ସୁନ୍ଦର ଓ ସୁଦୃଶ୍ୟ ଛପା ସତ୍ତ୍ୱେ ପାଠକ ସଂଖ୍ୟା କମୁଛି

ଉନ୍ମୋଚିତ ହେଲା ‘ଚିହ୍ନା ମାଟିର ବାସ୍ନା’

ଭୁବନେଶ୍ୱର: ଉତ୍ତମ ଶବ୍ଦ ବିନ୍ୟାସ ଓ ନିଜର ନିଚ୍ଛକ ଅନୁଭୂତିକୁ ନେଇ ଲିଖିତ କବିତା ପାଠକୀୟ ଆଦୃତ୍ତି ସାଉଁଟିଥାଏ। ପୁଣି ବର୍ତମାନ ପ୍ରକାଶନ ଶିଳ୍ପରେ ବିରାଟ ପରିବର୍ତନ ଆସିଛି। ପୂର୍ବ ଅପେକ୍ଷା ଏବେ ଅଧିକ ସୁନ୍ଦର ଓ ସୁଦୃଶ୍ୟ ଭଲ ଛପା ହେଉଛି। ଯାହା କି ଓଡ଼ିଆ ପୁସ୍ତକ ସମ୍ପର୍କରେ ଯେଉଁ ଧାରଣା ଥିଲା, ସେ ଧାରଣାକୁ ଯଥେଷ୍ଟ ପରିମାଣରେ ପରିବର୍ତନ କରିଛି। କିନ୍ତୁ ବହି ସୁନ୍ଦର ହେବା ବେଳକୁ ପାଠକମାନଙ୍କ ସଂଖ୍ୟା କମିବାରେ ଲାଗିଛି। ଆଜି ‘ସମ୍ବାଦ ଭବନ’ ପରିସରରେ ଆୟୋଜିତ ନିରୂପମା କରଙ୍କ କବିତା ସଂକଳନ ‘ଚିହ୍ନା ମାଟିର ବାସ୍ନା’ ଉନ୍ମୋଚନ ଅବସରରେ ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି। ସେ କହିଛନ୍ତି, ପାଠକଙ୍କ ସଂଖ୍ୟା କମିବା ସଂକଟକୁ କମାଇବାକୁ ହେଲେ ନିରୂପମାଙ୍କ ଭଳି କିଛି ନିଆରା କବିତା ସଂକଳନ ରଚନାର ଆବଶ୍ୟକତା ରହିଛି। ପଶ୍ଚିମା ପବ୍ଲିକେସନ ପକ୍ଷରୁ ପ୍ରକାଶିତ ଏହି କବିତା ସଂକଳନରେ ୫୯ଟି କବିତା ସ୍ଥାନ ପାଇଛି।

କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଗୌରହରି ଦାସ, ରଣଜିତ ଗୁରୁ, ଅସିତ ମହାନ୍ତି ଓ ସ୍ନେହଲତା ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ। ଅଧ୍ୟାପକ ଦେବାଶିଷ ମହାପାତ୍ର ପୁସ୍ତକର ସମୀକ୍ଷା କରି କହିଲେ, ସୁନ୍ଦର ଶବ୍ଦର ଗୁନ୍ଥନରେ ଜୀବନର ବିଭିନ୍ନ ଅନୁଭୂତିକୁ ନେଇ ରଚିତ କବିତାଗୁଡ଼ିକ ବେଶ୍‌ ସୁନ୍ଦର ହୋଇଛି। ଏହି ଅବସରରେ ‘ଆମ ଓଡ଼ିଶା’ର ସମ୍ପାଦକ ସ୍ୱରାଜ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ଓ ରମେଶ ଚନ୍ଦ୍ର ପାଣି ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର