ଗାଁକୁ ବସ୍ତି କହି ଫସିଲେ ନଗରବାସୀ, ଗୃହବନ୍ଦୀ କରିଦେଲେ ଗାଁଲୋକେ

ଖଣ୍ଡଗିରି: ଗାଁକୁ ବସ୍ତି ବୋଲି କହି ଫସିଗଲେ ନଗରବାସୀ। ନଗରବାସୀଙ୍କୁ ଚାରିପଟୁ ଘେରିଲେ ଉତ୍ତ୍ୟକ୍ତ ଗ୍ରାମବାସୀ। ବାଟରେ ଘାଟ‌ରେ ପିଟିଲେ। କଲୋନିରେ ପଶି ଗାଡ଼ି ମଟର ଭଙ୍ଗାରୁଜା କଲେ। ଶେଷରେ କମିସନରେଟ୍‌ ପୁଲିସ ହସ୍ତକ୍ଷେପ କରିବାରୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଘଟଣାଟି ଘଟିଛି ଏୟାର୍ ଫିଲ୍‌ଡ ଅଞ୍ଚଳର। ସୂଚନାନୁସାରେ ବାତ୍ୟା ଫନିରେ ରାଜଧାନୀ ଉପକଣ୍ଠ ପଧାନସାହି ଓ ଜାମୁକୋଳି ପଞ୍ଚାୟତ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା। ଦୁଇ ପଞ୍ଚାୟତର ଯୁବକମାନେ ମିଳିତଭାବେ ବିଦ୍ୟୁତ୍ ବିଭାଗକୁ ସହଯୋଗ କରି ଗାଁମାନଙ୍କୁ ବିଦ୍ୟୁତ୍ ସଂଯୋଗ କରାଇବା ପାଇଁ ଅଣ୍ଟା ଭିଡ଼ିଥିଲେ। ଫଳରେ ଗତ ୩ ଦିନ ପୂର୍ବେ ଏହି ଅଞ୍ଚଳରେ ବହୁ ଗାଁକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇପାରିଥିଲା। ମାତ୍ର ଏଠାରେ ଥିବା ବିଭିନ୍ନ ଆପାର୍ଟମେଣ୍ଟ ଓ ନଗରବାସୀ ବିଦ୍ୟୁତ୍ ସଂଯୋଗ ପାଇବାରେ ବିଳମ୍ବ ହୋଇଥିଲା। ତେଣୁ ଗତ ଶନିବାର ରାତିରେ ସ୍ଥାନୀୟ ନଗରବାସୀ ବିଦ୍ୟୁତ୍ କାର୍ଯ୍ୟାଳୟକୁ ଯାଇ ପାଟିତୁଣ୍ଡ କରିଥିଲେ। ଏହି ସମୟରେ କିଛି ନଗରବାସୀ ଗାଁମାନଙ୍କୁ ଆକ୍ଷେପ କରି ବସ୍ତି ବୋଲି କହି ଦେଇଥିଲେ। ନଗରବାସୀଙ୍କୁ ବିଦ୍ୟୁତ୍ ସଂଯୋଗ ନ ଦେଇ ବସ୍ତି ବାଲାଙ୍କୁ କାହିଁକି ଆଗ ବିଦ୍ୟୁତ୍ ସଂଯୋଗ ଦେଲ ବୋଲି ଅଭିଯୋଗ କରି ବିଭାଗୀୟ ଯନ୍ତ୍ରୀଙ୍କୁ ଘେରିଥିଲେ। ଏହି ଖବର ଗାଁମାନଙ୍କରେ ପହଞ୍ଚି ଯାଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ରାତାରାତି ଶହ ଶହ ଯୁବକ ମାଡ଼ି ଆସିଥିଲେ। ମହିଳା ଓ ବରିଷ୍ଠ ନାଗରିକମାନଙ୍କୁ ଛାଡ଼ି ଅନ୍ୟମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ। ଛକରେ ଛକରେ ବୋମାମାଡ଼ ବି ହେଲା। ହଜାର ହଜାର ସଂଖ୍ୟାରେ ଗ୍ରାମବାସୀଙ୍କୁ ଏମିତି ଅତର୍କିତଭାବେ ଏକାଠି ଆକ୍ରମଣ କରିବା ଦେଖି ଭୟଭୀତ ହୋଇପଡ଼ିଥିଲେ ନଗରବାସୀ। ଶନିବାର ରାତିରୁ ଆରମ୍ଭ ହୋଇଥିବା ଏହି ଗଣ୍ଡଗୋଳ ପରଦିନ ଅଧିକ ବଢ଼ି ଯାଇଥିଲା। ଦିନ ସାରା ଗ୍ରାମବାସୀମାନେ ନଗରମାନଙ୍କର ସବୁ ଛକକୁ ଜଗି ବସିଲେ। ଏୟାର୍‌ଫିଲ୍‌ଡ ଥାନା ପୁଲିସ ନିଜ ଆଡ଼ୁ ଉଭୟ ପକ୍ଷଙ୍କୁ ଡାକି ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଆଜି ବିଦ୍ୟୁତ୍ ମରାମତି କାମ ପୁଣି ଆରମ୍ଭ ହୋଇଥିଲା ଓ ନଗରର କିଛି ଅଞ୍ଚଳକୁ ଆଜି ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ଏହି ଅଞ୍ଚଳରେ ନଗର ଗଢ଼ି ଉଠିବା ଦିନରୁ ନଗରବାସୀ ଓ ଗ୍ରାମବାସୀଙ୍କ ଭିତରେ ଏଭଳି ବିବାଦ କେବେ ଦେଖା ଯାଇନଥିଲା। ବାତ୍ୟା ଫନି ପ୍ରଭାବରେ ଆଜି ଏହା ବିଗଡ଼ି ଗଲା ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର