ଚୂଡ଼ଙ୍ଗଗଡ଼ ବାରଙ୍ଗ ମହୋତ୍ସବ ଉଦ୍‌ଘାଟିତ

ବାରଙ୍ଗ: କାର୍ତ୍ତିକେଶ୍ବର ମହୋତ୍ସବ ପାଳନ ଅବସରରେ ଉତ୍ସବମୁଖର ହୋଇ ଉଠିଛି ସମଗ୍ର ବାରଙ୍ଗ ଅଞ୍ଚଳ। ୧୨୨ ପୂଜାମଣ୍ତପରେ ପୂଜା ପାଉଛନ୍ତି ବିଗ୍ରହ। ଚୂଡ଼ଙ୍ଗଗଡ଼ ବାରଙ୍ଗ ମହୋତ୍ସବ କମିଟି ତରଫରୁ ରାଜା ଚୋଳଗଙ୍ଗ ଦେବଙ୍କ ୬ଶହ ବର୍ଷ ତଳର ପ୍ରାଚୀନ ଗୌରବମୟ ଐତିହ୍ୟକୁ ମନେ ପକାଇବା ଲାଗି ଉତ୍ସବର ଅୟୋଜନ କରାଯାଇଛି। କମିଟିର କାର୍ଯ୍ୟକାରୀ ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତା ଓ ସଭାପତି ପ୍ରେମାନନ୍ଦ ସାହୁଙ୍କ ତତ୍ତ୍ବାବଧାନରେ କାର୍ତ୍ତିକ ପୂର୍ଣ୍ଣମୀର ସକାଳେ ପ୍ରଥମେ ନରଣପୁର ସ୍ଥିତ ରାମେଶ୍ବର ମନ୍ଦିର ଠାରୁ ଦାଢ଼ାପାଟଣା କନକ ଦୁର୍ଗା ମନ୍ଦିର ପର୍ଯ୍ୟନ୍ତ ମଶାଲ ଶୋଭାଯାତ୍ରା କରାଯାଇଥିଲା। ଝୁନ୍‌ଝୁନ୍‌ୱାଲା ଇଟା କାରଖାନା ପଡ଼ିଆରେ ଅଗ୍ନି ସ୍ଥାପନ ପରେ ବାରଙ୍ଗ ବ୍ଲକ ନିକଟ ପୁରୀ ମୁଖ୍ୟ କେନାଲ ତଥା ଅତୀତର ପ୍ରାଚୀ ନଦୀରେ ପ୍ରାଚୀନ ନୌବାଣିଜ୍ୟକୁ ମନେ ପକାଇ ବୋଇତ ବନ୍ଦାଣ ଉତ୍ସବ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଓ ସମ୍ମାନିତ ଅତିଥି ଗବେଷକ ହରିହର କାନୁନ୍‌ଗୋ ଯୋଗ ଦେଇଥିଲେ। ଏହାପରେ ଝୁନ୍‌ଝୁନ୍‌ୱାଲା ପଡ଼ିଆରେ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଅୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ, ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଓ ସମ୍ମାନିତ ଅତିଥି ଭାବେ ଗବେଷକ ପ୍ରଫେସର ଡ. ହରିହର କାନୁନ୍‌ଗୋ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଉପଦେଷ୍ଟା ବସନ୍ତ କୁମାର ମହାପାତ୍ର, ସୁନୀଲ କୁମାର ସିଂ, ଅଜୟ କୁମାର ମୁଦୁଲି ଓ ବାଙ୍କବିହାରୀ ମାଝି ଉପସ୍ଥିତ ଥିଲେ। ଏହି ଅବସରରେ ସମାଜସେବୀ ତଥା ଚିକିତ୍ସକ ବଂଶୀଧର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭୂପତି ଭୂଷଣ ପାଣି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର