କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ନିଃଶୁଳ୍କ ସିଟି ସ୍କାନ୍‌ ସେବା ଆରମ୍ଭ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଆଜିଠାରୁ ନିଃଶୁଳ୍କ ସିଟି ସ୍କାନ ସେବା ଆରମ୍ଭ ହୋଇଛି। ପିପିପି ମୋଡ୍‌ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସ୍ପନ୍ଦନ ଡାଏଗ୍ନୋଷ୍ଟିକ୍‌ ସେଣ୍ଟର୍‌ର ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ଅତ୍ୟାଧୁନିକ ସେବା ପାଇଁ ୧୬ସ୍ଲାଇସ୍‌ ବ୍ରାଣ୍ଡ୍‌ର ସିଟି ସ୍କାନ୍‌ ମେସିନ୍‌ ସ୍ଥାପନ କରାଯାଇଛି। ଏଥିରେ ଥ୍ରିଡି, ଏସ୍‌ଏସ୍‌ଡି, ଏମ୍‌ପିଭିଆର୍‌, ଆଞ୍ଜିଓ, ବ୍ରୋଞ୍ଚୋସ୍କୋପ୍‌, କଲୋନୋସ୍କୋପି ଭଳି ସମସ୍ତ ଆଡ୍‌ଭାନ୍‌ସ ସ୍କାନ୍‌ କରାଯାଇପାରିବ। ପୁରୁଣା ସ୍ତ୍ରୀ ଓ ପ୍ରସୂତି ବିଲ୍‌ଡିଂ ମଧ୍ୟରେ ଏହି ସେବା ସମ୍ପୂର୍ଣ୍ଣ ମାଗଣରେ ଉପଲବ୍ଧ ହେବ। ସାଧାରଣ ସ୍କାନ୍‌ ରିପୋର୍ଟ ୬ ଘଣ୍ଟା ମଧ୍ୟରେ ଏବଂ ଏମରଜେନ୍‌ସି ସ୍ଥଳେ ୧ ଘଣ୍ଟାରୁ ୨ ଘଣ୍ଟା ମଧ୍ୟରେ ରିପୋର୍ଟ ମିଳିବ। ଆଜି ପ୍ରଥମ ଦିନରେ ଜଣେ ରୋଗୀ ଏହି ସେବାର ଲାଭ ଉଠାଇଛନ୍ତି। ପୁରୀର ହରପ୍ରିୟା ବେହେରା ପ୍ରଥମେ ମସ୍ତିଷ୍କ ସ୍କାନିଂ କରାଇବା ପରେ ୩୦ ମିନିଟ୍‌ ମଧ୍ୟରେ ରିପୋର୍ଟ ପାଇଥିଲେ।

କ୍ୟାପିଟାଲ୍‌ ହସ୍ପିଟାଲ୍‌ର ନିର୍ଦେଶକ ଡାକ୍ତର ମନୋରଂଜନ ଦାଶ ଫିତା କାଟି ଏହି ସେବାକୁ ଆଜି ଲୋକାର୍ପିତ କରିଛନ୍ତି। ପୂର୍ବରୁ ଯଦିଓ ସିଟି ସ୍କାନ୍‌ ମେସିନ୍‌ ହସ୍ପିଟାଲ୍‌ ପରିସରରେ ଉପଲବ୍ଧ ଥିଲା, ସେଥିରେ କେବଳ ମସ୍ତିଷ୍କ ସ୍କାନିଂ ସମ୍ଭବ ହେଉଥିଲା। କିନ୍ତୁ ଏବେ ସ୍ଥାପିତ ମେସିନ୍‌ ଜରିଆରେ ଜଣେ ବହୁବିଧ ସ୍କାନିଂର ସୁବିଧା ପାଇପାରିବ। ବାହାରେ ମସ୍ତିଷ୍କ ସ୍କାନିଂ ପାଇଁ ୨ ହଜାର ଏବଂ ପୂରା ଶରୀର ସ୍କାନିଂ ପାଇଁ ୬ ହଜାର ଟଙ୍କା ଖର୍ଚ ହେଉଥିବା ବେଳେ ଏ ସମସ୍ତ ସୁବିଧା ହସ୍ପିଟାଲ୍‌ ପରିସରରେ ମାଗଣାରେ ଉପଲବ୍ଧ ହେବ ବୋଲି ଡାକ୍ତର ଦାଶ କହିଛନ୍ତି। କ୍ୟାପିଟାଲ୍‌ ହସ୍ପିଟାଲ୍‌ର ମ୍ୟାନେଜର ମୋହିତ କୁମାରଙ୍କ ସୂଚନା ମୁତାବକ, ଏଠାରେ ସ୍କାନିଂ ପାଇଁ ପ୍ରତି ରୋଗୀଙ୍କ ପିଛା ରାଜ୍ୟ ସରକାର ୧୧୯୯ ଟଙ୍କା ଖର୍ଚ କରିବେ। ସ୍ପନ୍ଦନ ଡାଏଗ୍ନୋଷ୍ଟିକ୍‌ ସେଣ୍ଟରର ଓଡ଼ିଶା ମୁଖ୍ୟ ସତ୍ୟସୁନ୍ଦର ବାସାଙ୍କ ମୁତାବକ, ଏହା ସମ୍ପୂର୍ଣ୍ଣ ଭାବେ ସ୍ପନ୍ଦନ ଦ୍ୱାରା ପରିଚାଳିତ ହେବ। ୨କୋଟି ଟଙ୍କା ବ୍ୟୟରେ ସ୍ଥାପିତ ଏହି ସିଟି ସ୍କାନ୍‌ ସେବା ୨୪ ଘଣ୍ଟା ଉପଲବ୍ଧ ହେବ। ୪ ଜଣ ଟେକ୍ନିସିଆନ୍‌ଙ୍କ ସମେତ ଅନ୍ୟ ୩ଜଣ କର୍ମକର୍ତା ଏହି ସେବା ପ୍ରଦାନ କରିବେ।

ସମ୍ବନ୍ଧିତ ଖବର