ଚିଲିକା ଡଙ୍ଗା ବୁଡ଼ି ଘଟଣା: ବାଲୁଗାଁରେ ୭ ଜଣିଆ ତଦନ୍ତ ଦଳ

ବାଲୁଗାଁ: ଚିଲିକାରେ ଡଙ୍ଗା ବୁଡ଼ି ୪ ଜଣ ଶିଶୁ ସମେତ ୬ଜଣଙ୍କର ମୃତ୍ୟୁ ଘଟଣାର ବିଧିବଦ୍ଧ ତଦନ୍ତ ପାଇଁ ପ୍ରଶାସନର ଏକ ୭ ଜଣିଆ ଦଳ ଆଜି ବାଲୁଗଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ସରୋଜ କୁମାର ସାହୁ, ଚିଲିକା ତହସିଲଦାର ଅଶୋକ ଦାସ, ବିଡିିଓ ବାଦଲ କୁମାର ମହାନ୍ତି, ବାଲୁଗାଁ ଏସ୍‌ଡିପିଓ ସୁବାସ ଚନ୍ଦ୍ର ପଣ୍ଡା, ସଡିଏ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ ନାୟକ, ଡିଏଫ୍‌ଓ କ୍ଷେତ୍ରବାସୀ ବେହରା ଏବଂ ଅନ୍ତର୍ଦ୍ଦେଶୀୟ ଜଳପଥ ପରିବହନ ବିଭାଗ ସହକାରୀ ଯନ୍ତ୍ରୀ ପଦ୍ମଲୋଚନ ରାଉତ ପ୍ରମୁଖ ଏହି ଟିମ୍‌ରେ ସାମିଲ୍‌ ହୋଇଛନ୍ତି। ମଙ୍ଗଳବାର ମଧ୍ୟାହ୍ନରେ ଏହି ଦଳ ବାଲୁଗାଁ ଚିଲିକା କୂଳରେ ପହଞ୍ଚବା ପରେ କେଉଁ କାରଣ ଓ ପରିସ୍ଥିତି ଦୃଷ୍ଟିରୁ ଡଙ୍ଗାଟି ଦୁର୍ଘଟଣାର ସମ୍ମୁଖୀନ ହେଲା ବୋଲି ସେ ଦିଗରେ ପଚରାଉଚରା କରିଥିଲେ। ଏହା ପରେ ଜଳଯାତ୍ରା କରୁଥିବା ଡଙ୍ଗାଗୁଡ଼ିକ ଜଳପଥ ପରିବହନ ବିଭାଗନିୟମ ମୁତାବକ ୧୦ଟି ନିୟମାବଳୀ ପାଳନ କରୁଛନ୍ତି କି ନାହିଁ ତାହା ତଦାରଖ କରିଥିଲେ। ସେଗୁଡ଼ିକ ମଧ୍ୟରେ ଡଙ୍ଗାର ଯାତ୍ରୀ ପରିବହନ ଦକ୍ଷତା, ବସିବା ପାଇଁ ଆବଶ୍ୟକ ସ୍ଥାନ, ଅଭିଜ୍ଞ ଚାଳକ, ଅଗ୍ନି ନିର୍ବାପକ ଯନ୍ତ୍ର, ପ୍ରାଥମିକ ଚିକିତ୍ସା ଉପକରଣ, ଲାଇଫ୍‌ ଜ୍ୟାକେଟ୍‌, ଡଙ୍ଗାର ଉପକରଣ ଓ ଲାଇଫ୍‌ ଟ୍ୟୁବ୍‌, ବୀମାକରଣ ଆଦି ଠିକ୍‌ ରୂପେ କାର୍ଯ୍ୟକାରୀ ହେଉଛି କି ନାହିଁ ସେ ଦିଗରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଛନ୍ତି।

ସୂଚନା ଥାଉ କି, ଏଠାରେ ୧୦୬ଟି ଘରୋଇ ଯାତ୍ରୀବାହୀ ଡଙ୍ଗା ପରିବହନ କରୁଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ମାତ୍ର ୨ଟି ଡଙ୍ଗାର ଯାଞ୍ଚକାର୍ଯ୍ୟ ସମାପ୍ତ ହୋଇଛି। ଏହି ପ୍ରକ୍ରିୟା ଆଗକୁ ଜାରି ରହିବ। ସମସ୍ତ ଡଙ୍ଗାର ଯାଞ୍ଚ ସରିବା ପରେ ତଦନ୍ତକାରୀ ଦଳର ରିପୋର୍ଟ କ୍ରମେ ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣାଯାଇଛି। ଅନ୍ୟପକ୍ଷେ, ଗତ ୩ ଦିନ ହେଲା ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ ରହିଥିବା ହେତୁ ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ ନିରାଶରେ ଫେରୁଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର