ଶ୍ରମିକ ବିରୋଧୀ ନୀତି ବିରୋଧରେ ସିଆଇଟିୟୁର ଆନ୍ଦୋଳନ ଡାକରା

ଭୁବନେଶ୍ୱର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଶ୍ରମିକ ବିରୋଧୀ ନୀତି ବିରୋଧରେ ସିଆଇଟିୟୁ(ସିଟୁ) ଆନ୍ଦୋଳନ ଡାକରା ଦେଇଛି। ଆସନ୍ତା ଶ୍ରମିକ ଦିବସରୁ ଏହି ଆନ୍ଦୋଳନ ଆରମ୍ଭ ହୋଇ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ବ୍ୟାପକ ପ୍ରଚାର ସହ ଜନମତ ସୃଷ୍ଟି କରାଯିବ ବୋଲି କହିଛନ୍ତି କେନ୍ଦ୍ରୀୟ ସଭାନେତ୍ରୀ କେ. ହେମଲତା। ସ୍ଥାନୀୟ ଶ୍ରମିକ ଭବନ ପରିସରରେ ଚାଲିଥିବା ୨୮ ଓ ୨୯ ତାରିଖ ଦୁଇଦିନିଆ ରାଜ୍ୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସେ ସୂଚନା ଦେଇଛନ୍ତି। ସରକାରଙ୍କର ଶ୍ରମିକ ବିରୋଧୀ ନୀତି, ୧୮ ହଜାର ସର୍ବନିମ୍ନ ମଜୁରୀ, ନିର୍ମାଣ, ପରିବହନ, ଖଣି, ସ୍କିମ୍‌ କ୍ଷେତ୍ରର ଶ୍ରମିକମାନଙ୍କ ସମସ୍ୟା ଉପରେ ଶ୍ରମିକମାନଙ୍କୁ ଚେତାଇ ଦେବା ସହ ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି କରାଯିବ। ସେ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାର କ୍ଷମତାସୀନ ହେବାକୁ ୪ ବର୍ଷ ପୂରିବାକୁ ଯାଉଛି। ୨ କୋଟି ବେକାରଙ୍କୁ ନିଯୁକ୍ତି, କଳାଧନ ଉଧାର କରି ପ୍ରତି ଗରିବଙ୍କ ଖାତାକୁ ୧୫ ଲକ୍ଷ ପ୍ରଦାନ, ପେଟ୍ରୋଲ ସହ ଅତ୍ୟାବଶ୍ୟକ ଜିନିଷର ଦରବୃଦ୍ଧି ରୋକିବା ପ୍ରଭୃତି ଯେଉଁ ‘ଅଛେ ଦିନ୍‌’ର ସ୍ୱପ୍ନ ଦେଖାଇଥିଲେ ତାହା ଫୁସ୍‌କି ଯାଇଛି। ଶ୍ରମିକମାନଙ୍କ ସ୍ୱାର୍ଥ ରକ୍ଷା ଏହି ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ ହେବ ବୋଲି ସେ କହିଛନ୍ତି। ଏହି ଅବସରରେ ଜନାର୍ଦନ ପତିଙ୍କ ଲିଖିତ ପୁସ୍ତକ ‘ଶ୍ରମିକ କିଏ’କୁ ଅତିଥିମାନେ ଉନ୍ମୋଚନ କରିଛନ୍ତି। ପ୍ରଚାର ଅଭିଯାନର ମଧ୍ୟ ଏକ ବୁକ୍‌ଲେଟ୍‌ ଉନ୍ମୋଚିତ ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ଦୁଷ୍ମନ୍ତ ଦାସ, ରାଜ୍ୟ ସମ୍ପାଦକ ରାଧାରମଣ ଷଡ଼ଙ୍ଗୀ, ସିପିଆଇ(ଏମ୍‌)ଲକ୍ଷ୍ମଣ ମୁଣ୍ଡା, ନବକିଶୋର ମହାନ୍ତି, ପ୍ରମୋଦ ସାମଲ, ବିମାନ ମାଇତି, ବନମାଳି ଧୂପାଳ, ଜାହାଙ୍ଗୀର ଅଲ୍ଲୀ, ଲୋଭାକାନ୍ତ ସ୍ୱାଇଁ, ରମେଶ ଜେନା, ସତ୍ୟାନନ୍ଦ ବେହେରା, ବସନ୍ତ ନାୟକ, ଅଭୟ ସ୍ୱାଇଁ, ଶ୍ରୀଧର ମିଶ୍ର, ଯୁଧିଷ୍ଠିର ବେହେରା, ପ୍ରଣୟ ନାୟକ, ଶୁଭଙ୍କର ଦାସ, ଇଷାନୀ ଷଡ଼ଙ୍ଗୀ, ବନବାସିନୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର