍‌ଡ୍ରେନ୍‌ସ୍‌ ପ୍ରକାଶନୀ’ ପକ୍ଷରୁ ଶିଶୁମାନଙ୍କୁ ବିଭିନ୍ନ ସାମାଜିକ କାର୍ଯ୍ୟ, ପ୍ରତିଭା ବିକାଶ କ୍ଷେତ୍ରରେ ପ୍ରେରିତ କରିବା ଉଦ୍ଦେଶ୍ୟରେ ଆଜି ହୋଟେଲ ମେ’ ଫେୟାର୍‌ଠାରେ ‘ଲା ଫାଏଟା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ କହିଲେ, ଶିଶୁମାନଙ୍କ ପାଇଁ କିଛି କରିବା ନିହାତି ଭାବେ ଏକ ସୁନ୍ଦର ଅନୁଭୂତି। ସେ ଯେକୌଣସି ପ୍ରତିଭା ହେଉନା କାହିଁକି, ପ୍ରତିଟି ପ୍ରତିଭାକୁ ପ୍ରୋତ୍ସାହିତ କରିବା ଜରୁରୀ। ନୃତ୍ୟ ହେଉ ବା ସଙ୍ଗୀତ, କଥା କହିବା ହେଉ କି ଭାବିବା କିମ୍ବା ସାଇକେଲିଂ, ସୁଇମିଂ। ଆରମ୍ଭରୁ ହିଁ ଆମେ ପିଲାମାନଙ୍କୁ ଉତ୍ସାହିତ କରିବା ଦରକାର। ସେମାନଙ୍କୁ ଶିଖାଇବା ଦରକାର ଯେ, ଯାହା ବି କରୁଛନ୍ତି ତାକୁ ଉପଭୋଗ କରନ୍ତୁ। ଆମର ଉତ୍ତର ପିଢ଼ିକୁ ଏଭଳି ଭାବେ ଅଲ୍‌ରାଉଣ୍ଡର୍‌ କରିବା ଉଚିତ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି।

ଅନ୍ୟତମ ଅତିଥି ଭାବେ ବିଶିଷ୍ଟ ଆଇନ୍‌ଜୀବୀ ସୂର୍ଯ୍ୟନାରାୟଣ ଦାସ ଓ ସଞ୍ଜୟ ସୁଆର ଯୋଗ ଦେଇଥିଲେ। ଏହି ଅବସରରେ ଶିଶୁମାନଙ୍କ ଯତ୍ନ ନେଉଥିବା ‘ଆଦୃତ ହୋମ୍‌’କୁ ସମ୍ବର୍ଧିତ କରାଯାଇଥିଲା। ପ୍ରକାଶନୀ ପକ୍ଷରୁ ଜାପାନିଜ୍‌ କଓ୍ଵାଇ କଲେକ୍‌ସନ୍‌ର ଏକ କ୍ୟାଲେଣ୍ଡର ଉନ୍ମୋଚିତ ହୋଇଥିଲା। ଏହାସହ ଓର୍ସିଡିଆର ଆଗାମୀ ଚେହେରା ଭାବେ ୧୦ ବର୍ଷୀୟ ଝିଅ ଲେଇସା ମହାପାତ୍ରଙ୍କୁ ପରିଚିତ କରାଯାଇଥିଲା। ଏହା ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଲେଖାକୁ ନେଇ ଏକ ପତ୍ରିକା ମଧ୍ୟ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ପ୍ରକାଶନୀର ନିର୍ଦ୍ଦେଶିକା ଲିତା ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ ଓ ଅଧ୍ୟକ୍ଷା ରଶ୍ମି ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର